Unknown

 

 

 

 

 

 

 

 

 

 

 

ତାତିଲା ଲୁହ

ଅନନ୍ତ ଚରଣ ଶତପଥି

 

ସୂଚୀପତ୍ର

 

୧.

ତାତିଲା ଲୁହ

୨.

ଓକିଲାତି ପରୀକ୍ଷା

୩.

ଅଶ୍ରୁ ତର୍ପଣ

୪.

ପାଣି ଗ୍ରହଣ

୫.

ନବଜିଆ କରୁଣାର ଚାକିରି

☆☆☆

 

ତାତିଲା ଲୁହ

 

ମୋର ଜନ୍ମ–ଗରୀବର କୁଡ଼ିଆ ଘରେ । ନାହିଁ ଆଲୁଅ ଜାକଜମକ, ନାହିଁ ବିଜୁଳି ପଙ୍ଖା କିମ୍ୱା ଖଟ–ପଲଙ୍କ–ଆଲମାରି । ମୋଟା–ବଗଡ଼ା–ନାଲିଆ–ଅନ୍ନ ମୋର ଭୋଜନ । ଓଡ, ଓଲୁଅ, ସାରୁନଡ଼ା, ପୋଇ, ସଜନା ଶାଗରେ ଜୀବନଟି ଗଢ଼ା । ଗରିବ ପିତା–ମାତାଙ୍କ କୋଳରେ ମୁଁ ପ୍ରତିପାଳିତ ।

 

ପରମ ସୌଭାଗ୍ୟ, ମୋର ପିତା ମାତା, ଭାଇ ଭଉଣୀ ଏ ପର୍ଯ୍ୟନ୍ତ ସମସ୍ତେ ରହିଛନ୍ତି । ବିଧାତାଙ୍କର ସେହି ଦାରିଦ୍ର୍ୟର କଷାଘାତରୁ ସେମାନେ ଏପର୍ଯ୍ୟନ୍ତ ମୁକ୍ତିଲାଭ କରିନାହାନ୍ତି । ଯେ ମୋତେ ଏତେ ଆଦର ଏଡ଼େ ଗେହ୍ଲାରେ ପିଲାଟି ଦିନୁ ବଢ଼ାଇଆସିଥିଲେ ସେ ଏବେ ମୋର କେହି ନୁହନ୍ତି କିମ୍ୱା ମୁଁ ତାଙ୍କର କେହି ନୁହେଁ ।

 

ପନ୍ଦର ବର୍ଷ ବେଳେ ମୁଁ ପୂଜ୍ୟ ଶ୍ୱଶୁରାଳୟକୁ ଗଲି । ଏବେ ମଧ୍ୟ ମୋର ସ୍ୱାମୀ, ଶାଶୁ, ଶ୍ୱଶୁର ଆଦି ଅଛନ୍ତି । ମାତ୍ର ମୁଁ ସେମାନଙ୍କର କେହି ନୁହେଁ । ମୋର ଦୁଃଖ, ନିର୍ଯ୍ୟାତନା, ମର୍ମନ୍ତୁଦ ଘଟନା ଶୁଣିଲେ ଲୋକେ ଆଶ୍ଚର୍ଯ୍ୟ ହୋଇପାରନ୍ତି । କେହି ପରିତାପ କରିପାରେ, କେହି ଆଶ୍ୱାସନା ଓ ସହାନୁଭୂତି ଦେଖାଇପାରେ; ମାତ୍ର ମୁଁ କହି ରଖେ—ଆଶ୍ଚର୍ଯ୍ୟ ବା ପରିତାପ କରିବାର କୌଣସି ପ୍ରୟୋଜନ ନାହିଁ । ଆଶ୍ୱାସନା କିମ୍ୱା ସହାନୁଭୂତି ଦେଖାଇବାର କୌଣସି ପ୍ରଶ୍ନ ନାହିଁ । କେହି ଭାବି ପାରନ୍ତି—ମୁଁ କୁହୁକ ବିଦ୍ୟା ହାସଲ କରିଛି–ସେହି ହେତୁ ମୋର ପିତା ଓ ଶ୍ୱଶୁର ଗୃହରେ ସମସ୍ତେ ଥିବା ସତ୍ୱେ ସମସ୍ତଙ୍କୁ ମୁଁ ମୋର ବୋଲି କହିବାକୁ ଯେପରି ଘୃଣା ସେହିପରି କୁଣ୍ଠା ଓ ସଙ୍କୋଚ ବୋଧ କରୁଛି । କେହି କହି ପାରନ୍ତି—ମୁଁ ପାଗଳୀ ମାତ୍ର ମୁଁ ପାଗଳୀ ନୁହେଁ । କେହି ଅବା ଭାବି ପାରେ ମୁଁ ଦୋଷୀ, ମାତ୍ର ମୁଁ ଦୋଷୀ ନୁହେଁ । ଏ କଥା କହିବାର ଅଧିକାର ମୋର ନାହିଁ କିମ୍ୱା ଅନ୍ୟ କାହାରି ନାହିଁ । କୌଣସି ବିବେକୀ ମଧ୍ୟ କହି ପାରିବ ନାହିଁ, ମୁଁ ଜାଣି ପାରୁଛି । ଦୋଷ ଗୁଣ ବାଛିବା ପାଇଁ ସେହି ଭଗବାନ ଉପରେ ରହିଛନ୍ତି–ତାଙ୍କର ବିଚାର ଉପରେ ନିର୍ଭର କରେ ।

 

ମୋର ପିତୃଗୃହ ଓ ଶ୍ୱଶୁରଗୃହ ଅଛି, କିନ୍ତୁ ମୁଁ ଗୃହରୁ ବିତାଡ଼ିତା । ସେଠାରେ ମୋର ମୁଣ୍ଡ ଥାପିବାର ସ୍ଥାନ ନାହିଁ । ଗୁଞ୍ଜି ହୋଇ ରହିବା ତ ଦୂରର କଥା, ଏପରି କି ସେ ସ୍ଥାନର ରେଣୁ ବା ଧୂଳି ମୁଠାକ ମଧ୍ୟ ମୋର ନୁହେଁ । ସେ ଅଧିକାରରୁ ମୁଁ ବଞ୍ଚିତ । କାହାକୁ କହିବି, କପାଳରେ ସିନା କର ମାରିବି ! କପାଳ ଲିଖନ କେ କରିବ ଆନ !

 

ମନ ଖରାପ ହେଲେ କିମ୍ୱା ମନରେ ଦୌର୍ବଲ୍ୟ ଦେଖାଦେଲେ ମନକୁ ଏଣୁ ତେଣୁ ବହୁ ପ୍ରକାର ଆଶ୍ୱାସନା–ପ୍ରବୋଧନା–ସାନ୍ତ୍ୱନା ଦିଏ । କେତେ ବୁଝାଏ–କେତେ କେତେ ମଧୁର ବାଣୀ ଶୁଣାଏ । କିନ୍ତୁ ସେହି ସମସ୍ତ ଆଶ୍ୱାସନା ପ୍ରଭୃତି ମୂଳରେ ନିଜର ଅଦୃଷ୍ଟକୁ ଦୋଷ ନ ଦେଇ ଛାଡ଼େ ନାହିଁ । ମନ ଏମିତି ହୁଏ ଅଦୃଷ୍ଟ ଜିନିଷଟା ଆଖି ଆଗରେ ପଡ଼ିଲେ ଅଶୀ ଧରି ତାକୁ ଦ୍ୱିଖଣ୍ଡ କରି ଦିଅନ୍ତି । ସେହିଠାରେ ତାର ବିଲୟ ହୁଅନ୍ତା । ପୁଣି ରକ୍ଷଣରେ ମନେ ପଡ଼େ ବିଧାତାର ଲେଖାକୁ କେହି ଖଣ୍ଡନ କରି ନ ପାରେ । ପୂର୍ବଜନ୍ମ ବୋଲି ହିନ୍ଦୁ ଶାସ୍ତ୍ରରେ କେତେ କେତେ ଲେଖା ନ ରହିଛି ! ତାହାକି ମିଛ ପାଲଟିଯିବ ! ସେହି ପୂର୍ବଜନ୍ମର କର୍ମଫଳ ପ୍ରତ୍ୟେକଙ୍କୁ ଏ ଜନ୍ମରେ ଭୋଗିବାକୁ ପଡ଼ିବ । ତାହା ହେବହିଁ ହେବ । ପୂର୍ବ ଜନ୍ମର କର୍ମ ମାନବ ଯଦି ଜାଣି ପାରୁଥାନ୍ତା ତେବେ ଅବା ଟିକିଏ ସାବଧାନ ହୋଇ ଚଳୁଥାନ୍ତା । ମାତ୍ର ସେତକତ ମନୁଷ୍ୟ ହାତରେ ନାହିଁ । ଅଛି ସେହି ଅନାଦି ପୁରୁଷଙ୍କ ମୁଠାରେ । ଏହିପରି ଭାବରେ ଶାନ୍ତି ଆଣିବା ପାଇଁ ମନକୁ କେତେ ନା କେତେ ବୁଝାଏ, ତାର ଠିକଣା ନାହିଁ । ମାତ୍ର ସେ କି ସହଜେ ବୁଝେ ! ଶତ ସହସ୍ର ଉପଦେଶରେ ମନକୁ ବାନ୍ଧି ରଖି ପାରେ ନାହିଁ । ପେଟ ଭିତରେ ଯେଉଁ ଅଗ୍ନିଶିଖା ଧୂ ଧୂ ହୋଇ ଜଳୁଅଛି, ତାହା କି ଏହିପରି ସହସ୍ର ସାନ୍ତ୍ୱନାର ଲିଭି ଯାଇପାରେ ! ଅସମ୍ଭବ ! ଅସମ୍ଭବରୁ ବଳି ଅସମ୍ଭବ !

 

ନାରୀର ହୃଦୟ କୋମଳ ଓ ଦୟାଭାବରେ ଗଢ଼ା । ସ୍ନେହ, ପ୍ରୀତି, କରୁଣା ଓ ମମତାର ପ୍ରସ୍ରବଣ । ସୁଧା, ଶାନ୍ତି, ଆଧାର ! ସେ ପୁରୁଷ ପରି ଶଠତା ଜାଣେ ନାହିଁ । ନିଷ୍ଠୁରତା କଣ ସେ ଜାଣେ ନାହିଁ । କିନ୍ତୁ ସେ ଯଦି ଲଜ୍ଜା, ଅପମାନ, ନିର୍ଯ୍ୟାତନା ଓ ନିଷ୍ଠୁରତା ଲାଭ କରେ, ସେ ଯଦି ପର–ପଦ–ଦଳିତା ହୁଏ, ତାର ଦୁଃଖ ନିର୍ଯ୍ୟାତନାର ସୀମା ଆଉ ରହେ ନାହିଁ । ସେ ଚାଲେ ଆତ୍ମହତ୍ୟା କରିବାକୁ । ଆତ୍ମହତ୍ୟା ଛଡ଼ା ସେ ଅନ୍ୟ କୌଣସି ଉପାୟ ଖୋଜି ପାଏ ନାହିଁ । ସତେ ଯେପରି ତା ଚକ୍ଷୁରୁ କଳା ଡୋଳାର ଜ୍ୟୋତି ଆଉ ବିକୀରଣ କରି ପାରେ ନାହିଁ । ଘୃଣା, ତାଚ୍ଛଲ୍ୟ, ବେଦନାରେ ଅନ୍ତର ଭରି ଯାଏ ।

 

ମୋର ସବୁ ଅଛି—ଅଥଚ କିଛି ନାହିଁ । ଏହାଠାରୁ ବଳି ମର୍ମ–ବେଦନା ଆଉ କ’ଣ ଥାଇପାରେ ? ଛଅଟା ମାସ ଆଗେ ମୋର ସବୁ ଥିଲା । ସେତେବେଳେ ମୋ ଦେହରେ ଧୂଳି ଟିକିଏ ହେଲେ ଲାଗୁ ନ ଥିଲା । ମୁଁ ଜଣେ ଉଚ୍ଚ ବଂଶର ବୋହୂ ବୋଲି ମୋତେ କିଏ ଖାତିରି ନ କରୁଥିଲା ! ଆଜି ମୋର ଏ ହୀନ ଦଶା । ହାୟ ! ଭାଗ୍ୟର କି ବିପର୍ଯୟ ! ଏହି ଛଅ ମାସ ଭିତରେ ମୋ ଜୀବନ–ସମୁଦ୍ରରେ କେତେ କେତେ ଲହରୀର ଘାତ ପ୍ରତିଘାତ ବାଜି ଉଠିଛି । ମୋ ବକ୍ଷରେ କେତେ ତରଣୀ ବୋହି ଯାଇଛି । ମୁଁ ଅକାତରେ ବୁକୁ ପାତି ରହିଛି । ମୋର ସମସ୍ତେ ରହି ଆଜି ଏହି କରୁଣ ଦୃଶ୍ୟ ଦେଖି ପାରୁଛନ୍ତି । କିନ୍ତୁ କାହାରି ଟିକିଏ ନାହିଁ ସହାନୁଭୂତି କି ସାନ୍ତ୍ୱନା ବାଣୀ ! ମୁଁ ଦେଖିପାରୁଛି ମୋର ସମସ୍ତେ ବଞ୍ଚି ଅଛନ୍ତି–ଅଥଚ ମୋ ପକ୍ଷରେ ସମସ୍ତ ଥାଇ ନ ଥିଲା ପରି । ଗୃହ ଜଞ୍ଜାଳରେ ବ୍ୟସ୍ତ ।

 

ମୁଁ ବାପଘର କିମ୍ୱା ଶ୍ୱଶୁର ଘର କାହାରି ପରିଚୟ ଦେବିନାହିଁ । ଦେବି ବା କାହିଁକି ! ସେଥିରେ ବା ଲାଭ କଣ ? ବରଂ କ୍ଷତି ଅଛି । ସେ ପରିଚୟ ଦେବାର ଅଧିକାର ମୋ ହାତରେ ନାହିଁ । ମୋ ପାଇଁ ସେମାନେ ଯେଉଁ କଳଙ୍କ ପସରା ବହନ କରି ଅଛନ୍ତି ଏବଂ ଯେଉଁ ସକାଶେ ଦଶଜଣଙ୍କ ଆଗେ ସେମାନେ ସିଧା ହୋଇ ଚାଲି ପାରୁ ନାହାନ୍ତି, ସେତିକି ହେଲେ ଯଥେଷ୍ଟ । ପରିଚୟ ଦେଇ ସେମାନଙ୍କ କଳଙ୍କ ପସରା ଗୁରୁତର କରିବାରେ ମୁଁ ପକ୍ଷପାତୀ ନୁହେଁ । ମୁଁ କାହାରି ନାମ ଗନ୍ଧ କହିବି ନାହିଁ । ଗ୍ରାମ କିମ୍ୱା ଜିଲାର ନାମ ସୁଦ୍ଧା କହିବି ନାହିଁ । ଏପରି କି ମୋ ନିଜର କାମ ପର୍ଯ୍ୟନ୍ତ ଲୁଚାଇ ରଖିବି । ପିତା ମାତା ଅତି ସୁଆଗରେ ଯେଉଁ ନାମ ଧରି ଡାକୁଥିଲେ, ହୃଦୟ ସର୍ବସ୍ୱ ପତି ଆବେଗଭରା ହୃଦୟରେ ଯେଉଁ ନାମ ଧରି ମୋତେ ସମ୍ବୋଧନ କରୁଥିଲେ ଓ ଯେଉଁ ନାମ ଉଚ୍ଚାରଣ କରି ତାଙ୍କର ପିପାସା ମେଣ୍ଟୁ ନ ଥିଲା, ସେ ନାମରେ କି ମୋର ବର୍ତ୍ତମାନ ଅଧିକାର ଅଛି ? ଯେଉଁଦିନ ଗୃହରୁ ବିତାଡ଼ିତ ହେଲି, ସେହି ଦିନଠାରୁ ଏକାବେଳକେ ବିସର୍ଜନ କରି ଦେଇଛି ।

 

ମୋର ପିତା ବର୍ତ୍ତମାନ ବାର୍ଦ୍ଧକ୍ୟରେ ପଦାର୍ପଣ କରୁଛନ୍ତି । କିନ୍ତୁ ସେ ଏହି ବୃଦ୍ଧ ବୟସରେ ଉଦର ଜ୍ଜ୍ୱାଳାରେ ଜଣେ ଜମିଦାରଙ୍କ ଅଧୀନରେ ଗୁମାସ୍ତାଗିରି କରନ୍ତି । ମୁଁ ବଡ଼, ମୋ ତଳଭାଇ ଷ୍ଟେସନରେ କାମ କରନ୍ତି । ସବା ସାନ ଭାଇ ମାଇନର ପଢ଼ୁଅଛି । ପରିବାରରେ ସମସ୍ତେ ଶିକ୍ଷିତ । ମୁଁ ମଧ୍ୟ ଲେଖାପଢ଼ା ସାମାନ୍ୟ ଶିଖିଛି । ଶ୍ୱଶୁର ଜଣେ ବଡ଼ ଜମିଦାର । ସ୍ୱାମୀ, ଶ୍ୱଶୁର ଉଭୟେ ଜମିଦାରୀ ବୁଝା ସୁଝା କରନ୍ତି । ସ୍ୱାମୀ ଶିକ୍ଷିତ । ବି. ଏ. ପାସ୍‍ କରିଛନ୍ତି । ତାଙ୍କଠାରେ ସମସ୍ତ ଗୁଣ ପୂରି ରହିଥିଲା । ଏପରି ଗୁଣବାନ ପୁରୁଷଙ୍କୁ ଛାଡ଼ି ମୁଁ ଆସିଛି । ତାଙ୍କର ପରିଚାରିକା ହେବାର ଅଧିକାରରୁ ମଧ୍ୟ ମୁଁ ବଞ୍ଚିତା । ଏହାଠାରୁ ବଳି ଦୁଃଖ, ଏହାଠାରୁ ବଳି ବେଦନା, ଏହାଠାରୁ ବଳି ମର୍ମ ବେଦନା, ଗଭୀର ଯନ୍ତ୍ରଣା, ଅଶାନ୍ତି ଆଉ ଏ ଜଗତରେ କଣ ଅଛି ମୁଁ ଜାଣେ ନାହିଁ । ଏ ଦୁଃଖ କାହାଣୀ ବର୍ଣ୍ଣନା କରିବାକୁ ଗଲାବେଳେ ହୃଦୟ ଅତୀବ ଦୁଃଖ, ଅନୁଶୋଚନାର ଛାୟାରେ ଅଭିଭୂତ ହୋଇଯାଏ । ମୁଁ କ୍ଷଣକାଳ ପାଇଁ ଆତ୍ମହରା ହୋଇଯାଏ । ଦୁଃଖ କାହାଣୀ ବର୍ଣ୍ଣନା କରିବାରେ ଧୈର୍ଯ୍ୟହରାଇ ବସେ । ହେ ଦୟାମୟ ହରି, ହେ ଦୟାନିଧି ! କରୁଣା ବାରିଧି, ହେ ଅନ୍ତର୍ଯ୍ୟାମୀ–ପୁରୁଷ ପ୍ରବର–ଆଜି ତୁମ୍ଭଙ୍କୁ କହୁଛି–ତୁମ୍ଭୁଙ୍କୁ ସାକ୍ଷୀରଖି ଆଜିଯାଏ ଚାଲିଛି । ସେହି ପୁଣ୍ୟ–ସତୀତ୍ୱ ବଳରେ ମୁଁ ଦଣ୍ଡାୟମାନା । ସେହି ପବିତ୍ର ଯଶୋଧାରାରେ ମୁଁ ଆଜି ତେଜିୟାନ । ସେହି ଅପାର୍ଥବ ମହିମା ଗର୍ବରେ ଆଜି ଗରବଣୀ ! ପ୍ରଭୁ, ପ୍ରଭୁ,–ଦିଅ ଦେଖା ! ସତେକି ମୁଁ ତବ କରୁଣାରୁ ବଞ୍ଚିତା ! ଯଦି ତା ହୁଏ ତେବେ ମୁଁ ଏ ହୀନ, ଦୁର୍ବଳ, ଅସାର ଜୀବନ ଘେନି କେତେ ଅଶ୍ରୁ ବୁହାଇବି ନେତ୍ରୁଁ ! କେତେ ନିର୍ଯ୍ୟାତନା କିପରି ସହିବି ପ୍ରଭୂ ! କେତେ ଦିନ କେତେ କାଳ ଆଉ !

 

ଶ୍ୱଶୁରଙ୍କର ତ ବହୁ ଜମି ଜମା, ମକଦମୀ ଅଛି । ଅବସ୍ଥା ଖୁବ୍‍ ଭଲ । କାରଣ ଶ୍ୱଶୁରେ ମହା କୌଶଳୀ । କିପରି ଉପାୟରେ ଦୁଇ ପଇସା ଆସି ଟ୍ରଙ୍କ ବାକ୍‍ସ ଭରତି ହେବ, ତାହା ତାଙ୍କୁ ଭଲରୂପେ ଜଣା । ଏ କଥା ତାଙ୍କୁ ଖଡ଼ି ଧରାଇ ଶିଖାଇବାକୁ ହେବ ନାହିଁ । କାହାକୁ କିପରି କଅଁଳିଆ ମଧୁର କଥା କହି ମନ ଭୁଲାଇବାକୁ ହୁଏ, ତାହା ତାଙ୍କୁ ଭଲ ଜଣା ! ଗୁରୁ ନିନ୍ଦା ନର୍କେ ଯାନ୍ତି–ବିପ୍ର ନିନ୍ଦା କୁଳ କ୍ଷୟ । ଏ ମହାପାପ ମୁଁ ଜାଣିଶୁଣି କହୁଛି । ପର ଧନରେ ଘର ଉନ୍ନତି କରିବା କଥା ତାଙ୍କୁ ଭଲ ଜଣା ଥିଲା । କିନ୍ତୁ ଏ ଗୁଡ଼ାକ ମୋର ସ୍ୱାମୀ କଦାପି ଅନୁମୋଦନ କରନ୍ତି ନାହିଁ । ସେ କ’ଣ କରିବେ, ତାଙ୍କ ହାତରେ ସେ ଅଧିକାର ନାହିଁ । ପିତାଙ୍କ ଇଚ୍ଛା ବିରୁଦ୍ଧରେ କାର୍ଯ୍ୟ କରିବାକୁ ତାଙ୍କର ପ୍ରାଣର ଭୟ । ସୁତରାଂ ପିତାଙ୍କର ବାଧ୍ୟତା ସ୍ୱୀକାର କରି ସବୁବେଳେ ଚଳନ୍ତି ।

 

ଶ୍ୱଶୁରଙ୍କ ଗ୍ରାମଠାରୁ ପାଞ୍ଚ ମାଇଲ ଅନ୍ତରରେ ଜଣେ ଧନୀ ଲୋକ ଥିଲେ । ବିଷୟବାଡ଼ି ମଧ୍ୟ ତାଙ୍କର ଯଥେଷ୍ଟ ଥିଲା । ବିଧିର ବିଧାନ ବିଚିତ୍ର । ଦିନେ କୌଣସି କାରଣରୁ ମୋର ଶ୍ୱଶୁରଙ୍କ ସହିତ ତାଙ୍କର ମନାନ୍ତର ଘଟିଲା । ଦୁହେଁ ପରସ୍ପରର କ୍ଷତି କରୁ କରୁ ଗଣ୍ଡଗୋଳ ପହଞ୍ଚିଲା । ଶେଷରେ ବଡ଼ ମକଦ୍ଦମା ଚାଲିଲା । କିନ୍ତୁ କଟକ ହାଇକୋର୍ଟରେ ମାନ୍ୟବର ଲିଙ୍ଗରାଜ ପାଣିଗ୍ରାହୀଙ୍କ ବିଚାରପତିତ୍ୱ ବଳରେ ଫଇସଲା ହୋଇଗଲା । ମୋର ଶ୍ୱଶୁର ଜୟଲାଭ କଲେ । ଅପରପକ୍ଷର ମନ ରାଗରେ ଜଳି ଯାଉଥାଏ । ସେ କୌଣସି ପ୍ରକାରେ ପ୍ରତିଶୋଧ ନେବା ଚେଷ୍ଟାରେ ଥାନ୍ତି । ଶ୍ୱଶୁରଙ୍କୁ ତଳିତକାନ୍ତ କରିବା ତାଙ୍କ ଜୀବନର ପଣ ହେଲା । ପଛକୁ ପଛ କେତେ କେତେ ପ୍ରକାରର ମକଦ୍ଦମା ସୃଷ୍ଟି ହେବାକୁ ଲାଗିଲା । କିନ୍ତୁ ସବୁ କ୍ଷେତ୍ରରେ ଶ୍ୱଶୁରେ ଜୟଲାଭ କରି ଆସୁଥାନ୍ତି ।

 

କଥାରେ ଅଛି, ରାଗହିଁ ପରମ ଚାଣ୍ଡାଳ । ସେ କି ଏତିକରେ ସମ୍ଭଳା ପଡ଼େ ? ବଡ଼ ମୁଣ୍ଡିଆ ଦୁଇଟା ଲଢ଼ାଇ କଲେ ଗୋଟିକର ମୁଣ୍ଡ ନ ଫାଟିଲା ଯାଏ କିଏ ତୁନି ପଡ଼େ ନାହିଁ । ସେ ଧନୀ ଲୋକ ଶେଷରେ ଅନ୍ୟ ଉପାୟ ନ ପାଇ ଗୋଟିଏ ଅମାନୁଷିକ କାର୍ଯ୍ୟରେ ହାତ ଦେଲା । ଦୁହେଁ ଦୁହିଁଙ୍କର ଜୀବନନେବା ଉପାୟରେ ରହିଲେ । ଦୁଇ ପକ୍ଷର ଗୋଇନ୍ଦା ପୁଲିସ ଭଳିଆ ଲୋକ ଜମି ରଖି ଚଳିଲେ । ଅପର ପକ୍ଷର ଷଡ଼ଯନ୍ତ୍ର ଏପରି ଭାବରେ ଚାଲିଲା ଯେ, ଆମ ପକ୍ଷର କାହାରି ଜାଣିବାର ଅବକାଶ ମିଳିଲା ନାହିଁ ।

 

ଦିନେ ମୋର ସ୍ୱାମୀ ଓ ଶ୍ୱଶୁରେ ଚାରି ପାଞ୍ଚଦିନ ପାଇଁ ଗୋଟିଏ ମକଦ୍ଦମାରେ ସାକ୍ଷୀ ଦେବାକୁ କଟକ ଯାଇଥିଲେ । ଆମ ଘରେ ରହିଲୁ ମାଇପି ଗୋଠେ ଓ ଅଳ୍ପ କେତେଜଣ ଚାକର । ସେଦିନ ଆମ ଘରେ ଆମେ ସମସ୍ତେ ଶୋଇଛୁ । ରାତି ଅଧ ହେବ । ନିଶାରାତି ଗରଜୁଛି । ଠିକ୍‍ ଏତିକି–ବେଳେ ଦଳେ ଡକାୟତ–କାହା ହାତରେ କଟୁରୀ, କାହା ହାତରେ ଠେଙ୍ଗା–କାହା ହାତରେ ଆଉ ଅନ୍ୟାନ୍ୟ ହାତ ହତିଆର–ଏହିପରି ଭାବରେ ଆସି ଆମ ଦୁଆର ମୁହଁରେ ଠିଆ । ସେମାନଙ୍କ ତୁଳନାରେ ଆମର ଜଗୁଆଳୀ ନ ଥିଲେ । ଯେଉଁ ଚାରି ଛଅ ଜଣ ଥିଲେ ସେମାନେ ପ୍ରାଣ ବିନିମୟେ ଯୁଦ୍ଧ କଲେ । ଶେଷରେ ପରାସ୍ତ ହୋଇ ଶଗଡ଼ ଦଉଡ଼ିରେ ବନ୍ଧା ହେଲେ । ତା ପରେ ଡକାୟତମାନେ ଘର ଭିତରେ ପଶିଲେ । ଏ ଗଣ୍ଡଗୋଳ ଶୁଣି ତେତେବେଳକୁ ମୋର ଓ ଶାଶୁଙ୍କର ନିଦ ଭାଙ୍ଗି ଗଲାଣି । ଆମେ ପଳାଇ ଯିବାର ଉପାୟ ଆଉ ପାଇଲୁ ନାହିଁ ।

 

ଆମେ ଯେଉଁଘରେ ଥିଲୁ ସେହି ଘର ନିକଟରେ ଗୋଟିଏ ଭଙ୍ଗାଘର ଥିଲା । ସେଠାରେ ବହୁତ କାଠ ଜମା ରହିଥିଲା । ଆମେ ଦୁହେଁ ଜୀବନ ବିକଳରେ ସେହି ଘରକୁ ପଳାଇ ଗଲୁ । ଆମର ଦେହ ଗୋଟାଯାକ ସେତେବେଳେ ଭୟରେ ଥରହର ହେଉଥାଏ । ଚାହୁଁ ଚାହୁଁ ସେମାନେ କବାଟ ଭାଙ୍ଗି ସ୍ତ୍ରୀ ମହଲ ଆଡ଼କୁ ଧାଇଁଲେ । ଯେଁଉ ଘରେ ମାଲମତା ଥିଲା ସେ ଘରେ କେତେକ ପଶି ବାକ୍‍ସ ସିନ୍ଦୁକ, ଆଲମାରି ଭାଙ୍ଗି ଯାହା ପାଇଲେ ସେତକ ଧରିଲେ । ତତ୍ପରେ ଆମକୁ ଖୋଜିବାକୁ ଲାଗିଲେ । ଆମେ ସେହି ଭଙ୍ଗା ଘର ଭିତରେ ଥାଇ ଦେଖୁ ଥାଉଁ । ସେମାନେ ଟର୍ଚ୍ଚ ଲାଇଟ୍‍ ଏ ଘରକୁ ସେ ଘର, ସେ ଘରକୁ ଏ ଘର ପକାଇ ଏହିପରି ଦୌଡ଼ା ଦୌଡ଼ି ସେମାନେ କରୁଥାନ୍ତି । ଆମକୁ ନ ପାଇ ଫେରି ଯାଉଥିବାବେଳେ ସେମାନଙ୍କ ଭିତରୁ ଜଣେ କହିଲା–ଆରେ ଭାଇ, ଏ ଖଣ୍ଡିଆ ଘର ଭିତରେ ନାହାନ୍ତି ତ ?

 

ସେତେବେଳକୁ ଆମ ଛାତି ଦାଉଁ ଦାଉଁ ପଡ଼ିଲାଣି । ହାଣିଲେ ରକତ ଟୋପାଏ ବାହାରିବ ନାହିଁ । ସେ ଲୋକଟି ଟର୍ଚ୍ଚରେ ଆମକୁ ଦେଖିପାରି ଚିତ୍କାର କଲା । ସମସ୍ତେ ଆସି ରୁଣ୍ଡ ହେଲେ । ଏଥର ବିପଦ ଆମର ଷୋଳ ପଣ । ବେଶୀ ହେବ ପଛେ କମ୍‍ ନୁହେଁ । ଆମେ ଭୟରେ ଥରି ଥରି ମଶାଟି ପରି କାନ୍ଥକୁ ଆଉଜି ଗଲୁଣି । ମୁଁ ଜକଟ ମକଟ କରି ଶାଶୁଙ୍କ ହାତକୁ ଧରିଥାଏ । ସେତେବେଳେ ଦିଅଁ ଦେବତାଙ୍କର ନାମ ଯେ ଧରିଛି କହି ହେଉ ନାହିଁ । ‘‘ଈଶ୍ୱର ଭରସା’’ ପେଟ ଭିତରେ ଘୋଷି ହେଉ ଥାଉ । ଶାଶୁ ଆମର ଜୀବନ ଛଡ଼ା ଆଉ ଯାହା ଅଛି ନିଅ ବୋଲି କହିଲେ ।

ଉତ୍ତର ଆସିଲା–ଭୟ କର ନାହିଁ ଆମେ କିଛି କରିବୁ ନାହିଁ ।

ମୋତେ ହଠାତ୍‍ ବାନ୍ଧି ପକାଇଲେ । ଛାଡ଼ନି ଦେବା ପାଇଁ ବହୁତ କାକୁତି ମିନତି କଲି; ପାଷାଣ ହେଲେ ବି ତରଳିବ । କିନ୍ତୁ ଡକାୟତଙ୍କ ହୃଦୟ ପାଷାଣ ଠାରୁ ବଳି କଠୋର । ମୋତେ ଘର ଭିତରୁ ବାହାର କରି ଆଣିଲା ବେଳେ ମୁଁ ଚାହିଁଛି ଶାଶୁ ଭୂଇଁରେ ପଡ଼ିଗଲେ । ତେତେ ବେଳେ ମୋର ଚେତନା ଏକାବେଳତେ ଲୁପ୍ତ ହୋଇ ନ ଥିଲା । ବନ୍ଧନରୁ ମୁକ୍ତି ଲାଭ କରିବା ପାଇଁ ମୁଁ ମୋର ସମସ୍ତ ଶକ୍ତି ପ୍ରୟୋଗ କରି ଚିତ୍କାର ଉପରେ ଚିତ୍କାର କଲି । ସବୁ ବୃଥାହେଲା । ଚିତ୍କାର ଦ୍ୱାରା ଫଳ ହେଲା ନାହିଁ । ବରଂ ଲୁଗାରେ ଏକାବେଳକେ ମୁଖ ବନ୍ଦ ।

ମୁଁ ସଜ୍ଞାହୀନ ହେଲି । ପାହାନ୍ତିଆ ପବନ ସୁଲୁ ସୁଲୁ ହୋଇ ବହିବାରୁ ମୋର ସଜ୍ଞା–ବା–ଚେତନା ଫେରି ଆସିଲା । ମୁଁ ଦେଖିଲି, ଆମ ଗ୍ରାମଠାରୁ ବହୁତ ଦୂରରେ । ନିକଟରେ କେହି ନାହିଁ । ଯୁଆଡ଼େ ଚାହିଁବ ଧାନ କିଆରୀ । ରାତି ପାହି ଆସୁଥିଲା । ଭାବି ଭାବି କିଛି ସ୍ଥିର କରି ପାରିଲି ନାହିଁ । ମନେ ହେଲା ସତେ ଯେପରି ପର୍ବତଟା ମୋ ଉପରେ ଅଜାଡ଼ି ହୋଇ ପଡ଼ିଛି । ମୁଣ୍ଡରେ ବଜ୍ର ପଡ଼ିଲା ପରି ଅନୁଭବ କଲି ।

ଶରୀରରେ ଭୟଙ୍କର ବେଦନା ଅନୁଭୂତ ହେଉ ଥାଏ । ମୁଁ ସେହିଠାରେ ଆଖି ବୁଜି ପୁଣି ଶୋଇ ପଡ଼ିଲି । ବାର ଆଡୁ ବାର କଥା ଆସି ମନେ ପଡ଼ିଲା । ଗତ ରାତ୍ରିର ଘଟନା ମୋ ଆଖି ଆଗରେ ଆସି ନାଚି ଗଲା । କିନ୍ତୁ କିଛି ଠିକ୍‍ କରି ପାରିଲି ନାହିଁ । ଘୋରଣା ଚକି ପରି ମୋର ମୁଣ୍ଡଟା ବୁଲାଇ ହୋଇ ଯାଉଥାଏ । ଚକ୍ଷୁ ଦୁଇଟିରୁ ଅଶ୍ରୁ ଧାର ଧାର ହୋଇ ବହି ଯାଉଥାଏ । ମୁଁ ଭାବେ, ମୁଁ ତ କେତେ କାନ୍ଦିଛି, କାହିଁ ! ଏପରି କାନ୍ଦ ତ ଦିନେ ହେଲେ କାନ୍ଦି ନାହିଁ । ଏ ଅଶ୍ରୁ ଖାଲି ଅଶ୍ରୁ ନୁହେଁ ତ–ଏ ଯେପରି ରକ୍ତ ମିଶ୍ରିତ ଅଶ୍ରୁ । ମୋ ଶରୀରର ରକ୍ତ ସୁଅ ଯେପରି ଚକ୍ଷୁ ଭିତର ଦେଇ ବାହାରି ଆସୁଛି । ମୁଁ ତାହାପରେ ଯାହା ଅନୁଭବ କଲି ଆଉ କହି ପାରିବି ନାହିଁ । ସେହି ଅନ୍ତର୍ଯ୍ୟାମୀ–ନିରାକାର–ପରମେଶ୍ୱର ସବୁ ଜାଣନ୍ତି । ସେହି ମୋର ସାକ୍ଷୀ । ଉଠି ବସିବାକୁ କେତେ ଚେଷ୍ଟା କଲି ମାତ୍ର ପାରିଲି ନାହିଁ । ମନେ ହେଲା ଅଣ୍ଟାରେ ଯେପରି ଦଶ ବାର ମହଣର ପଥରଟାଏ ବୋଝାଇ ହୋଇଛି । ମୋର ଅବୟବ ନିସ୍ତେଜ ହୋଇ ଯାଇଛି । ପ୍ରବଳ ପିପାସା ହେଉଥାଏ ? ଜଳ ବା ନିକଟରେ କାହୁଁ ପାଇବି ? ପାଇଲେ ଚାଲି କରି ଯିବି କିପରି । ପାଟି ଫିଟାଇବାର ଶକ୍ତି ନ ଥିଲା । ମୋତେ ସବୁ ଆଡ଼ ଅନ୍ଧାର ଦେଖାଗଲା । ମୁଁ ପୁଣି ଅଚେତା ହୋଇ ପଡ଼ିଲି ।

ମୋର ପୁନର୍ବାର ଚେତନା ଫେରି ଆସିଲା କାହିଁକି ? ମୁଁ ଶେଷ ପାଇଯାଇଥିଲେ ଆଜି ଏ କଳଙ୍କ ପସରା ମୁଣ୍ଡାଇ ବୁଲନ୍ତି ବା କାହିଁକି ? ଜାଣେ ନାହିଁ ଭାଗ୍ୟର ଗତି କେତେବେଳେ କଣ-? ଜାଣେ ନାହିଁ ଏ ଅଭାଗିନୀର ଲୁପ୍ତ ଚୈତନ୍ୟ ପୁଣି ଫେରି ଆସିଲା କାହିଁକି ? ହେ ଭଗବାନ-!

 

ମୋର ଦୁଃଖ ଦେଖି ମୋ ପାଦତଳେ ଯେଉଁ ସ୍ତ୍ରୀ ଲୋକଟି ବସିଥିଲା ସେ ହଠାତ୍‍ ଉଠି ଆସି ମୋ କାନ ପାଖରେ ବସିଲା–କଣ କହୁଛୁ ଲୋ ମାଆ ! ମୋ ବାଇଆଣିଟି ପରା–କାନ୍ଦନା; ଦେଖ ଭଲ ହୋଇ ଯିବ ଯେ । କଣ କହିବି, ମୋର ସେତେବେଳର ଅନୁରାଗ ସେହି ବୃଦ୍ଧା ପ୍ରତି । ସେ ତ ମାନବୀ ବୋଲି ମୋତେ ବୋଧ ହେଲା ନାହିଁ । ସ୍ୱର୍ଗର ଦେବୀ । ମୁଁ କହିଲି–ମାଆ ଅସହ୍ୟ ଯନ୍ତ୍ରଣା । ଆଉ ସହି ପାରିବି ନାହିଁ । ମରିଯିବି, ମରିଯିବି । ପାଣି ମୁନ୍ଦେ ଦେବୁ ନାହିଁ ମାଆ !

 

ସ୍ତ୍ରୀ ଲୋକଟି ପାଣି ପାଇଁ ଚାଲିଗଲା । ମୁଁ ଟିକିଏ ମୁଣ୍ଡ ଟେକି ଦେଖିଲି ଘର ଭିତରେ ଆଉ କେହି ନାହାନ୍ତି–ମୁଁ ବର୍ତ୍ତମାନ କେଉଁଠାରେ ! କାହିଁକି ଆସିଲି ! କିଏ ଆଣିଲା ! ଏହିପରି ଭାବୁ ଭାବୁ ମୁଣ୍ଡ ବୁଲାଇ ହୋଇଗଲା । ମୁଁ ଫେର୍‍ ଶୋଇ ପଡ଼ିଲି । ଆଖି ପତା ବୁଜିଛି କି ନ ବୁଜିଛି ଏତିକିବେଳେ ମୋ ପଛ ଆଡ଼ୁ ଜଣେ ବାବୁ ଗୋଟିଏ ଶିଶି ଓ ଆଉ କେତେକ ତୁଳା ବ୍ୟାଣ୍ଡେଜ୍‍ ହାତରେ ଧରି ପହଞ୍ଚିଲେ । ଅପରିଚିତ ଭଦ୍ରଲୋକଙ୍କୁ ସମ୍ମୁଖରେ ଦେଖି ମୋର ଲଜ୍ଜା ଆସିଲା । ମୁଁ ଲୁଗାକାନିଟା ଟାଣି ଆଣି ମୁହଁଟାକୁ ଘୋଡ଼ାଇ ଦେଲି । ଭଦ୍ରବ୍ୟକ୍ତି ମୋର ମୁଖାବଗୁଣ୍ଠନ ଦେଖି କହିଲେ, ମାଆ ମୁଖ ଘୋଡ଼େଇବା କିଛି ଆବଶ୍ୟକ ନାହିଁ । ତୁମର ଚୈତନ୍ୟ ଲୋପର ଉପକ୍ରମ ଦେଖି ମୋର ସମସ୍ତ ଚେଷ୍ଟା ବୃଥା ହୋଇଥିଲା । ଭାଗ୍ୟକୁ ଚୈତନ୍ୟ ଉଦୟ ହୋଇଛି । ଏହା ମୋର ଗତ ଦୁଇ ଦିନର କଠିନ ପରିଶ୍ରମର ଫଳ ।

 

ମୁଁ ଶୁଣି ଆବାକାବା ହୋଇଗଲି । ଆଖିରୁ ପୂର୍ବପରି ଅଶ୍ରୁ ବହିବାକୁ ଲାଗିଲା । ଅଶ୍ରୁ ପରି ଜିନିଷ କାହୁଁ ମିଳିବ । ଅଶ୍ରୁ ଆସେ ଦୁଃଖର ଭାର ଲଘୁ କରିବା ପାଇଁ । ମୁଁ ଯେତେବେଳେ ଶୁଣିଲି ସେ ଭଦ୍ରବ୍ୟକ୍ତି ମୋର ଜୀବନ ଆଣିବାକୁ ପାରୁପର୍ଯ୍ୟନ୍ତ ଉଦ୍ୟମ କରୁଛନ୍ତି, ସେତେବେଳେ ଆପେ ମୋ ଆଖିରୁ ଅଶ୍ରୁ ଆସିବାର କଥା । ମୁଁ କାନ୍ଦି କାନ୍ଦି ବାବୁଙ୍କୁ କହିଲି, ଆପଣ ଆଉ ଚେଷ୍ଟା କରନ୍ତୁନା–ମୁଁ ମରିଯିବା ଭଲ । ମୁଁ ମୃତ୍ୟୁ ଚାହେଁ । ବଡ଼ ଯନ୍ତ୍ରଣା, ବଡ଼ କଷ୍ଟ–ବଡ଼ ଅସହ୍ୟ । ଭଗବାନ୍‍ ! ମୃତ୍ୟୁ ଦିଅ ! କାହିଁ ଅଛ ମୃତ୍ୟୁ ! ମୋତେ ଆଲିଙ୍ଗନ କରିବ ନାହିଁ, ମୋତେ ସ୍ୱର୍ଗର ଅମୀୟ ମାଧୁରୀ ବାରେ ହେଲେ ପିଆଇବ ନାହିଁ । ମୃତ୍ୟୁ, ମୃତ୍ୟୁ, ମୃତ୍ୟୁ !!!

 

କିଛି ଭୟ କର ନାହିଁ–ଭଦ୍ରବ୍ୟକ୍ତି କହିଲେ । ଦୁଇଦିନ ଭିତରେ ଭଲ ହୋଇଯିବ । ମୋତେ ଏ ସବୁ ପରି ରାଇଜର କଥା ଭଳିଆ ଲାଗିଲା । ମୁଁ ଭଦ୍ରବ୍ୟକ୍ତିଙ୍କୁ ପଚାରିଲି–ଡାକ୍ତରବାବୁ, ବର୍ତ୍ତମାନ ମୁଁ କେଉଁଠାରେ ! ମୋର ପିତା–ମାତା–ସ୍ୱାମୀ–ଶ୍ୱଶୁର–ଭାଇ ଭଉଣୀ ଏମାନେ କାହାନ୍ତି-? ମୁଁ କାହାକୁ ଦେଖିବାକୁ ପାଉ ନାହିଁ । ସେମାନେ ତେବେ ଗଲେ କୁଆଡ଼େ ? ଓଃ, ମୁଁ ତେବେ କେଉଁଠି ? ମୁଁ ଏ ଖଟ ଉପରେ ଦିନରେ ଶୋଇଛି କାହିଁକି ?

 

ଡାକ୍ତର ବାବୁ ଶୁଣି କଥା ନ କହିବା ପାଇଁ ମୋତେ କହିଲେ । ସେ ବାରମ୍ୱାର ହାତ ଯୋଡ଼ି କହୁଥାନ୍ତି ମାଆ ! ତୁମେ ଭଲରେ ଅଛ । ଏ ପରା ଦାତବ୍ୟ ଚିକିତ୍ସାଳୟ । ତୁମେ ଏପରି ଅଧୀର ହେଉଛ କାହିଁକି ? କାଲି ପରି ଦେହ ଭଲ ହୋଇଯିବ–ଘରକୁ ଫେରିଯିବ ।

 

ମୁଁ ଅଧୀର ହୋଇ ପଚାରିଲି–ଡାକ୍ତରବାବୁ; ମୋତେ ଆଉ କେତେ ଦିନ ଏଠାରେ ପଡ଼ି ରହିବାକୁ ହେବ ? ବେଶୀ ନୁହେଁ–ଦଶ କି ବାର ଦିନ ମାତ୍ର । ମକଦ୍ଦମା ଯେତେ ଶୀଘ୍ର ଫଇସଲା ହୋଇଯିବ ତେତେ ଶୀଘ୍ର ତୁମେ ଏଠାରୁ ମୁକ୍ତି ପାଇବ ।

 

ମୁଁ ଏକାବେଳେକେ ତଟସ୍ଥ–ମକଦ୍ଦମା । ମକଦ୍ଦମା କାହିଁକି ଡାକ୍ତର ବାବୁ ? ତୁମ୍ଭର କିଛି ଭୟକରିବାର ନାହିଁ । ତୁମେ ସେ ସବୁ ଭାବି ଦେହ ଓ ମନକୁ ଖରାପ କର ନାହିଁ । ତୁମ୍ଭ ଦେହ ଶୀଘ୍ର ଭଲ ହୋଇଯିବ । ମୁଁ ଖୁବ୍‍ ଭଲ ଔଷଧ ଦେଇଛି । ତୁମ୍ଭେ ଆଉ ପାଟି ଫିଟାଅ ନାହିଁ । ଚୁପ୍‍ମାରି ଶୋଇ ପଡ଼ ।

 

ଡାକ୍ତର ବାବୁ ମୋ ନିକଟରୁ ଚାଲିଯିବା ପରେ ମୁଁ ବୁଝିପାରିଲି, ମୋର ନିଜର ହୋଇ କେହି ନାହାନ୍ତି । ଯଦି ମୋର ଶାଶୁ–ଶ୍ୱଶୁର, ପିତା–ମାତା ଓ ପତି ଦେବତା ଥାନ୍ତେ ତେବେ ସେମାନଙ୍କ ଅନ୍ତର କି ମୋତେ ଦେଖିବା ପାଇଁ କାନ୍ଦିଉଠନ୍ତା ନାହିଁ । ବୁଝିଲି ମୋର କେହି ନାହାନ୍ତି । ମୋର ବନ୍ଧୁବର୍ଗ ମୋତେ କେହି ଘରକୁ ନେବାକୁ ଇଚ୍ଛା କରୁ ନାହାନ୍ତି । ବୁଝିଛି, ଏ ମକଦ୍ଦମାର କାରଣ ଆମ ଘରେ ଯେଉଁ ଭୀଷଣ ଡକାୟତି ହୋଇ ସର୍ବନାଶ ହେଲା ଓ ଯେଉଁ ହେତୁ ମୋର ଦଶା ଆଜି ମରଣା ପନ୍ନ, ମୁଁ ବର୍ତ୍ତମାନ ଏହି ଡାକ୍ତରଖାନାରେ ରହିଅଛି, ମଦ୍ଦକମା ନ ସରିଲେ ମୋତେ କିଏ ନ ଛାଡ଼େ । ଭଗବାନ ଜାଣନ୍ତି କେବେ ଏହାର ପରିଣତି । ଓଃ, ହେ ଭଗବାନ୍‍, ମୋର ଜୀବନର ଦୁଃଖ ନିର୍ଯ୍ୟାତନା କେଉଁଠାରେ ସମାପ୍ତି !

 

ଟିକିଏ ଯାଇଛି, ଭାବିଲି–ଆତ୍ମହତ୍ୟା କଲେ କିପରି ହୁଅନ୍ତା ! କଚେରି ଭିତରେ ମୋତେ ଠିଆ ହେବାକୁ ପଡ଼ିବ ! ତା ଅପେକ୍ଷା କୁଳବଧୂ ପକ୍ଷରେ ମୃତ୍ୟୁ ଆଲିଙ୍ଗନ କରିବା ଶ୍ରେୟସ୍କର ।

 

ମୋ ମନରେ ରାଗ ଆସିଲା । ସ୍ୱାମୀ ଶାଶୁ ଓ ଶ୍ୱଶୁରଙ୍କ ଉପରେ । ସେମାନଙ୍କର ଯଦି ମୋତେ ଘରେ ରଖିବାକୁ ଇଚ୍ଛା ନ ଥିଲା ତେବେ ତ ମୋତେ ଘରୁ ବାହାର କରି ଦେଇଥିଲେ ମୁଁ ଭିକ ମାଗି ମୋର ପେଟ ଚାଖଣ୍ଡକ ପୋଷି ହୋଇ ଥାନ୍ତି । କିନ୍ତୁ ମୋତେ ନେଇ ମୋକଦ୍ଦମା କରିବା ତାଙ୍କରି କି ଆବଶ୍ୟକ ଥିଲା ବୁଝି ହେଉ ନାହିଁ । ମୋର ଲଜ୍ଜା ଓ ଅପମାନର ଭାରକୁ ଆହୁରି ବୃଦ୍ଧି ଓ ପ୍ରସାର କରିବା ଛଡ଼ା ଆଉତ ମୁଁ କିଛି ଦେଖୁ ନାହିଁ । ରାଗ ତ ମୋର ହେବାର କଥା-। କିନ୍ତୁ କରେ କଣ ? ମୁଁ ଯେ ଉପାୟ ଶୂନ୍ୟ । ଏକ ସେହି ଆତ୍ମହତ୍ୟା ।

 

ଆତ୍ମହତ୍ୟା ଛଡ଼ା ଆଉ ଅନ୍ୟ ବାଟ ନାହିଁ । ପୁଣି ଭାବେ ଓଃ, ଆତ୍ମହତ୍ୟା ! ଅପମୃତ୍ୟୁ । କୌଣସି ବିବେକୀ ତାହା କରେ କି ! ତାହା କି ମୋ ଦ୍ୱାରା ଘଟିବ ! ତାହା ହେଲେ ମୋର ସ୍ୱାମୀ ମୋତେ କି ବୋଲି ଭାବିବେ । ଯେ ମୋର ଜୀବନ ସର୍ବସ୍ୱ, ଯାହାଙ୍କ ପାଦତଳେ ମୋର ଜୀବନ ନାଟିକା ଆବଦ୍ଧ ସେହି ପ୍ରାଣର ଆରାଧ୍ୟ ଦେବତାଙ୍କୁ ଶେଷ ବାଣୀ ନ ଶୁଣାଇ ଶେଷ ଦର୍ଶନ ନ ଦେଇ ମୋର ଏପରି କରିବା ତ ଠିକ୍‍ ହେବ ନାହିଁ ।

 

କଥାରେ ଅଛି ‘‘କଥା ମାଜିଲେ ମୋଟ’’–ମୁଁ ଆଉ ମୋଟା କରିବାକୁ ଚାହେଁ ନାହିଁ । ମୁଁ ଜୀବନରେ ଯେଉଁ ଦୁଃଖ ସହିଛି ତାହା କହି ବସିଲେ ରାତି ଅଣ୍ଟିବ ନାହିଁ । ମୋର ଦୁଃଖ କାହାଣୀ ଶୁଣିବାକୁ ଜଗତରେ କେହି ନାହିଁ । ଆହା ବୋଲି ପଦେ କିଏ କହିବ । ତେଣୁ କଥା ମାଜି–ଚିକ୍‍କଣ କରିବାରେ ଲାଭ ନାହିଁ ।

 

କ୍ରମେ ମୋର ଶରୀର ଭଲ ହେବାକୁ ଲାଗିଲା । କ୍ଷତ ସ୍ଥାନ ଶୁଷ୍କ ବୋଧ ହେଲା । ଅବୟବରେ ରକ୍ତର ସଂଚାର ହେଲା । ଦିନେ ମାଜିଷ୍ଟ୍ରେଟ୍‍ ସାହେବ ମୋ ନିକଟକୁ ଆସି ସେଠାରୁ ସମସ୍ତ ବିବରଣୀ ତାଙ୍କ ଡାଏରୀରେ, ଲେଖିନେଲେ । ମୁଁ ଯାହା ଜାଣିଥିଲି କହିଲି । ତାର ସପ୍ତାହକ ପରେ ମୋତେ କଚେରି ଯିବାକୁ ପଡ଼ିଲା । ମୋ ଯିବା ପାଇଁ ଗୋଟିଏ ସବାରୀ ବନ୍ଦୋବସ୍ତ ହୋଇଥିଲା । ମୁଁ ସେଥିରେ ବସି କଚେରି ଗଲି । ମୁଁ ବୁଝିଲି ଏହା ମୋ ପତି ମାଜିଷ୍ଟ୍ରେଟ୍‍ ସାହେବଙ୍କର ଦୟା । ମୁଁ ସବାରିରେ ରହି ମୋର ଯାହା କହିବାର କଥା ସବୁ ଗୋଟି ଗୋଟି କରି ସେଠାରେ କହିଗଲି ।

 

କପାଳ ମୋର ପୋଡ଼ା । ପୋଡ଼ିଗଲା ତିଅଣରେ ଆଉ ସୁଆଦ କାହିଁ ? ସେହି ପୋଡ଼ା କପାଳକୁ ଆଜିଯାଏ କେହି ହେଲେ ମୋତେ ଥରେ ଦେଖିବାକୁ ଆସିଲେ ନାହିଁ । ମୁଁ ଜୀବନରେ ଅଛି କି ମୃତ୍ୟୁ ମୁଖରେ ଗଲିଣି ଏକଥା ଜାଣିବା ପାଇଁ କାହାରି ଅନ୍ତର ବ୍ୟାକୁଳ ହେଲା ନାହିଁ । ଯଦି ଅପରାଧ କରିଥାନ୍ତି ତେବେ ବା ବ୍ୟାକୁଳ ହୋଇ ନ ଥାନ୍ତା....ମାତ୍ର ମୁଁ କି ଅପରାଧୀ !

 

ଜଳ, ଅଗ୍ନି, ବାୟୁ, ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ତାରା, ଆକାଶ, ପୃଥିବୀ ସମସ୍ତେ ମୋର ସାକ୍ଷୀ ଅଛନ୍ତି । ପଚାରିଲେ ଉତ୍ତର ଦେବେ । ମୁଁ ଅପରାଧୀ କି ନା । ଯେଉଁ କେତେଟା ଦିନ ସବାରୀରେ ବସି କଚେରି ଯାଇଥିଲି, ସେହି କେତେ ଦିନ ସବାରୀ ଦୁଆରେ ଫାଙ୍କବାଟେ ଯେତେଦୂର ଦେଖାଯାଇ ପାରେ ଚାରିଆଡ଼କୁ ଦୃଷ୍ଟି ପକାଇଥିଲି । ଶ୍ୱଶୁରଙ୍କ ଛଡ଼ା ଅନ୍ୟ କାହାକୁ ଦେଖି ନ ଥିଲି । କିନ୍ତୁ ଯାହାଙ୍କୁ ପାଇବା ଲାଗି ପ୍ରାଣ ଆକୁଳ ହୋଇ ଉଠୁଥାଏ, ତାଙ୍କୁ ଦେଖିବାକୁ ପାଇଲି ନାହିଁ । ମୁଁ ଭାବିଲି ସମ୍ଭବତଃ ସେ ମୋର ଏ ଦୃଶ୍ୟ ଦେଖିବାକୁ କଚେରିକୁ ଆସିବେ କାହିଁକି ?

 

ଦିନ ପରେ ଦିନ, ରାତି ପରେ ରାତି କଟିଲା । ସକାଳ ଯାଇ ସଂଜ ହେଲା । ସୂର୍ଯ୍ୟ ପୂର୍ବରୁ ଯାଇ ପଶ୍ଚିମରେ ଅସ୍ତ ହେଲେ । ପୁଣି ସକାଳ ହେଲେ ଠିକ୍‍ ସେମିତି ଚାଲେ । କେତେ ଆଲୋକ ଯାଇ ଅନ୍ଧାର ମାଡ଼ିଆସେ । ପୁଣି ଅନ୍ଧାର ଯାଇ ଆଲୋକ ଆସିଲା । ସକାଳେ କୁକ୍ଳୁଟର ଜୟଧ୍ୱନି, ସନ୍ଧ୍ୟାରେ ପକ୍ଷୀଙ୍କର ବାହୁଡ଼ା ବିଜୟ ଧ୍ୱନି, ଏହିପରି କେତେ କାଳ କଟି ଗଲା । କେହି କାହାରିକୁ ଅପେକ୍ଷା ନ କରି ନିଜ ନିଜ କର୍ମ କ୍ଷେତ୍ରରେ ଅଗ୍ରସର ହେଉଥାନ୍ତି ।

 

ଦିନେ ସନ୍ଧ୍ୟାବେଳେ ଡାକ୍ତରବାବୁ ମୋ ନିକଟକୁ ଆସି କହିଲେ–ମକଦ୍ଦମା ଫଇସଲା ହୋଇ ଯାଇଛି । ରାୟ ବାହାରି ଯାଇଛି । ଡକାୟତମାନଙ୍କୁ ଦଶ ଦଶବର୍ଷ ଜେଲଦଣ୍ଡ ମିଳିଛି । କଠିନ କାରାଦଣ୍ଡ ଯାହାକୁ କହନ୍ତି ସେହିପରି ଦିଆଯିବ । ଏ କଥା ଗୁଡ଼ିକ ମୋତେ ଆନନ୍ଦଦାୟକ ବୋଧ ହେଲା ମାତ୍ର ସେ ଆନନ୍ଦ ମୋତେ ଆନନ୍ଦ ପରି ଲାଗୁ ନ ଥାଏ । ମୋର ମନ–ପ୍ରାଣ ଆତ୍ମା ସେହି ଜୀବନ ସର୍ବସ୍ୱ ପତି, ଓ ପୂଜ୍ୟ ଶ୍ୱଶୁରଙ୍କ ବିଷୟ ଚିନ୍ତା କରୁଥାଏ । ତା’ପର ଦିନ ସକାଳେ ଡାକ୍ତର ବାବୁ ଆସି କହିଲେ,–ତମେ ତ ବର୍ତ୍ତମାନ ଭଲରୂପେ ଆରୋଗ୍ୟ ଲାଭ କରିଛି । ଏଠାରେ ରହିବା ତମର ଆଉ ଅନାବଶ୍ୟକ । ତମେ ଏ ସ୍ଥାନ ପରିତ୍ୟାଗ କରି ସ୍ୱାମୀ ଗୃହକୁ ପ୍ରତ୍ୟାଗମନ କର ।

 

ମୁଁ ଅତି କରୁଣ ଓ କାତର ସ୍ୱରରେ ନିବେଦନ କରି କହିଲି–ଡାକ୍ତରବାବୁ, ମୁଁ ଯିବି କୁଆଡ଼େ ? ଏତିକି କହିଛି–ଛଳ–ଛଳ ନୟନ ଓ ଘନ–ଘନ ଅଶ୍ରୁପାତରେ କଥା କହିବାର ଶକ୍ତି ଆଉ ଆସିଲା ନାହିଁ । ତଳେ ବସି ପଡ଼ି ବାଳୁତଙ୍କପରି କାନ୍ଦିବାକୁ ଲାଗିଲି । ସେହି ରକ୍ତିମିଶ୍ରିତ ଅଶ୍ରୁପାତରେ ସତେ ଯେପରି ସେହି ସ୍ଥଳୀ କାନ୍ଦିବାକୁ ଲାଗିଲା । ଡାକ୍ତରବାବୁ ସେହିଠାରେ ନୀରବ–ନିଶ୍ଚଳ–ବିହଙ୍ଗ ନିକର; ତପତ–ତରୁର ଡାଳେ ପରି ନଥକିନା ଗୋଟିଏ ଝରକାକୁ ଆଉଜି ପଡ଼ିଲେ । ଟିକକ ଥରେ ଆତ୍ମସମ୍ୱରଣ କରି ତାଙ୍କୁ ପଚାରିଲି–ଏଠାରୁ ମୋର ଶ୍ୱଶୁରଙ୍କ ଗ୍ରାମ କେତେ ବାଟ, ଆପଣ କହି ପାରିବେ ?

 

ହଁ, ପାଞ୍ଚ କି ଛଅ ମାଇଲ ହେବ ?

 

ମୁଁ କହିଲି–ଡାକ୍ତର ବାବୁ, ଆପଣଙ୍କ ଅପାର ଉଦ୍ୟମ ବଳରୁ ମୁଁ ପୁନର୍ବାର ଜନ୍ମ ଲାଭ କରିଛି । ମୋର ପ୍ରାଣରେ ସ୍ପନ୍ଦନ ଆସିଛି । କିନ୍ତୁ ଜୀବନର ଗତିପଥ କ୍ରମେ ଜଟିଳ ଆଡ଼କୁ ଅଗ୍ରସର ହେଲାପରି ବୋଧ ହେଉଛି । ମୋର ଉପକାର ପାଇଁ ଆପଣ କଦାପି ବିମୁଖ ହେବେ ନାହିଁ ଏ ବିଶ୍ୱାସ ମୋର ବଦ୍ଧପରିକର । ଆପଣ ଆଉ ଗୋଟିଏ ଉପକାର କରି ପାରିବେ କି ?

 

ଡାକ୍ତର ରାଧାମୋହନ ବାବୁ କହିଲେ–ଏହା ଉପକାର ନୁହେଁ ଏହା ମୋର କର୍ତ୍ତବ୍ୟ ବୋଲି ମୁଁ ମନେ କରେ । କର୍ତ୍ତବ୍ୟ ଉପଯୁକ୍ତ ଭାବରେ ପରିଚାଳିତ ନ ହେଲେ ଡାକ୍ତରର ମହତ୍ୱ କିମ୍ୱା ପ୍ରତିପତ୍ତି ପରିଚାଳିତ ହୁଏ ନାହିଁ । ମୁଁ ବାସ୍ତବିକ କର୍ତ୍ତବ୍ୟକୁ ମାନି ମୋର ଗନ୍ତବ୍ୟ ପଥରେ ସର୍ବଦା ଚାଲିଥାଏ । କେତେବେଳେ ବିଚ୍ୟୁତ ହେଲେ ନିଜକୁ ଘୃଣା ମନେ କରେ । ଅପମାନ ଓ ଲଜ୍ଜିତ ମନେ କରେ । ପରିଶେଷରେ ପ୍ରାୟଶ୍ଚିତର ମାର୍ଗହିଁ ନିରୂପଣ କରିଥାଏ । ଆପଣ ତେବେ ଆପଣଙ୍କର ସବୁଉଦ୍ଦେଶ୍ୟ କହନ୍ତୁ ।

 

ମୁଁ କହିଲି–ଆପଣ କି ଉଦାର ! କି ମହତ୍‍ ! କି ଆମୀୟ ମାଧୁରୀରେ ଗଢ଼ା ! ! ଆପଣଙ୍କ ଅନ୍ତର ସୁଧା–ଭଣ୍ଡାରରେ ପରିପୂର୍ଣ୍ଣ ! ଆପଣଙ୍କ ବଦନ ଅମୃତର ଉତ୍ସ; କରୁଣାର ବାରାନିଧି ଓ ସତ୍ୟ–ଶିବ–ସୁନ୍ଦରରେ ଭୂଷିତ । ମୁଁ ଆପଣଙ୍କର ଜୟଗାନ କରୁଛି । କାଲି ସକାଳେ ମୋ ପାଇଁ ଗୋଟିଏ ସବାରୀ ବନ୍ଦୋବସ୍ତ କରି ଦିଅନ୍ତୁ । ମୁଁ ଶ୍ୱଶୁରଙ୍କ ଘରକୁ ଯାତ୍ରା କରିବି । ମୋର ଏହିମାତ୍ର ନିବେଦନ ଶ୍ରବଣ କରନ୍ତୁ । ମୁଁ ଅନାଥିନୀ–ନିରାଶ୍ରିତା ।

 

ଡାକ୍ତର ବାବୁ ତା ପରେ ମୋତେ ଆଉ ଗୋଟିଏ ପ୍ରଶ୍ନ ପଚାରିଲେ–ଆଚ୍ଛା, ଆପଣଙ୍କ ଶ୍ୱଶୁରଙ୍କ ଘରକୁ ଗଲେ କ’ଣ କରିବେ ! ସେମାନେ କଣ ଆଉ ଆପଣଙ୍କୁ ଗୃହରେ ସ୍ଥାନ ଦେବେ ? ମୋର ତ ଏଥିରେ ବିଶ୍ୱାସ ହେଉ ନାହିଁ । ସେମାନଙ୍କର ସେପରି ଆନ୍ତରିକ ସ୍ନେହ, ମମତା, ଅନୁରାଗ ଆଦି ଥିଲେ ସେମାନେ କି ଆଜି ସୁଦ୍ଧା ଦେଖିବାକୁ ଆସି ନ ଥାନ୍ତେ ! କେହି ନ ଆସିଲେ ମଧ୍ୟ ସ୍ୱାମୀତ ଆସି ପାରିଥାନ୍ତେ ।

 

ମୁଁ କହିଲି–ମୁଁ ସେଠାକୁ ନ ଯାଇ ଆଉ କେଉଁଠାକୁ ଯିବି ? ସେ ମୋର ଏହି ଜଟିଳ ପ୍ରଶ୍ନର ଉତ୍ତର ଦେଇ ପାରିଲେ ନାହିଁ ।

 

ତା’ପରେ ମୁଁ କହିଲି–

 

ଦେଖନ୍ତୁ ଡାକ୍ତର ବାବୁ, ସବୁ ଅଦୃଷ୍ଟ । ଆଦୃଷ୍ଟର ଗତିପଥ ସେହି ବିଧାତାଙ୍କ ଦ୍ୱାରା ନିରୂପିତ । ମାନବ କିଙ୍କର ମାତ୍ର । ସେହି ଅଦୃଷ୍ଟର ଫଳ ମୋତେ ଭୋଗ କରିବାକୁ ହେବ । ବିଧିର ବିଧାନ ବିଚିତ୍ରମୟ । ତାଙ୍କର ଦୋଷଗାନ ପରିବର୍ତ୍ତେ ତାଙ୍କର ଜୟଗାନ କରିବା ବରଣୀୟ । ଚିତ୍ରଗୁପ୍ତର ପାଞ୍ଚ ବଡ଼ କଠିନ । ସୁତରାଂ ମୁଁ ମୋର କର୍ତ୍ତବ୍ୟ କରିଯିବି । ସେଥିରେ ନିନ୍ଦା ବା ପ୍ରଶଂସା ଯାହାମିଳୁ ତାହା ବହନ କରିବି । ସେ ଯାହାହେଉ ମୋର ପ୍ରାଣର ଚନ୍ଦନ, ଜୀବନର ଆରାଧ୍ୟ ଦେବତାଙ୍କ ଆଗେ ଥରେ ଶୁଣାଇବି–ତାଙ୍କ ନିକଟକୁ ଯିବି । ଡାକ୍ତର ବାବୁ କହିଲେ–ହଉ ତେବେ ତାହାହିଁ କରନ୍ତୁ । ଏ ପ୍ରସ୍ତାବ ବାସ୍ତବିକ ଆପଣଙ୍କର ଯୁକ୍ତିଯୁକ୍ତ । ଏଥିରେ ଯଥାର୍ଥତା ରହିଛି ଯେପରି, ସେହିପରି ଅମୂଲ୍ୟ ବତ୍ସଳତା, ଅନୁରାଗ ଓ ତୃପ୍ତି ପୂରି ରହିଛି । ଆପଣ ତାହାହିଁ କରନ୍ତୁ । ମୁଁ ଯାଉଛି, ଏହି ମୁହୂର୍ତ୍ତରେ ସବାରୀ ବନ୍ଦୋବସ୍ତ କରି ଦେବି । କୌଣସି ଅସୁବିଧା ହେବ ନାହିଁ । ସେମାନେ କାଲି ସକାଳେ ଆସି ଆପଣଙ୍କୁ ଘେନି ଯିବେ ।

 

ସେ ରାତିଟାଯାକ ମୋର ନିଦ ନାହିଁ । ଚକ୍ଷୁର ପଲକ ପଡ଼ୁ ନାହିଁ । ମୁଁ ଉଜାଗର ରହି ଯାହା ଯାହା ଚିନ୍ତା କରୁଥିଲି ସେ ସବୁ ଆଉ କହିବି ନାହିଁ । ତା ପର ଦିନ ସକାଳେ ମୁଁ ଘରକୁ ଗଲି-। ସବାରୀ ପହଞ୍ଚିଲା ବେଳକୁ ଦୁଇପ୍ରହର । ମୋର ଶ୍ୱଶୁର ବେହେରାମାନଙ୍କୁ ଦେଖି ପଚାରିଲେ–ଏ ସବାରି କେଉଁଠୁ ଆସିଲା ?

 

ଜଣେ କହିଲା–ଡାକ୍ତର ଖାନାରୁ ।

 

ସବାରି ଭିତରେ ମୁଁ ଯେ ଅଛି, ଏଥର ଶ୍ୱଶୁରଙ୍କୁ ଆଉ ଅଜଣା ରହିଲା ନାହିଁ ।

 

ଏଠାକୁ ଆସିଲ କାହିଁକି ? ଏଠି ତୁମର ଆଉ ସ୍ଥାନ ନାହିଁ । ମୁଁ ସବାରି ଭିତରେ ଥାଇ ଏ କଥା ଶୁଣି ପାରିଲି । କିପରି ଶ୍ୱଶୁରଙ୍କ ଆଗରେ କଥା କହିବି । ନ କହିଲେ ନ ଚଳେ । ଦେଖିଲି ଏତେବେଳେ ଲଜ୍ଜାକୁ ଉପେକ୍ଷା ନ କଲେ ଆଉ ଚଳିବ ନାହିଁ।

 

କିଛିକ୍ଷଣ ପରେ ସେଇ ସବାରି ଭିତରୁ ବାହାରି ଆସି ଶ୍ୱଶୁରଙ୍କ ପାଦତଳେ ପ୍ରଣିପାତ କରି ଅଶ୍ରୁ ପୂର୍ଣ୍ଣ ନୟନରେ କାନ୍ଦି କାନ୍ଦି କହିଲି–‘‘ମୁଁ କୁଆଡ଼େ ଯିବି’’ ? ଶ୍ୱଶୁରଙ୍କ ରାଗର ସୀମା ଅତିରିକ୍ତ ହୋଇଉଠିଲା । ମୋ ଉପରେ ପ୍ରହାର କରିବାକୁ ଉଦ୍ୟତ । ଏପରି ଅବସ୍ଥାରେ ମୁଁ ପୁଣି କେତେ ଅନୁନୟ, ବିନୟ, ମିନତି ଛଳରେ ଅନୁରୋଧ କଲି । କହିଲି–ମୋତେ ଆପଣ ଯେଉଁ ଦୋଷରେ ଦୋଷୀ ବୋଲି କହୁଛନ୍ତି ମୁଁ ଧର୍ମକୁ ସାକ୍ଷୀ ରଖି କହୁଛି–ମୁଁ ଦୋଷୀ ନୁହେଁ । ମୁଁ ଯଦି ପାପକୁ ଜାଣିଶୁଣି ତିଳେ ମାତ୍ର ସ୍ଥାନ ଦେଇ ଥାଏ ତେବେ ମୋ ମସ୍ତକରେ ବଜ୍ର ପଡ଼ି ଦ୍ୱି ଖଣ୍ଡ ହେଉ-

 

ମୋ ତୁଣ୍ଡର କଥା ଶେଷ ନ ହେଉଣୁ ସେ କହିଲେ–କୁଆଡ଼େ ଯିବ ନ ଯିବ ମୁଁ ଜାଣେ ନାହିଁ । ଯେଉଁ ଆଡ଼େ ଇଚ୍ଚା, ତେଣେ–

 

ମୁଁ କହିଲି–ମୋର ଅପରାଧ କଣ ? ସେ କହିଲେ ତୁ ଭ୍ରଷ୍ଟା । ତୋହରି ଲାଗି ଏ ଡକାୟତିର ସୃଷ୍ଟି । ଅତିଶୀଘ୍ର ମୋ ଦୁଆର ଆଗରୁ ଚାଲି ଯା । ମିଥ୍ୟା ଅଭିଯୋଗରେ ମୋତେ ଅଭିଯୁକ୍ତ କରିଥିବା ହେତୁ ମୋର ହୃଦୟରୁ ଅଗ୍ନିଶିଖା ଧୂ ଧୂ ହୋଇ ଜଳି ଉଠିଲା । ରାଗ ଓ ବିରକ୍ତିର ସୀମା ରହିଲା ନାହିଁ । ମୁଁ ଠିଆ ହୋଇ ହାତ ଯୋଡ଼ି ଧର୍ମ ଦେବତାଙ୍କୁ ସାକ୍ଷୀ ରଖି କହିଲି, ମୁଁ ଭ୍ରଷ୍ଟା ନୁହେଁ ।

 

ତା’ପରେ ବାକ୍ୟ ଆଉ ସ୍ଫୁରିଲା ନାହିଁ । ମୋର ମୁଣ୍ଡ ବୁଲାଇ ଦେଲା । ମୁଁ ସେହିଠାରେ ବସି ପଡ଼ିଲି ।

 

ଟିକିଏ ଗଲାରୁ ପୁଣି ଶ୍ୱଶୁରଙ୍କ ପାଦତଳେ ପଡ଼ି କହିଲି, ମୋର ଆଉ ଅନ୍ୟ କିଛି ଭିକ୍ଷା ନାହିଁ । ଥରେ ମୋର ପ୍ରାଣର ଦେବତାଙ୍କୁ ଦିପଦ କହି ଚାଲିଯିବି । ସେତିକି ଅନୁମତି ଦିଅନ୍ତୁ । ଶ୍ୱଶୁରେ ତାଙ୍କର ଗୋଡ଼ ଟାଣି ନେଇ କହିଲେ–ନା, ନା, ଆଜି ନୁହେଁ କି କେବେ ନୁହେଁ । ତା ସଙ୍ଗେ ତୋର ଏ ଜନ୍ମରେ ଦେଖା ହେବ ନାହିଁ । ତୋ ପରି ନାରକୀର ମୁଖ ଦର୍ଶନ ସେ କରିବ ନାହିଁ । ଏତିକି କହି ଘର ଭିତରକୁ ଚାଲି ଗଲେ । ଏତିକିବେଳେ ଘରଭିତରୁ ଶୁଣି ପାରିଲି–ବୋଧହୁଏ ଶାଶୁଙ୍କ ପାଟି ହେବ । ସେ ବାରବୁଲି ଛତରଖାଇକୁ ଦୁଆର ମଡ଼ାଅ ନାହିଁ । ସେହିଠାରୁ ମୋର ହୃଦୟ ଭିନ୍ନ ପ୍ରକାର ଧାରଣ କଲା । ମୁଁ ଜାଣିଲି ଭଗବାନ୍‍ ମୋ ପାଇଁ ଆଉ ଏଠାରେ ସ୍ଥାନ ରଖି ନାହାନ୍ତି । ପୁଣି ଭାବିଲି ଏଥିର ପ୍ରତିଫଳ ସ୍ୱରୂପ ଆଜି ରାତିରେ ଯଦି ଏହିଠାରେ ଆତ୍ମହତ୍ୟା କରନ୍ତି ତେବେ ଦେଖନ୍ତି କିପରି ନାରକୀର ମୁଖ ଦର୍ଶନ ନ କରନ୍ତେ ।

 

କିନ୍ତୁ ଆତ୍ମହତ୍ୟା ! ସେ ଯେ ମହାପାପ !

 

ଏଡ଼େ ପାପର ଭାଗୀ ହେବି କାହିଁକି ?

 

ଗୀତାରୁ ଶୁଣିଛି ଅବିବେକୀ ଆତ୍ମହତ୍ୟା କରେ ।

 

ମୁଁ କି ତେବେ ଅବିବେକୀ ଯେ,

 

ଆତ୍ମହତ୍ୟା କରି ସପ୍ତପୁରୁଷଙ୍କୁ କଳୁଷିତ କରିବି ।

 

ନା–ନା–

 

ମୋ ଦ୍ୱାରା ହେବ ନାହିଁ ।

 

ବରଂ ଦ୍ୱାରେ ଦ୍ୱାରେ ଭିକ୍ଷା ମାଗିବି ?

 

ଭଗବାନ ତା ନ କରନ୍ତୁ ।

 

ଜଗତ ଦେଖୁ–

 

ଜାଣୁ–

 

ଧୀର ସ୍ଥିର ଚିତ୍ତରେ ବିଚାର କରୁ

 

ଦୋଷୀ କିଏ ?

 

ନାରକୀ କିଏ ?

 

ବାରବୁଲି କିଏ ?

 

ଛତରଖାଇ କିଏ ?

 

ମୋର ‘ତାତିଲା ଲୁହର’ ମୂଲ୍ୟ ଜଗତବାସୀ ଦେଖନ୍ତୁ ।

☆☆☆

 

ଓକିଲାତି ପରୀକ୍ଷା

 

ପରୀକ୍ଷା ଅଳ୍ପଦିନ ଥାଏ–

 

ଓକିଲାତି ପରୀକ୍ଷା ଦେବାପାଇଁ ଛାତ୍ରମାନଙ୍କ ଭିତରେ ଅଗାଧ ପରିଶ୍ରମ, ଅବିଶ୍ରାନ୍ତ ଉଜାଗର, ଉଦବେଗ, ଉତ୍କଣ୍ଠା ଓ ପିପାସାର ମାତ୍ରା ବଢ଼ି ଚାଲିଥାଏ । ପରୀକ୍ଷା ଫିସ୍‍ ଜମା ଦେବା ତାରିଖ ପାଖେଇ ଆସିଲା । ଟଙ୍କାର ଯୋଗାଡ଼ ହୋଇ ପାରି ନ ଥାଏ । ଟଙ୍କା ଟଙ୍କା ବୋଲି ରମାକାନ୍ତ ଏକ ପ୍ରକାର ପାଗଳ କହିଲେ ଚଳେ । ତାର ଅତିରିକ୍ତ ଚେଷ୍ଟାର ସୀମା ନାହିଁ । ବାପାଙ୍କର କାଳ ହେବା ପରେ ଆଜିକି ତିନିବରଷ ହେଲା ଯାହାଙ୍କ ସାହାଯ୍ୟରେ ପଢ଼ାପଢ଼ି ସମ୍ଭବ ହୋଇପାରିଥିଲା, ସେହି ମଉସା ଯେ ଠିକ୍‍ ବି. ଏଲ. ପରୀକ୍ଷା ପୂର୍ବରୁ ହଠାତ୍‍ ଚାଲିଯିବେ–ରମାକାନ୍ତକୁ ଅକୂଳରେ ଭସାଇଦେବେ–ସେ କଥା କିଏ ଭାବିଥିଲା ।

 

ମଉସା ଥିଲେ ଖରଚି ଲୋକ । ଖରଚ ପ୍ରତି ତାଙ୍କର ଖାତିର ନ ଥିଲା । ବରଂ ସେ ମଲାବେଳକୁ କିଛି କରଜ ରଖି ଯାଇଛନ୍ତି ସିନା–ଜମା ଘରଟା ବିଲକୁଲ ଫାଙ୍କ୍ । ଫଳରେ ମାଉସୀଙ୍କୁ ପାଖକୁ ଯାଇ ହାତ ପତେଇବାରେ କିଛି ଲାଭ ନାହିଁ । ରମାକାନ୍ତ ମଉସାଙ୍କ ମୃତ୍ୟୁ ଲାଗି ଯେତେ ଦୁଃଖିତ ଓ ଅନୁତପ୍ତ ନୁହେଁ, ତାଠାରୁ ବେଶ ଅନୁଭବ କଲା ଏହି ରକମ ଅସମୟରେ ମାଉସୀଙ୍କ ନିକଟରେ ମୁହଁ ଦେଖାଇବାକୁ । ବିନା ମେଘରେ ବଜ୍ରପାତ ।

 

ରମାକାନ୍ତ ସକାଳ, ଦ୍ୱି ପ୍ରହର ଓ ସନ୍ଧ୍ୟା ଅନବରତ ଟଙ୍କାର ସଂଗ୍ରହ କରିବା ପାଇଁ ଆତ୍ମୀୟ ସ୍ୱଜନ ଓ ବନ୍ଧୁ ବାନ୍ଧବଙ୍କ ଦ୍ୱାରକୁ ଯାଉଥାଏ । ସାହାଯ୍ୟ ନ ମିଳୁ ପଛେ ଯଦି କେଉଁଠାରୁ ଧାର କିଛି ମିଳିଯାଏ । ଓକିଲାତିଟା ପାସ୍‍ କଲେ ଦୁରବସ୍ଥା ରହିବ ନାହିଁ । ରମାକାନ୍ତର ଏ ବିଶ୍ୱାସ ରହିଥାଏ ।

 

ଛାତ୍ର ଜୀବନରେ ସମସ୍ତେ ଯେପରି ଆକାଶ କୁସୁମର ସ୍ୱପ୍ନ ଦେଖିଥାନ୍ତି ରମାକାନ୍ତ ସେହିପରି ଦେଖୁଥାଏ । ପୃଥିବୀଟା ଯେ ଗେଗାଟିଏ ଦୁଃସ୍ୱପ୍ନ ତାହା ଆଉ ଖିଆଲରେ ଆସେନାହିଁ ।

 

ଆତ୍ମୀୟ ସ୍ୱଜନ ଟଙ୍କା ବଦଳରେ ଦିଅନ୍ତି ସଦୁପଦେଶ । କେହି କହନ୍ତି–କେତେ ଗୁଡ଼ିଏ ଡିଗ୍ରୀ ପାଇଗଲେ ଲାଭ କଣ ? ପାସ୍‍ କରିଗଲେ ଦୁଇଟା ବଦଳେ ଚାରିଟା ହାତ ତ ହୋଇ ଯିବ ନାହିଁ । ତୁ ଦୁଇ, ମୁଁ ଦୁଇ ଯେଉଁ ଦୁଇକୁ ସେହିଦୁଇ । ବରଂ ଦେଶରେ ବେକାର ସଂଖ୍ୟା ବୃଦ୍ଧି ପାଇବ-। ତା ଅପେକ୍ଷା ଆଜିକାଲି ପୁରୀ, କଟକ, ବାଲେଶ୍ୱର ଓ ବାରିପଦା ପ୍ରଭୃତି ସ୍ଥାନମାନଙ୍କରେ ରିକ୍‍ସା ଟାଣିଲେ ବେଶ୍‍ ସୁଖ ଓ ଶାନ୍ତି ମିଳି ପାରିବ । ଦୁଇ ପଇସା ଖୁସିରେ ଜମା ରହି ପାରିବ-

 

ଆଉ ଗୋଟିଏ କଥା । ଯଦି ଦେଶସାରା ପିଲାମାନେ ଡିଗ୍ରୀ ଆଶା ଛାଡ଼ି ରିକ୍‍ସା ଟାଣିବେ, ତେବେ ରିକ୍‍ସାରେ ଚଢ଼ିବେ କିଏ ? ଏତିକି ପଚାରିବାକୁ ସାହସ ହୁଏ ନାହିଁ ରମାକାନ୍ତର-। କେହି କେହି କହନ୍ତି–ଚାଷ କର, ତନ୍ତ ବୁଣ, ଦୋକାନ କର–ପାସ୍‍ କରି କି ଖାଇବ-? ତେଣୁ ପରୀକ୍ଷା ଫିସ୍‍ ଜମା ଦେବା କଥା ଆଉ ଉଠିଲା ନାହିଁ ।

 

କିନ୍ତୁ ରମାକାନ୍ତର ସମସ୍ତ ସ୍ୱପ୍ନ ଠୁଳ ହୋଇଛି ସେହି ପରୀକ୍ଷାଠାରେ । ବାପା ମରିଯିବା ପରଠାରୁ ତା’ର ଯେପରି ସାଧନା ହୋଇଛି, ‘‘ଓକିଲାତି ପାସ୍‍ କରିବ, ମନୁଷ୍ୟ ହେବ ।’’

 

ଟଙ୍କାର ଅଭାବ–ପୁଅର ଏତେ ଏତେ ପରିଶ୍ରମ ବ୍ୟର୍ଥ ହୋଇ ଯାଉଥିବା ଦେଖିଲେ କେଉଁ ମାଆ ଧୈର୍ଯ୍ୟ ଧରି ରହି ପାରିବ ? ସହଜେ ତ ଦୁଃଖର ସୀମା ନାହିଁ । ଟଙ୍କା ପାଇଁ ରମାକାନ୍ତ ବୁଲି ବୁଲି ଶେଷରେ ମୁଁ ହଁ ଶୁଖାଇ ଘରକୁ ଆସେ । ଜନନୀ ଦୁର୍ଗାବତୀ ହତାଶ ହୋଇ ଭଗବାନଙ୍କୁ ପ୍ରାର୍ଥନା କରନ୍ତି; କିନ୍ତୁ ଭଗବାନଙ୍କର ସେ କରୁଣା ଲାଭ କରିବା କେତେ ଦୁଷ୍କର ।

 

ଦିନେ–

 

ଯେତେବେଳେ ଆଉ କେଉଁଆଡ଼ୁ ଆଶାର ଆଲୋକ ଦେଖାଗଲା ନାହିଁ, ଅଥଚ ଦିନ ନିକଟ ହୋଇ ଆସୁଛି, ଦୁର୍ଗାବତୀ ପୁଅକୁ ଡାକି ଯାହା କହିଲେ ତାହା ଯେ କେବଳ ମର୍ମାନ୍ତିକ ସେତିକି ନୁହେଁ–ଭୟାନକ ମଧ୍ୟ । ଦୁର୍ଗାବତୀଙ୍କର ଶାଶୁଙ୍କ ଅମଳରୁ ଗୋଟିଏ ସିନ୍ଦୂର ଫରୁଆ ଭିତରେ ଗିନିଟିଏ ରହିଛି । ସେହି ଗୋଟିକ ଗିନି ବାହାର କରି ପୁଅକୁ ଦେବେ । ଘରେ ସୁନା ବୋଲି ଆଉ କିଛି ନାହିଁ ।

 

ମାଆଙ୍କ କଥା ଶୁଣି ରମାକାନ୍ତ କାତର ହୋଇ କହିଲା–‘‘ମୋର ପରୀକ୍ଷା ଆଉ ଆବଶ୍ୟକ ନାହିଁ ମାଆ । ସିନ୍ଦୂର ବୋଳା ଗିନି ବିକି ପାରିବି ନାହିଁ’’ ।

 

ଅନେକ ତର୍କ–ବିତର୍କ–ପରାମର୍ଶ ପରେ ଗିନି ବିକିବା ସ୍ଥିର ହେଲା ।

 

ଗିନିଟା ଧରି ରମାକାନ୍ତ ବାହାରି ଗଲା । ଦୁର୍ଗାବତୀ ପୁଅକୁ ସାବଧାନ କରି କହିଲେ ସଙ୍ଗରେ ଯାଦବକୁ ନେଇଯା । ପ୍ରଥମେ ରମାକାନ୍ତ ମନରେ ଟିକିଏ ଭୟ ଭୟ ଲାଗୁଥାଏ । କେଉଁଠି ଦୋକାନ, କେଉଁଠି ବିକିବାକୁ ହୁଏ, ରମାକାନ୍ତକୁ କିଛି ଜଣା ନାହିଁ । ଦୋକାନରୁ ଗୋଟିଏ ଜିନିଷ କିଣିବା, ଆଉ ପରର ଗୋଟିଏ ଜିନିଷ ବିକ୍ରି କରିବ ଭିତରେ ଆକାଶ–ପାତାଳ ପ୍ରଭେଦ । ଯାହାହେଉ, ଶେଷରେ ଯାଦବ ରମାକାନ୍ତ ସଙ୍ଗରେ ଗଲା ।

 

ଯାଦବର ଇତିହାସ ଭିନ୍ନ ପ୍ରକାର । ସେ ଅତି ଦରିଦ୍ର–ଅତି ଦୁଃଖୀ । ରମାକାନ୍ତର ପିତା ଜୀବିତ ଥିବା ବେଳେ ସେ ତାକୁ ଆଣିଥିଲେ । ସେ କଥା କହି ବସିଲେ ସରିବ ନାହିଁ । ଗୋଟିଏ ଦୁଃଖୀ ପିଲାକୁ ଗଣ୍ଡେ ଭାତ ଖାଇବାକୁ ଦେବା ସେତେବେଳେ କଷ୍ଟକର ନ ଥିଲା । ତା ଛଡ଼ା–ଯାଦବ ଠିକ୍‍ ଚାକର ନ ହେଲେ ମଧ୍ୟ–ଚାକର ପରି କାର୍ଯ୍ୟଗୁଡ଼ିକ ପ୍ରାୟ କରୁଥିଲା । ତା ଭିତରେ କେବଳ ବାସନ ମାଜିବାଟା ନ ଥାଏ । ବର୍ତ୍ତମାନ ଅବଶ୍ୟ ଜଣେ ଲୋକର ଖୋରାକି ଚଳାଇବା ଯଥେଷ୍ଟ ବେଶୀ, କିନ୍ତୁ ସେ କଥା ଦୂର୍ଗାବତୀଙ୍କର ମନେ ପଡ଼େ ନାହିଁ ।

 

ଯାଦବ ଘରେ ରହୁ ରହୁ ନିଜର ପୁଅ ପରି ହୋଇ ଯାଇଛି । ସେ ଯେ ଆଶ୍ରିତ ଓ ଅପ୍ରୟୋଜନୀୟ, ତାକୁ ଯେ ଖାଇବାକୁ ଦେଇ ପୋଷିବାକୁ ହେଉଛି; ମାଆ ପୁଅ କେହି ଦିନେ ହେଲେ ଏ କଥା ଭାବି ନାହାନ୍ତି । ଯେପରି ରମାକାନ୍ତ, ସେହିପରି ଯାଦବ ମଧ୍ୟ ଘରର ପୁଅ ପରି ଚଳେ ।

 

ଯାଦବ ମଧ୍ୟ ରମାକାନ୍ତକୁ ନିଜର ବଡ଼ଭାଇ ପରି ଦେଖେ । ରମାକାନ୍ତର ପଢ଼ା କ୍ଷତି ହେବା ଜାଣି ସେ ଗୃହର ଯାବତୀୟ କାର୍ଯ୍ୟକରେ । ଏପରିକି ରମାକାନ୍ତ ପଢ଼ୁ ପଢ଼ୁ କାଳେ ନିଦ ଆସିଯିବ ବୋଲି ସେ ଦୁଆର ମୁହଁରେ ବସି ପହରା ଦିଏ । କେତେବେଳେ ସେ ମଶା ବାଡ଼ାଏ–ପଙ୍ଖାରେ ବିଞ୍ଚେ–କାଠ କୋଇଲା ଇତ୍ୟାଦି ନ ଥିଲେ କାଗଜ ଜାଳି ମଧ୍ୟ ରାତି ଅଧରେ ରମାକାନ୍ତ ଲାଗି ଚା ତିଆରି କରିଦିଏ ।

 

ଦୁର୍ଗାବତୀ ଯେତେବେଳେ ତାକୁ ସୁନା ଦୋକାନକୁ ଯିବାକୁ କହିଲେ, ସେ ସେତେବେଳେ ଟିକିଏ ବିଳମ୍ୱ ନ କରି ରମାକାନ୍ତଙ୍କ ପଛେ ପଛେ ଯିବାକୁ ଲାଗିଲା । ଘଣ୍ଟାକ ଭିତରେ ଦୁହେଁ ଘରକୁ ଫେରି ଆସିଲେ । ଗିନି ବିକିଛନ୍ତି ସତ, କିନ୍ତୁ ସେଥିପାଇଁ ତାଙ୍କୁ ବହୁତ ଦୋକାନ ଯିବାକୁ ପଡ଼ିଛି । ପ୍ରକୃତ ଦାମ ମିଳିଲା କି ନାହିଁ କିଏ କହିବ । ରମାକାନ୍ତ ଏକଶହ ବାଷଠୀ ଟଙ୍କା ଆଠଅଣା ଦୁର୍ଗାବତୀଙ୍କ ହାତରେ ଆଣି ଦେଲା । ମାଆ ଅଶ୍ରୁ ସଜଳ ଚକ୍ଷୁରେ ସେତକ ଉଠାଇ ରଖିଲେ । ପରୀକ୍ଷା ଫିସ୍‍ ଜମା ଦେବାକୁ ଆଉ କେବଳ ତିନିଟା ଦିନ ବାକୀ ଥାଏ-

 

ଟଙ୍କା ଜମାଦେବାର ପୂର୍ବଦିନ ରାତିରେ ଦୁର୍ଗାବତୀ ଶୋଇବାକୁ ଯାଇ ନଥାନ୍ତି; ହଠାତ୍‍ ତୀବ୍ର ଆର୍ତ୍ତନାଦ କରି ଡାକ ପକାଇଲେ–‘‘ରମାକାନ୍ତ ।’’

 

ରମାକାନ୍ତର ସେତେବେଳକୁ ହଠାତ୍ ନିଦଟା ଭାଙ୍ଗିଗଲା । ସେ ଆସି କହିଲା–କଣ ମାଆ, କଣ ହେଲା ? କିଛି କାମୁଡ଼ିଲା କି ?

 

ଦୁର୍ଗାବତୀ କପାଳରେ କରାଘାତ କରି କହିଲେ–କାମୁଡ଼ିଛି ସତ, କିନ୍ତୁ ଏ କାମୁଡ଼ାରେ ପ୍ରାଣ ଯିବ ନାହିଁ । ଆଉ ସାମାନ୍ୟ ବିଷ ଆଣି ଦେ । ଦୁର୍ଗାବତୀ ମୁଣ୍ଡରେ ହାତ ଦେଇ ବସିଥାନ୍ତି ।

 

ରମାକାନ୍ତ ମାଆକୁ ଧରି ଅସ୍ଥିର ହୋଇ କହିଲା–ମାଆ, ମୋତେ କହ ! କଣ ହୋଇଛି ତୋର ?

 

କଣ କହିବି ପୁଅ । ସବୁ ଟଙ୍କା ତକ ଚୋରି ଯାଇଛି । ରମାକାନ୍ତର ମସ୍ତକରେ ବଜ୍ର ପଡ଼ିଲା । ଭୂମିକମ୍ପ ହେଲା । ଶୁକ୍ଳପକ୍ଷ ହଠାତ୍‍ ଯେପରି କୃଷ୍ଣପକ୍ଷ ପରି ଜଣାଗଲା ।

 

ରମାକାନ୍ତ ଟିକକ ପରେ ଧୈର୍ଯ୍ୟ ଧରି ଟଙ୍କା ଖୋଜିବାକୁ ଲାଗିଲା । ତନ୍ନ ତନ୍ନ କରି ଖୋଜିଲା । କେଉଁଠାରୁ କିଛି ପାଇଲା ନାହିଁ ।

 

‘‘ମା, ! କଣ କହୁଛ ତୁମେ ?’’

 

ହଁ ପୁଅ–କହୁଛି, ଏଥର ମୋତେ ଟିକିଏ ବିଷ ଆଣି ଦେ ।

 

ରମାକାନ୍ତ ହଠାତ୍‍ ଗମ୍ଭୀର ହୋଇଗଲା । ବିଷ ମୋର ଖାଇବା ଉଚିତ । ପ୍ରତିଜ୍ଞା କରିଥିଲି–ପରୀକ୍ଷା ଦେଇ ନ ପାରିଲେ ଆଉ କାହାରିକୁ ମୁହଁ ଦେଖାଇବି ନାହିଁ । ଟଙ୍କା ନ ହେଲେ ପରୀକ୍ଷା ଦେବା ଅସମ୍ଭବ । ଅତଏବ....

 

ଦୁର୍ଗାବତୀଙ୍କ ମନରୁ ସମସ୍ତ ଧୈର୍ଯ୍ୟ ନଷ୍ଟ ହୋଇ ଯାଇଛି । ଏଣେ ରମାକାନ୍ତର ଅବସ୍ଥା–ତାର ଭବିଷ୍ୟତ ଜୀବନ ! ରମାକାନ୍ତ ଛାତିର ଦମ୍ଭ ଭାଙ୍ଗି ପଡ଼ିଲେ ମଧ୍ୟ ସେ ମାଆଙ୍କୁ କେତେକ ସାନ୍ତ୍ୱନାବାଣୀ ଶୁଣାଇଲା ।

 

କିନ୍ତୁ ପରକ୍ଷଣରେ ତା’ର ମନେ ପଡ଼େ–

 

କୁଆଡ଼େ ଗଲା ?

 

କିଏ ନେଲା ?

 

ଟଙ୍କାର ଡେଣା ନାହିଁ ଯେ ଉଡ଼ିଯିବି କିମ୍ୱା ଗୋଡ ନାହିଁ ଯେ ପଳାଇ ଯିବ । କାହାର ହାତରେ ଏ କାର୍ଯ୍ୟ ହୋଇଛି ?

 

କିଏ ସେ ?

 

କିଏ ଅଛି ଆଉ ଏପରି କାର୍ଯ୍ୟ କରିବ !

 

ରମାକାନ୍ତ ନୁହେଁ, କି ମା ନିଜେ ନୁହଁନ୍ତି । ତେବେ ?

 

ତେବେ ?

 

ରମାକାନ୍ତକୁ ସର୍ପାଘାତ ପରି ବିନ୍ଧା ଛିଟିକା ମାରୁଛି ଏହି ପ୍ରଶ୍ନ ।

 

ତେବେ ଆଉ କିଏ ?

 

ଦୁଧ କଦଳୀ ଦେଇ ଯାହାକୁ ପୋଷା ହୋଇଛି ଏତେ ଦିନ ଧରି ! ତା ଛଡ଼ା ଆଉ କିଏ ହେବ ?

 

ନା ତା ଛଡ଼ା ଆଉ କେହି ହୋଇ ନ ପାରେ । ବାହାରରୁ ଚୋର ଆସିନାହିଁ । ଏହା ଧ୍ରୁବ ସତ୍ୟ । ଏଥିରେ ମିଥ୍ୟାର ଆବରଣ ନାହିଁ କି ଅବତାରଣା ନାହିଁ । ତା ଛଡ଼ା ଆଉକିଏ ହେବ ? ରମାକାନ୍ତ ବାମହାତର ପାପୁଲି ଉପରେ ଡାହାଣ ହାତର ମଝି ଓ ଅନାମିକା ଆଙ୍ଗୁଠି ଦୁଇଟି ପିଟି କହିଲା–ସତ୍ୟ–ସତ୍ୟ–ସତ୍ୟ । ଘର ଚୋରର ଏହି କାର୍ଯ୍ୟ–ସେହି ଯା–ଦ–ବ ।

 

ଟଙ୍କା ନେଇଛି ସେହି ଯାଦବ । ନିଶ୍ଚୟ ଯାଦବ । ତା ଛଡ଼ା ଆଉ ଘରେ କିଏ ଅଛି ଯେ ଏ କଥା କରିବ ? ମୂଷା, ନେଉଳ କି ବିଲେଇ ଛୁଆଟେ ମଧ୍ୟ ଏ ଘରକୁ କେହି ଆସନ୍ତି ନାହିଁ ।

 

ମାଆ ପୁଅ ଦୁହେଁ ବହୁତ ସମୟ ଯାଏ ଏ ବିଷୟଟି ଭଲରୂପେ ଆଗପଛ ଆଲୋଚନା କଲେ ।

 

ଆଉ କିଛି ନୁହେଁ–ହଠାତ୍‍ ଏତେ ଟଙ୍କା ଦେଖି ଲୋଭ ସମ୍ଭାଳି ପାରି ନାହିଁ । କମ୍‍ ବଡ଼ ଲୋଭ ନୁହେତ ! ଏତେ ଦିନକେ ତାର ଗୁଣ ଜଣାପଡ଼ିଲା ।

 

ରମାକାନ୍ତର ସନ୍ଦେହର କାରଣ ଆଉ ରହିଲା ନାହିଁ । ମାଆଙ୍କ କଥାରେ ସନ୍ଦେହର ମାତ୍ରା କ୍ରମେ ବଢ଼ିବାକୁ ଲାଗିଲା । ନିଶ୍ଚୟ ଯାଦବର ଏ କାଣ୍ଡ । ସେ ଚୋରି କରି ଏତେ ଦିନକେ ଯନ୍ତାରେ ଧରା ପଡ଼ିଛି । ଖୁଚୁରା ପଇସା ବୋଲି ଧରା ପଡ଼ୁ ନ ଥିଲା । ବଜାର କରି ଆସିଲେ ତା ପାଖରୁ ମୁଁ କି ମାଆ କେହି କେତେବେଳେ ହିସାବ ନେଉ ନାହିଁ । ଦୋକାନ ସଉଦା କରି ଆସିଲାପରେ ଯାହା ଆଣି ଫେରାଇ ଦିଏ ସେତକ ଦୁର୍ଗାବତୀ ନିଜେ ସାଇତି ରଖିନ୍ତି । କେତେବେଳେ କଣ ଖର୍ଚ୍ଚ କଲୁ, କେତେ ଖର୍ଚ୍ଚ ହେଲା–ଏପରି ମଧ୍ୟ କେହି ପଚାରନ୍ତି ନାହିଁ । କାହିଁକି ବା ପଚାରିବେ ? ରମାକାନ୍ତକୁ ନୁହେଁ କି ଯାଦବକୁ ନୁହେଁ । ନିଷ୍ପାପ ମନ ତାଙ୍କର ।

 

କିଛି ଦିନ ହେଲା ଯାଦବର ମତିଗତି ଠିକ୍‍ ନାହିଁ । ଦୁର୍ଗାବତୀ କହନ୍ତି, ଆଜିକାଲି ପ୍ରତିଦିନ ଲକ୍ଷ୍ୟ କରୁଛି ଦ୍ୱି ପ୍ରହର ହେଲେ ସେ କୁଆଡ଼େ ଚାଲିଯାଏ । ପଚାରିଲେ ପଦେ କଥା କହେ ନାହିଁ ।

 

କେଉଁଠି ଜୁଆର ଆଡା ଜୁଟାଇଛି ବୋଧହୁଏ । ରମାକାନ୍ତର ମନ୍ତବ୍ୟ ଏହିପରି ।

 

ଦୁର୍ଗାବତୀ କହିଲେ ଥାନା, ପୁଲିସ କିଛି କରି ପାରିବ ନାହିଁ । କିନ୍ତୁ ତାକୁ ଡାକି ପଚାରି ପାରିଲେ କିଛି ଦୋଷ ନାହିଁ । କିପରି ତାକୁ ପଚାରିବା ! ଚୋରର ଲଜ୍ଜା ନାହିଁ–ଲଜ୍ଜା ହେଉଛି ଆମର ।

 

ଏହି କଥାଟି ରମାକାନ୍ତ ମଧ୍ୟ ଭାବୁଛି, କିପରି ଯାଦବକୁ ପଚାରିବ । ଯେପରି ହେଉ–ନିଜ ଘରର ଲୋକପରି ରହିଛି–ଆଜକୁ ଛଅ ସାତ ବରଷଧରି । ମନୁଷ୍ୟ ଅନ୍ତରାଳରେ ଥାଇ ଲୋକନିନ୍ଦା କରିପାରେ, କିନ୍ତୁ ମୁହେଁ ମୁହେଁ କିଛି କହି ପାରେନାହିଁ । ସେତିକିଦୂର୍‍ ସାହସ ଥିବା ଦରକାର । ମନକୁ ପଥର ପରି ନ କଲେ ଚଳିବ ନାହିଁ ।

 

କହି କରି ବା କି ହେବ ?

 

ରମାକାନ୍ତ ହତାଶ ହୋଇ କହିଲା–ଓକିଲାତି ପରୀକ୍ଷା ଦେବା ମୋର କପାଳରେ ଆଉ ନାହିଁ ମାଆ ! ନୋହିଲେ ଏପରି ଦୁର୍ଯୋଗ କାହିଁକି ଘଟନ୍ତା ! ଥରେ ଯେତେବେଳେ ଯାଇଛି ଆଉ କି ଫେରି ଆସିବ ନା ହଜିଲା ଧନ ବାହୁଡ଼ି ଆସିବ ! ନା–ଯାଦବ କି ଆଉ ସ୍ୱୀକାର କରିବ ?

 

ଦୁର୍ଗାବତୀ କହିଲେ, ଚୋର କେତେବେଳେ ହେଲେ ସହଜରେ ଚୋରୀ ସ୍ୱୀକାର କରେ ନାହିଁ । ଗୋଟିଏ ଉପାୟ, ପୁଲିସକୁ ଧରେଇ ଦେବା । ସେଥିରେ ଟଙ୍କା ଆଦାୟ ହେବ ନାହିଁ । କେବଳ ହଇରାଣ ମାତ୍ର ସାର !

 

‘ଭଗବାନ୍‍ ! ରମାକାନ୍ତ ତୁମ୍ଭ ପାଖରେ କି ଅପରାଧ କରିଥିଲା ?’’

 

ଦୁର୍ଗାବତୀ କହିଲେ, ‘‘ନା–ରମା ‘ ଚୁପ୍‍ କରି ରହିଲେ ଚଳିବ ନାହିଁ । ତାକୁ ଡାକ, ମୁଁ ଏହିକ୍ଷଣି କହିବି । ଟଙ୍କା ମୁଁ ଆଦାୟ କରିବି–ତା’ର ବେକରେ ମୁଁ ଗାମୁଛା ପକାଇ ।

 

ଦୁର୍ଗାବତୀ ଯାଦବକୁ ନିଜ ପୁଅଠାରୁ ବଳି ଅଧିକ ଭଲ ପାଆନ୍ତି । ଯାଦବ ସେହିପରି ନିଜର ମାଆପରି ଦେଖେ । କିନ୍ତୁ ଟଙ୍କା ଶୋକରେ ଏବେ ଦୁର୍ଗାବତୀ ସବୁ ପାଶୋରି ଦେଇଛନ୍ତି ।

 

ଟଙ୍କାର ଶୋକ ? ତାହା ସତ୍ୟ । କିନ୍ତୁ ଏଯେ ଟଙ୍କା ନୁହେଁ–ଏଯେ ରମାକାନ୍ତର ଜୀବନ ମରଣ ସମସ୍ୟା ।

 

ଯାଦବ ଶୋଇଥିଲା । ଦୁର୍ଗାବତୀଙ୍କ ଡାକରେ ଆଖି ମଳି ମଳି ଉଠି ଆସିଲା । କଣ ହୋଇଛି ବୋଲି ସେ ମାଆଙ୍କୁ ପଚାରିଲା ।

 

ଦୁର୍ଗାବତୀ ପ୍ରଥମରୁ ବିରକ୍ତ ନ ହୋଇ କାର୍ଯ୍ୟଟା ହାସଲ କରିବା ଚେଷ୍ଟାରେ ନରମ ହୋଇ କହିଲେ–ହଇରେ ଯାଦବ, ସେଦିନ ରମା ଗିନି ଭଙ୍ଗାଇ ଟଙ୍କାଗୁଡ଼ାକ ଆଣିଲା–କେଉଁଠି ରଖିଲା କହିଲୁ ?

 

‘‘ଟଙ୍କା ? ଗିନିର ଟଙ୍କା ?’’ –ନିଦବାଉଳାରେ ସେ ଯେପରି ବୁଝି ପାରୁ ନ ଥାଏ ।

 

ହଁରେ ହଁ, ସେହି ଟଙ୍କା । ରମାକାନ୍ତ ତା’ର ଏ ଭଙ୍ଗୀ ଦେଖି ଧୈର୍ଯ୍ୟ ଧରି ରହି ପାରିଲା ନାହିଁ । ଧଳା ଧଳା, ଗୋଲ ଗୋଲ–ସେହି ଟଙ୍କା । କେବେ ଆଖିରେ ଦେଖି ନାହୁଁ ?

 

‘‘–ମୁଁ ତ ଦେଖିନାହିଁ ମାଆ, ସେ କେଉଁଠି ରଖିଲେ ?’’

 

ତାହାହେଲେ ସେ ଟଙ୍କାର ଡେଣା ଥିଲା, କଣ କୁଆଡ଼େ ଉଡ଼ିଗଲା ? ଉଡ଼ିଯିବା କଥାଟା ଶୁଣି ମଧ୍ୟ ଯାଦବର ନିଦ ପୁରାଟା ଭାଙ୍ଗି ନାହିଁ । ଦେଖୁଛ ମାଆ, ମିଛଟାରେ ମୁଁ କହେଁ ଭାଙ୍ଗ, ଗଞ୍ଜେଇ ଖାଇଛି ବୋଲି ?

 

ଦୁର୍ଗାବତୀ ଏଥର ଗମ୍ଭୀର ହୋଇ କହିଲେ–ହଁ ଉଡ଼ି ଯାଇଛି ! କିନ୍ତୁ ଏ କଥା ସତ, ଗିନିର ଡେଣା ନଥିଲା । କିପରି ଉଡ଼ିଗଲା ?

 

ମୁଁ ? ମୁଁ କିପରି ଜାଣିବି ମାଆ ? –ଲଜ୍ଜା, ଭୟ, ଅପମାନରେ ଯାଦବର ମୁହଁ କଳା ପଡ଼ିଗଲା ?

 

ତୁ ଜାଣିଲୁ ନାହିଁ; ମୁଁ ଜାଣେନାହିଁ, ତେବେ କି ରମା ଜାଣିବ ? ତାର ପରୀକ୍ଷାର ଜମା ଦେବା ଟଙ୍କା ସେ ଚୋରି କରିଛି ତାହାହେଲେ ? ଏଇଆ ତ କହିବାକୁ ଚାହୁଁ ?

 

ତେବେ ମୁଁ କଣ ଚୋରି କରିଛି ? –ହଠାତ୍‍ ଭେଁ କରି ଯାଦବ କାନ୍ଦି ଉଠିଲା ।

 

ଯାହାହେଉ ସନ୍ଦେହ ଆଉ ରହିଲା ନାହିଁ । ଚୋର ତ ଭୟ ପାଇ ଯାଇଛି ।

 

ଦୁର୍ଗାବତୀ ଏଣିକି କାର୍ଯ୍ୟଟି ଉଦ୍ଧାର ପାଇବା ଆଶାରେ ଖୋସାମଦ କରିବାକୁ ଲାଗିଲେ-। କହିଲେ–ତୁ ପିଲାଲୋକ, ନ ବୁଝି ନ ଶୁଝି ଗୋଟିଏ ଅପକର୍ମ କରି ପକାଇଛୁ । ଆଉ କ’ଣ ହେବ-? ଟଙ୍କାଗୁଡ଼ାକ ଦେଇ ଦେ । ଗୋଟିଏ ଯୋଡ଼ିଏ ଟଙ୍କା ଯଦି ଖର୍ଚ୍ଚ କରି ପକାଇଛୁ ତେବେ ସେଥିଲାଗି କିଛି କହିବି ନାହିଁ !

 

କିନ୍ତୁ ରମାକାନ୍ତ ଖୋସାମଦ କଥା ଜାଣେ ନାହିଁ । ସେ ଗର୍ଜନ କରିବାକୁ ଲାଗିଲା । ତେବେ ମଧ୍ୟ ଯାଦବର ଏକ ଭାବ । ଖାଲି କଇଞ୍ଚ ପରି ମୁହଁଟାକୁ କରି, ବସି ଆଖି ପୋଛୁ ଥାଏ ।

 

ଦୁର୍ଗାବତୀ ଅବାକ । କୌଣସି ପ୍ରକାରେ ତାକୁ ନିଜ କବଳ କରି ପାରିଲେ ନାହିଁ । ଶେଷରେ ସେ କହିଲେ–ରହ, ତୋତେ ଏଥର ଦେଖିବି ତୁ କେଡ଼େ ଜିଦ୍‍ ଖୋର ହୋଇଛୁ । ଆଉ ମୁଁ କେଡ଼େ । କାଲି ସକାଳେ ପୁଲିସି ଡାକି ଆଗ ବିଛୁଆତି ହେଉ କିବା ବାଇଡଙ୍କ ହେଉ ପିଠିରେ ଲଗେଇ ତୋର ବଦ୍‍ମାସ ବୁଦ୍ଧିତକ ଛଡ଼ାଇ ଦେବି । ରମାକାନ୍ତର ଓକିଲାତି ପରୀକ୍ଷା ଦେବା ଆଉ ହେବ ନାହିଁ । ଏ ଦୁଃଖ କଣ ମୁଁ ଭୁଲି ପାରିବି ? ତୋ ପିଠିରୁ ଛାଲ ଉଠାଇ ଏହାର ପ୍ରତିଶୋଧ ନେବି ।

 

ହଠାତ ଯାଦବ କହିଲା–ତେବେ ବାବୁଙ୍କର ପରୀକ୍ଷା ଦେବା କଥା କଣ ହେବ ନାହିଁ ?

 

ରମାକାନ୍ତ ଆଉ ସହି ପାରିଲା ନାହିଁ । ସେ ଠୋ ରସେ ଗୋଟିଏ ନିର୍ଦ୍ଧୁମ ଚାପୁଡ଼ା ତାର ଗାଲରେ ବସାଇ ଦେଲା । ବଦ୍‍ମାସ ପାଜି ଆଦି ଗାଳିମନ୍ଦ ଚଳାଇଲା । ହଇରେ ପାଜି ତୁ ଜାଣି ନାହୁଁ ଘରେ ମୋର ଟଙ୍କା କଣ ପୋତା ହୋଇଛି–ନା କଣ ? କାଲି ଟଙ୍କା ଜମାଦେବାର ଶେଷ ଦିନ-

 

ଦୁର୍ଗାବତୀ କହିଲେ–ଆରେ ରମା, ସେ କୌଣସି ପ୍ରକାରେ ଶୁଣିବ ନାହିଁ । କାଲି ତୁ ପୁଲିସିକୁ ଖବର ଦେ–ତେଣିକି ତା କପାଳରେ ଯାହା ଥିବ ।

 

ପରଦିନ ସକାଳେ ଯାଦବ ଆଉ କୌଣସି କାମ କରିଲା ନାହିଁ । ସେ ଶୋଇ ରହିଲା ପ୍ରାୟ ବେଳ ଆଠଟା ଯାଏ ।

 

ସେଦିନ ଦୁର୍ଗାବତୀଙ୍କର ଏକାଦଶୀ । ରମାକାନ୍ତ କହିଲା, ଦେହ ମୋର ଭଲ ଲାଗୁ ନାହିଁ । ଭାତ ଖାଇବି ନାହିଁ । ରନ୍ଧାରାନ୍ଧି ବିଲକୁଲ୍‍ ବନ୍ଦ ରହିଲା ।

 

ଦ୍ୱି ପ୍ରହର ବେଳ । ବାରଟା ବାଜି ଗଲାଣି । ଶୋଇ ଶୋଇ ଆକାଶ ପାତାଳ କଥା ଭାବୁଛି, ରମାକାନ୍ତ । ଏବେ କି ଉପାୟ କରିବ ସେ । ଏଣୁ ତେଣୁ କେତେ ଚିନ୍ତା କଲା ପରେ ଯାଦବକୁ ତଡ଼ିଦେବା କଥା ଚିନ୍ତା କଲା । ପରିଶେଷରେ ତାହାହିଁ କଲା ।

 

ଏତିକିବେଳେ ଯାଦବ ଆସି ପହଞ୍ଚି ଡାକିଲା । –ବାବୁ ?

 

–ଏହି ନିଅନ୍ତୁ ଟଙ୍କା । ଜମା ଦେଇ ଆସନ୍ତୁ ।

 

–କଣ କହିଲୁ ? ରମାକାନ୍ତ ଗର୍ଜନ କରିଉଠିଲା । ସଙ୍ଗେ ସଙ୍ଗେ ଚିଲ ମାଇଲା ଭଳି ଟଙ୍କାତକ ତା ହାତରୁ ଛଡ଼ାଇ ନେଲା । ଯାଦବ ଭୟ ଓ କାତରରେ ବରଡ଼ା ପତ୍ର ଭଳି ଥରୁଥାଏ ।

 

ପୁଲିସିର ଭୟରେ ଟଙ୍କା ବାହାରିଲା କିପରି ? ଏହି ଟଙ୍କା ଯଦି କାଲି ଫେରାଇ ଦେଇଥାନ୍ତୁ–ଶଇତାନ, ବଦମାସ୍‍, ପାଜି, ଗୁଣ୍ଡା ।

 

ବର୍ତ୍ତମାନ ସମୟ ଅଛି । ଯାଦବର କଣ୍ଠସ୍ୱର ଯେପରି ଅତି କ୍ଷୀଣ । ପାଞ୍ଚଟା ବର୍ତ୍ତମାନ ବାଜି ନାହିଁ ।

 

ହଁ ଖୁବ୍‍ ପାଠ ଶିଖିଛୁ ! ହଠାତ୍‍ ଭୟରେ ରାତି ରାତି ସବୁ ଶିଖି ପକାଇଛୁ । ଆଚ୍ଛା ଏ କାଗଜ ପୁଡ଼ା ଭିତରେ କେତେ ଅଛି ?

 

ଏକଶହ ବାଷଠି ଟଙ୍କା ଆଠଅଣା !

 

ଆରେ ଗୋଟେ ଫଟା ପାହୁଲା ଖରଚ କରିନାହିଁ । ଯାଉଛି ଦେଖିବି; ଯଦି ଏବେ........ମା, ମା ଶୀଘ୍ର ଦଉଡ଼ି ଆ ! ଦେଖିଲୁ !

 

ଦୁର୍ଗାବତୀ ଉପରୁ ତଳକୁ ଆସି ସବୁ ଶୁଣି କିଛି କାଳ ପାଇଁ ସ୍ତମ୍ଭିତ ହୋଇଗଲେ । ତାପରେ କହିଲେ, ‘‘ଛି, ଛି ଯାଦବ, ତୁ କି କଥା ନ କଲୁ’’–କଥାରେ ଅଛି; ଲୋଭରୁ ପାପ ତାପରେ ମୃତ୍ୟୁ ! ସେ ଯାହା ହେଉ, ଠିକ୍‍ ସମୟରେ ତୋର ବୁଦ୍ଧି ହୋଇଛି ଏତିକି ଭଲ–ପୁଲିସି ହାତରେ ପଡ଼ିଥିଲେ କି ଦୁଃଖ ଦୁର୍ଗତି ଭୋଗିବାକୁ ପଡ଼ି ନ ଥାନ୍ତା ।

 

ପୁଲିସି ଭୟରେ ସୁମତି ଆସିଛି; ଏଥିରେ ସନ୍ଦେହ ନାହିଁ ।

 

ରମାକାନ୍ତ ବାହାରି ଗଲେ । ଯାଦବ ମଧ୍ୟ ତା ପରେ ଧୀରେ ଧୀରେ ସେଠାରୁ ଚାଲିଗଲା ।

 

ଦୁର୍ଗାବତୀ ମନେ ମନେ ହସିଲେ କହିଲେ ପେଟର ଜ୍ୱାଳ ।

 

ଟଙ୍କା ଜମା ଦେଇ ହସି ହସି ରମାକାନ୍ତ ଘରକୁ ଫେରି ଆସିଲା । ଦେଖିଲା; ମାଆ କାଠ ପରି ବସି ରହିଛନ୍ତି । ତାଙ୍କ ପାଖରେ କେତେ ଗୁଡ଼ିଏ ଦଶ ଦଶ ଟଙ୍କିଆ ନୋଟ ପଡ଼ି ରହିଛି ।

 

–ଏକ କଣ ମାଆ ?

 

ଦୁର୍ଗାବତୀ ବୋକା ପରି ମୁହଁ ତଳକୁ କଲେ ।

 

ଟଙ୍କା କୁଆଡୁ ଆସିଲା ?

 

ସେହି ଟଙ୍କା; ସେହି ଗିନି ବିକା–

 

କଣ କହୁଛୁ ମାଆ ! କେଉଁଠି ଥିଲା ?

 

ରମାକାନ୍ତ ଚିତ୍କାର କରି ଉଠିଲା ।

 

ବିଛଣା ତଳେ ରଖି ମୁଁ ଭୁଲି ଯାଇଥିଲି । ଠିକ୍‍ ସେହିପରି ରହିଛି । ଦୁର୍ଗାବତୀ ଆଧୁଲିଟାକୁ ହାତରେ ଧରି ଦେଖାଇଲେ । ଅନେକ କ୍ଷଣ ପରେ ରମାକାନ୍ତ ମାଆକୁ ପଚାରିଲା–ତେବେ ସେ ଟଙ୍କା ଯାଦବ ଆଣିଲା କେଉଁଠୁ ?

 

ଜାଣେ ନାହିଁ ।

 

କାହିଁ ସେ ? କୁଆଡ଼େ ଗଲା ?

 

ତା କହି ପାରିବି ନାହିଁ । ତୁ ଚାଲିଗଲା ପରେ ସେ ଘରୁ ବାହାରି ଯାଇଛି ।

 

ଯାଦବ ଘରୁ ଚାଲିଯିବା ପୂର୍ବରୁ ସୁଉକି ଟିଏ ତାକୁ କଣ ଖାଇବାକୁ ଦେଇଥିଲେ–କିନ୍ତୁ ଦୁର୍ଗାବତୀଙ୍କ ଅଜ୍ଞାତରେ ଯାଦବ ସେହି ସୁଉକିଟାକୁ ବିଛଣା ଉପରେ ରଖିଦେଇଥିଲା–ଯେପରି ଦୁର୍ଗାବତୀଙ୍କୁ ବ୍ୟଙ୍ଗ, ବିଦ୍ରୁପ କରିବା ପାଇଁ ।

 

ତିନି ଦିନ ଗଲା ପରେ ଜଣେ ଦୋକାନୀ ଯାଦବକୁ ଖୋଜିବାକୁ ଆସିଲା । ଯାଦବ ନିତି ତାଙ୍କ ଦୋକାନରେ କାର୍ଯ୍ୟ କରେ । ଏବେ ତିନି ଦିନ ହେଲା ସେ କାମକୁ ଯାଇ ନାହିଁ ।

 

କି କାମ କରେ ?

 

କାର୍ଯ୍ୟ ସାମାନ୍ୟ; ଆଳୁର ଚୋପା ଛଡ଼ାଇବା, ଅଟା ମଇଦା ଚକଟିବା, ଚୁଲିରେ କୋଇଲା ଦେବା, ବାସନ ଧୋଇବା । ଦୁଇ ପ୍ରହର ବେଳଯାଏ–ଦୁଇଘଣ୍ଟା ଲାଗି ପ୍ରତିଦିନ ବାର ଅଣା ମଜୁରି ପାଏ ।

 

ଦୋକାନୀ କହିଲା–ସେ ମୋ ପାଖରେ ତାର ସମସ୍ତ ଟଙ୍କା ଜମା ରଖେ–କହିଲା ଟଙ୍କା ଜମାଇ ଶହେ କି ଦୁଇଶ ହେଲେ ମାଷ୍ଟରଙ୍କ ଟିଉସନ୍‍ ଦରମା ଦେଇ ଲେଖା ପଢ଼ା ଶିଖିବି ।

 

ଶୁଣନ୍ତୁ କଥା ! କଥା କହିବାରେ ଓସ୍ତାଦ୍‍ ! ପୁଣି କହେ ଲେଖାପଢ଼ା ନ ଶିଖିଲେ ମନୁଷ୍ୟ ଜନ୍ମ ଅସାର–।

 

ହଠାତ୍‍ ଆଜକୁ ତିନି ଦିନ ଆଗେ ମୋ ପାଖରେ ପହଞ୍ଚି ଯାଦବ କହିଲା–ମାଆଙ୍କର ଦେହ ବଡ଼ ଖରାପ । ଗାଁରୁ ଖବର ଆସିଛି ଟଙ୍କା ପଠାଇବାକୁ । ଏହା କହି ମୋ ପାଖରେ ବାକୀ ଥିବା ଟଙ୍କା ତକ ନେଇ ଚାଲି ଯାଇଛି । ଆଉ ଆସି ନାହିଁ । ଗାଁକୁ କଣ ଚାଲିଗଲା କି ? କହି ପାରିବେ ? ଏହି ଘରେ ସେ ରହେ ବୋଲି ମୋତେକହିଥିଲା ।

 

ମାଆ ପୁଅ ଦୁହେଁ ପରସ୍ପରକୁ ଧରି ଅବିରଳ ଚକ୍ଷୁରୁ ଲୁହ ବୁହାଇଲେ । ତାହା କେତେବେଳେ ବନ୍ଦ ହେଲା କେହି ଜାଣିଲେ ନାହିଁ ।

☆☆☆

 

ଅଶ୍ରୁ ବର୍ଷଣ

 

ପ୍ରଭାତର ମନଟା ଆଜି–

 

ଭାରୀ ଖରାପ ହୋଇ ଯାଇଛି । ସକାଳେ ସେ ଖେଳିବାକୁ ଯାଇଥିଲା । ସେଠାରୁ ଫେରି ଆସିଲା ପରେ ମାଆକୁ ଆଉ ଦେଖିବାକୁ ପାଉ ନାହିଁ । ଜେଜେମାଆ କହିଲେ–‘‘ମାଆ ମାମୁ ଘରକୁ ଯାଇଛି–ଦୁଇଦିନ ପରେ ଫେରି ଆସିବ ।’’

 

କଥାଟା ପ୍ରଭାତକୁ ମୋଟେ ଭଲ ଲାଗୁ ନଥିଲା । ମାଆ ତ ତାକୁ ଛାଡ଼ି ଦେଇ କେବେ କୁଆଡ଼େ ଯାଏ ନାହିଁ । ସେ ଯାହାହେଉ, ତାର ମାଆ ଉପରେ ଅଭିମାନ ଆସିଲା । ସେହି ଅଭିମାନରେ ତାର ଚକ୍ଷୁରୁ ଅବିରଳ ଅଶ୍ରୁଧାରା ବହିବାକୁ ଲାଗିଲା । ଜେଜେମାଆଙ୍କ ପିଠିରେ ଦୁମ୍‍ ଦୁମ୍‍ ଦୁଇଟା ବିଧା ମାରି କହିଲା–‘‘କାହିଁକି ତୁ ମାଆକୁ ମାମୁ ଘରକୁ ଛାଡ଼ି ଦେଲୁ ?’’

 

ଜେଜେମାଆ କୌଣସି ପ୍ରକାରେ ନିଜର ମନ ଦୁଃଖ ମନରେ ମାରି କହିଲେ–‘‘ଆରେ ମୋ ପାଗଲା–ଦୁଇ ଘଣ୍ଟା ବି ମାଆକୁ ଛାଡ଼ି ରହିପାରୁ ନାହିଁ ।’’

 

ପ୍ରଭାତ ଭୋଭୋରଡ଼ି ଛାଡ଼ିଲା–ମୋତେ ମାମୁଘରକୁ ନେଇ ଚାଲ ।

 

କାନ୍ଦ ଶୁଣି ପ୍ରଭାତର ବାପା ଆସି ପଚାରିଲେ–କଣ ହୋଇଛି ମୋ ବାପାର ?

 

ପ୍ରଭାତ କାନ୍ଦି କାନ୍ଦି କହିଲା–‘‘ମୁଁ ମାଆ ପାଖକୁ ଯିବି ।’’ ପ୍ରଭାତର ବାପା କିଛି ଉତ୍ତର ନ ଦେଇ ପାରି ସେଠାରୁ ଚାଲିଗଲେ ।

 

ଦୁଇଦିନ ପରେ ତୃତୀୟ ଦିନ ସକାଳେ ଶେଜରୁ ଉଠି ପ୍ରଭାତ ପଚାରିଲା–ମାଆ ଆସିଛି-?

 

ଜେଜେ ମା କହିଲେ–ଏତେ ଦିନ ପରେ ବାପଘର ଯାଇଛି । ବୋଧହୁଏ ଉପର ଓଳି ଆସିବ ।

 

ପ୍ରଭାତ ଟିକିଏ ବିରକ୍ତ ହୋଇ କହିଲା–ମୁଁ ଖାଇବି ନାହିଁ କି ଗାଧୋଇବି ନାହିଁ–କି ପଢ଼ିବାକୁ ଯିବି ନାହିଁ । କିଛି କରିବି ନାହିଁ ।

 

ଜେଜେ ମାଆ କହିଲେ–ମୋ ସୁନା ପୁଅଟି ପରା ! ସେପରି ହୁଅନା । ସଂଜ ଆଗରୁ ସେ ନିଶ୍ଚୟ ଫେରିଆସିବ । ଫେରି ଆସିଲେ କେତେ ବଡ଼ ବଡ଼ କୋରା, ସନ୍ଦେଶ, ଗୋଲାପଜାମୁ, ରାଜଭୋଗ ଆଦି ଆଣିଥିବ । ତୋତେ ଦେଇ କେତେ ଗେଲ କରିବ ।

 

ପ୍ରଭାତ କହିଲା–‘‘ମୁଁ ତ ମାଆକୁ କଥା କହିବି ନାହିଁ ।’’

 

ଜେ–ଜେ–ମାଆ କହିଲେ ହଁ ଠିକ୍‍, କଥା ନ କହିଲେ ସେ ଜବଦ ହେବ ।

 

ପ୍ରଭାତ କିଛି ସମୟ ଚୁପ୍‍ ହୋଇ ଯାଇ ପଚାରିଲା–ଉପରବେଳା ଯଦି ସେ ନ ଆସେ-?

 

ଜେଜେ ମାଆ ପଚାରିଲେ–ତୁ ଅଝଟ ହେଉଛୁ କାହିଁକିରେ ପ୍ରଭା–ସେ ନିଶ୍ଚୟ ଆସିବ – ଆସିବ ।

 

ପ୍ରଭାତ ଖେଳି ସାରି ସନ୍ଧ୍ୟାବେଳେ ଘରକୁ ଆସି ଦେଖେ ମାଆ ସେପର୍ଯ୍ୟନ୍ତ ଆସି ନାହିଁ, ସେତେବେଳେ ପ୍ରଭାତ ମହାବିପଦ ସୃଷ୍ଟି କଲା । ଖାଇବା ଥାଳି ଫିଙ୍ଗି, ଲୁଗାପଟା ଚିରି ଚିତ୍କାର ଉପରେ ଚିତ୍କାର କରି କାନ୍ଦିବାକୁ ଲାଗିଲା । ତାକୁ ତାର ବାପା, ଜେଜେ ମାଆ ଓ ସାଇ ପଡ଼ିଶାର ଯେତେ ଲୋକ ଥିଲେ କେହି ବନ୍ଦ କରି ପାରିଲେ ନାହିଁ । ଜେ–ଜେ–ମାଆ କହିଲେ–ଚାଲ, ପ୍ରଭାତ, ଆମର ଆଜି ଛାତ ଉପରେ ଶୋଇବା ।

 

ଛାତଟା ଥିଲା ପ୍ରଭାତର କଳ୍ପନା–ରାଇଜ । ତାର ମାଆ ଗ୍ରୀଷ୍ମଦିନ ରାତିରେ ସମୟେ ସମୟେ ଛାତ ଉପରେ ବିଶ୍ରାମ କରନ୍ତି । ବିରାଟ ନୀଳ ଆକାଶ ତଳେ ରହି ତାରକାମାନଙ୍କ ସମ୍ୱନ୍ଧରେ କେତେ ପ୍ରକାରର ଅଦ୍ଭୁତ ପ୍ରଶ୍ନ ଉଠାଇ ପ୍ରଭାତ ମାଆକୁ ବ୍ୟତିବ୍ୟସ୍ତ କରିପକାଏ ।

 

ମାଆ ଶେଷରେ ବିରକ୍ତ ହୋଇ କହନ୍ତି–ମୁଁ ଆଉ ପାରିବି ନାହିଁ । ତୋ ସାଥିରେ କିଏ ଆଉ ଏତେ ବକର ବକର ହେବ । କାହାର ବଳ ଅଛି ! ଏଥର ଶୋଇପଡ଼ । ତା ପରେ ମାଆ ପ୍ରଭାତ ପିଠିରେ ଥିରି ଥିରି ହାତ ମାରି ‘‘ଆ–ଜହ୍ନମାମୁ–ଶରଦ–ଶଶୀ–ମୋ ପ୍ରଭା ହାତରେ ପଡ଼ରେ ଖସି ।’’ ଏହି ଚିର–ପୁରୁଣା ଓ ଚିର ନୂତନ ଗୀତଟି ଗାଇ ଗାଇ ଶୋଇ ପକାନ୍ତି । ପ୍ରଭାତକୁ ନିଦ ଆସିଯାଏ । ସେ ଜାଣିପାରେ ନାହିଁ ।

 

ଜେ–ଜେ–ମାଆ ସେଦିନ ଛାତ ଉପରେ ଶୋଇବା କଥା ଉଠାଇବାରୁ ପ୍ରଭାତ ମାଆ କଥା ଭୁଲି ଯାଇ କହିଲା–ଚାଲ ଜେଜେ ମାଆ ଚାଲ ଏହିକ୍ଷଣି । ଉପରକୁ ଯାଇ ବିଛଣାରେ ଶୋଇଛି କି ନାହିଁ ପ୍ରଭାତ ଆସ୍ତେ ଆସ୍ତେ ପଚାରିଲା–ମାଆ କାହିଁକି ଆସିଲା ନାହିଁ ଜେଜେ ମାଆ ! ସେତେବେଳେ ପ୍ରଭାତକୁ କାନ୍ଦ କାନ୍ଦ ଲାଗି ଆସୁଥାଏ ।

 

ଜେଜେ ମାଆ କୌଣସି ଉତ୍ତର ନ ଦେବାରୁ ପ୍ରଭାତ ଚୁପ୍‍ କରି କଣ ଭାବିବାକୁ ଲାଗିଲା-। ଟପ୍‍ କରି ଏକ ଟୋପା ଜଳ ତାର ହାତ ଉପରେ ପଡ଼ିବାରୁ ସେ ମୁହଁ ଟେକି ଦେଖିଲା ଜେଜେ ମାଆର ଦୁଇ ଚକ୍ଷୁ ଅଶ୍ରୁ ଜଳରେ ଥର ଥର କରୁଛି । ଚାରି ଚକ୍ଷୁର ମିଳନ ହୋଇ ଯିବାରୁ ଜେଜେ ମାଆ ମୁହଁଟା ବୁଲାଇ ନେଇ ଆଖିରୁ ଲୋତକ ପୋଛି କହିଲେ–ମୋ ପ୍ରଭା, ଶୋଇପଡ଼ ମୋ ଧନ, ଶୋଇ ପଡ଼ ।

 

ପ୍ରଭା କୌଣସି କଥା ନ କହି ଆଖି ବୁଜି ପକାଇଲା । ଜେଜେ ମାଆ ପ୍ରଭା ପିଠିରେ ଆସ୍ତେ ଆସ୍ତେ ହାତ ଥାପି ଥାପି ଗୁଣୁ ଗୁଣୁ କରି ‘‘ଆ, ଜହ୍ନ ମାମୁଁ ଶରଦ ଶଶୀ’’ ଗୀତଟି ବୋଲିବାକୁ ଲାଗିଲେ ।

 

ଜେଜେ ମାଆର ମୁଖରୁ ଏହି ବିଶ୍ରାମଦାୟକ ଗୀତଟି ସେ ଆଜନ୍ମ ଶୁଣି ଆସିଛି । କିନ୍ତୁ ଆଜି ତାଙ୍କ କଣ୍ଠର କରୁଣ ସ୍ୱର ତାର ଶିଶୁ–ହୃଦୟ । ଯେପରି ଦୋହଲାଇ ଦେବାକୁ ଲାଗିଲା । ତାର ମନେ ହେଲା ଏହି ସ୍ୱର ସହିତ ତାର ମାଆ ଚାଲି ଯିବାର ଯେପରି ଅତି ନିକଟ ସମ୍ୱନ୍ଧ ଅଛି ।

 

ପ୍ରଭା ଶୀଘ୍ର ଉଠି ପଡ଼ି ଜେଜେ ମାଆଙ୍କ ପାଟିକୁ ନିଜର ଡାହାଣ ହାତର ପାଞ୍ଚ ଆଙ୍ଗୁଠିରେ ବନ୍ଦ କରି ଜହ୍ନମାମୁଁ ଗୀତ ଆଉ ନ ବୋଲିବା ପାଇଁ ଅଳି କଲା । କହିଲା–ଜେଜେ ମାଆ, ଜହ୍ନମାମୁଁ ଭାରି ଦୁଷ୍ଟ–ସେ ମାଆକୁ ଛାଡ଼ୁ ନାହିଁ । ଜେଜେ ମାଆ, ଏହିପରି କେତେ ଆଡ଼ୁ କେତେ ଗୀତ ଗାଇ ଗାଇ ପ୍ରଭାକୁ ଶୁଆଇ ପକାଇଲେ ।

 

ପ୍ରଭାର ମାଆ ତା ପରଦିନ ଆସିଲେ ନାହିଁ । କି ତା ପରଦିନ ମଧ୍ୟ ଆସିଲେ ନାହିଁ । ମୋଟ କଥା ସେ ଆଉ କୌଣସି ନିନ ଆସିଲେ ନାହିଁ ।

 

ପ୍ରଭା ବଡ଼ ହେବାକୁ ଲାଗିଲା । ମାତୃହୀନ ଏହି ପୃଥିବୀକୁ ସେ ମନେ ମନେ ସ୍ୱୀକାର ନ କଲେ ମଧ୍ୟ କ୍ରମେ ସେହିଟା ତାର ସହ୍ୟ ହୋଇଗଲା । ସେ କ୍ରମେ କ୍ରମେ ବୁଝି ପାରିଲା ତାର ମାଆ ଯେଉଁ ମାମୁଁ ଘରକୁ ଯାଇଛି, ସେହି ମାମୁଁ ଘରକୁ ଥରେ ଗଲେ ଆଉ କୌଣସି ମାଆ ଫେରି ଆସନ୍ତି ନାହିଁ । ସେହି ଦିନଠାରୁ ସେ ମାଆ କଥା କହି ଆଉ ଜେଜେ ମାଆକୁ ମାରେ ନାହିଁ କିମ୍ୱା ଅଝଟ ହୁଏ ନାହିଁ ।

 

ପ୍ରତିବେଶିନୀଗଣ ଜେଜେ ମାଆଙ୍କ ସହିତ ଦେଖା କରିବାକୁ ଆସନ୍ତି । ସେଠାରେ ମାଆ କଥା ପଡ଼ିଲେ ପ୍ରଭା ଆଉ ଘରେ ନ ରହେ । ସେ ଘରୁ ବାହାରି ଯାଇ ଗ୍ରାମର ଶେଷ ଭାଗରେ ଗୋଟିଏ ବଡ଼ ପଡ଼ିଆ ଅଛି, ସେଠାରେ ବସେ । ସନ୍ଧ୍ୟା ପର୍ଯ୍ୟନ୍ତ ସେଠାରେ ବସି ବସି ଘରକୁ ଫେରି ଆସେ । ଜେଜେ ମାଆ ପଚାରିଲେ କିଛି କହେ ନାହିଁ ।

 

ଏହିପରି ପ୍ରଭାର ଦିନ କଟିବାକୁ ଲାଗିଲା । ବଡ଼ ହେବା ସଙ୍ଗେ ସଙ୍ଗେ ତାର ସଂସାରର ଅନେକ ପରିବର୍ତ୍ତନ ହେବାକୁ ଲାଗିଲା । ତାର ଜେଜେମାଆ ସଂସାରରୁ ଚିର ବିଦାୟ ନେଲେ । ତାରି ମାଆ ବଦଳି ଆଉ ଜଣେ ନୂଆ ମାଆ ଆସିଲେ । ପ୍ରଭା ସ୍କୁଲକୁ ପଢ଼ିବାକୁ ଗଲା । ସେଠାରେ ସେ ଅନେକ ବଂଧୁ ଦେଖିଲା । କିନ୍ତୁ ସବୁ ଦୁଃଖ–ସୁଖ–ହାସ୍ୟ–ଅଶ୍ରୁ ମଧ୍ୟେ ସେହି ତାର ପିଲା ଦିନର ହଠାତ୍‍ ପଳାଇଯିବା ମାଆ କଥା ମନେ ପଡ଼ି ମଝିରେ ମଝିରେ ତାକୁ ଆକୁଳ କରି ପକାଉଥାଏ ।

 

ସ୍କୁଲରେ ପ୍ରଭା ଭଲ ପଢ଼ା ପଢ଼ି କରୁ ନଥିଲା । ସେଠାରେ ଟିକିଏ ଅନ୍ୟାୟ ଦେଖିଲେ ଶିକ୍ଷକମାନେ ଦଣ୍ଡ ଦିଅନ୍ତି । ଘରେ ପଢ଼ାଲାଗି ବାପାଙ୍କ ପାଖରୁ ଗାଳି–ପୁଣି ତା ଉପରେ ନୂଆ ମାଆର ସବୁପ୍ରକାର ଗଞ୍ଜଣା ସହିବାକୁ ପଡ଼ୁଥାଏ । ସେ ବହୁତ ଚେଷ୍ଟା କରେ; କିନ୍ତୁ ପଢ଼ା ଦେବାବେଳେ କିଛି ମନେ ରହେ ନାହିଁ । ଏହି ଦୁଃଖ ମଧ୍ୟରେ ରହି ରହି ସେ ଯେପରି ତାର ଅନ୍ତର ହୋଇଯାଇଥିବା ମାଆର ଆହାନ ଶୁଣିବାକୁ ପାଏ । ଯେପରିକି କୌଣସି ଅଜଣା ଦେଶରୁ ମାଆ ତାକୁ ଡାକୁଛି । ସେଠାକୁ ଗଲେ ଆଉ କୌଣସି କଷ୍ଟ ରହିବ ନାହିଁ ।

 

ଦିନେ ସ୍କୁଲରେ ଓ ଘରେ ପଢ଼ାପଢ଼ି ଲାଗି ଖୁବ୍‍ ଦଣ୍ଡ ମିଳିବାରୁ ମନଟା ତା’ରଭାରି ଖରାପ ହୋଇଗଲା । ଉପରବେଳା ସେ ଖେଳିବାକୁ ନ ଯାଇ ଗାଁମୁଣ୍ଡ ପଡ଼ିଆକୁ ଚାଲିଗଲା । ସେଠାରେ ବସି ନାନା ଆଡୁ ନାନା କଥା ଭାବିବାକୁ ଲାଗିଲା । ଶେଷରେ ଠିକ୍‍ କଲା କାହାକୁ ନକହି ଘରୁ ପଳାଇ ଯିବ । ଆଉ ପଢ଼ା କହିବାକୁ ନ ଥିବ । ବାପାଙ୍କ ପ୍ରହାର କିମ୍ୱା ମାଆଙ୍କ ଗାଳି ଗଞ୍ଜଣ ଆଉ ନ ଥିବ । ଏହି ମୁକ୍ତିର – କଳ୍ପନାରେ ସେ ବର୍ତ୍ତମାନର ସବୁ ଦୁଃଖ ଭୁଲିଗଲା ।

 

ଉପନୟନ ବେଳେ ସେ କେତେକ ଟଙ୍କା ହାତରେ ରଖିଥିଲା ସେତିକ ଧରି ଷ୍ଟେସନ ଅଭିମୁଖେ ଯାତ୍ରା କଲା ।

 

ଖଡ଼ଗପୁରରେ ପ୍ରଭାର ପ୍ରାୟ ଦଶ ବର୍ଷ କଟିଗଲା । ଏହା ଭିତରେ କେତେ ଯାଗାରେ ସେ କାମ କଲାଣି । ବର୍ଦ୍ଧମାନ, ଚିତ୍ତରଞ୍ଜନ ଓ ନିମପୁରା ଆଦି । କେତେ କେତେ ଦିନ ନ ଖାଇ ନ ପିଇ ଭୋକ ଉପାସରେ କଟାଇଛି । କେତେ କେତେ ବିପଦରୁ ରକ୍ଷା ପାଇଛି । ଶେଷରେ ଜଣେ ଦୟାଳୁ ଲୋକ ନିଜ ଅଫିସରେ ପିଅନ ଚାକିରି ଖଣ୍ଡିଏ କରାଇଦେଲେ । ସେ ଅଲଗା ଗୋଟିଏ ଘରଭଡ଼ା ନେଇଛି । ନିଜେ ନିଜେ ରାନ୍ଧେ ଓ ଖାଏ । ଏହାଭିତରେ ଦିନେ ବୋଲି ସେ ନିଜ ଗାଁକୁ ଯାଇ ନାହିଁ । ଘରର ସେ କାହାରି ସମ୍ୱାଦ ରଖେ ନାହିଁ । ଘରେ ମଧ୍ୟ କେହି ତାହାର ସମ୍ୱାଦ ରଖନ୍ତି ନାହିଁ । ସେ ଆଉ ପିଲା ନୁହେଁ– ଜଣେ ଯୁବକ ।

 

ଦିନେ ପ୍ରଭାର ଗାଁକୁ ଯିବାକୁ ଭାରି ମନ ହେଲା । ସେ ଅଫିସରୁ କିଛି ଦିନ ଛୁଟି ନେଇ ଘରକୁ ଗଲା । ଘର ପାଖରେ ପହଞ୍ଚି ଦୂରରୁ ତାର ରଘୁ କକେଇଙ୍କୁ ଦେଖିଲା । ରଘୁ କକେଇ ସେତେବେଳେ ବାଇଗଣ ବାଡ଼ିରୁ ବାଇଗଣ ତୋଳୁଥିଲେ । ସେ ପ୍ରଭାର ଡାକ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ । କହିଲେ–ଆରେ ପ୍ରଭା । ଏତେ ଦିନ ଧରି କୁଆଡ଼େ ଥିଲୁ ? ଚାଲ ଚାଲ ଆମ ଘର ଭିତରକୁ ।

 

ରଘୁ କକେଇ ପ୍ରଭାକୁ ତାଙ୍କ ଘର ଭିତରକୁ ଡାକି ନେଲେ । ପ୍ରଭା କହିଲା–ମୁଁ ଯାଉଛି, ପରେ ଆସିବି କକେଇ–ପ୍ରଥମେ ଘରେ ସମସ୍ତଙ୍କୁ ଦେଖି ଆସେ ।

 

ରଘୁ କକେଇ ପ୍ରଭାତର ହାତକୁ ଜୋର କରି ଧରି କହିଲେ–‘‘କୁଆଡ଼େ ଯିବୁ ? କାହା ସାଥିରେ ଦେଖା କରିବୁ ?’’

 

ପ୍ରଭା ଶୁଣିଲା ତାଙ୍କ ଘରେ କେହି ନାହାନ୍ତି । ସମସ୍ତେ ଝାଡ଼ା ବାନ୍ତିରେ ଶେଷ ପାଇ ଯାଇଛନ୍ତି । ଗାଁ ଅଧିକାଂଶ ଲୋକଙ୍କର ସେହି ଦଶା । ପ୍ରଭାର ଗୋଟିଏ ସାନ ଭଉଣୀ ଅଛି । ଚନ୍ଦା ପଣ୍ଡିଆଣୀ ତାକୁ ନେଇ ପାଳୁଛି । ପିତୃମାତୃହୀନ ନିରାଶ୍ରୟା ସେହି ପିଲାଟିକୁ ଭାରୀ କଷ୍ଟ ଦିଅନ୍ତି ଇତ୍ୟାଦି ।

 

ଅଜଣା ଅଦେଖା ଏହି ନିରାଶ୍ରୟା ଭଉଣୀ ପ୍ରତି ମମତାରେ ପ୍ରଭାର ମନ ପୂର୍ଣ୍ଣ ହୋଇ ଉଠିଲା । ସେ କହିଲା–ମୋର ଭଉଣୀ ! କଣ ନାମ ତାର ରଘୁ କକେଇ ?

 

ରଘୁ କକେଇ କହିଲେ–ତାକୁ ହଗୁରି ବୋଲି ସମସ୍ତେ ଏଠି ଡାକନ୍ତି । ସେ ହଗି ହଗି ବଞ୍ଚିଛି ବୋଲି ତାର ନାମ ହଗୁରି । ତାର ପ୍ରକୃତ ନାମ ଦିଆ ଯାଇ ନାହିଁ । ତହୁଁ ପ୍ରଭା ତାର ନିଜ ଭଉଣୀ ପାଖକୁ ଧାଇଁ ଗଲା । ସେଠାରେ ସେମାନେ ପ୍ରଭାକୁ ଚିହ୍ନିପାରି କହିଲେ–ଏଥର ତୋର ଭଉଣୀକୁ ତୁ ନେଇ ଯା— ତୁତ’ ରୋଜଗାର କରୁଛୁ–ତୋ ଭଉଣୀ ତୋ ପାଖରେ ରହିବା ଉଚିତ ।

 

ପ୍ରଭା ଭଉଣୀକୁ ଦେଖିବା ପାଇଁ ବ୍ୟସ୍ତ ହୋଇ ପଡ଼ିଲା । ହଗୁରୀ ସେତେବେଳେ ବାଡ଼ି ଆଡକୁ ଯାଇଥିଲା । ସେ ଆସି ଭାଇଙ୍କ ପାଦତଳେ ପ୍ରଣାମ କଲା । ପ୍ରଭା ତାକୁ ଦେଖି ଜାଣି ପାରିଲା–ତାର ବୟସ ପ୍ରାୟ ସାତ କି ଆଠ ବରଷ ହେବ । ଦେହଟି ଗୋରା ଓ ଶରୀରଟି ରୋଗା । ଅବହେଳାରେ ଶୁଖି ଯାଇଛି ଗୋଟିକ ଯାକ ଚେହେରା । ଆଖି ଦୁଇଟି କୋରଡ଼ ଭିତରେ ପଶି ଯାଇଛି, ପିନ୍ଧିଛି ଖଣ୍ଡିଏ ଛିଣ୍ଡା ମଇଳା ଶାଢ଼ି । ତାହା ଶତ ଛିଦ୍ର ପରି ମନେ ହୁଏ । ହାତ ଓ ଗୋଡ଼ ହଳଦିଆ ଦିଶୁଛି ।

 

ପ୍ରଭାକୁ ଦେଖିବା ପାଇଁ ଅନେକ ଲୋକ ସାଇ ଭିତରୁ ଆସି ଜମି ଗଲେ । ସେମାନେ ଚାଲିଗଲାରୁ ପ୍ରଭା ଭଉଣୀକୁ ନିଜ ପାଖକୁ ଡାକିଲା । ହଗୁରି ଅତି ସନ୍ତର୍ପଣରେ ଆସି ଭାଇ ପାଖରେ ବସିଲା । ପ୍ରଭା ପଚାରିଲା–‘‘ମୁଁ ତୋର କଣ ହୁଏ ତୁ ଜାଣୁ ?’’

 

ହଗୁରି ମୁଣ୍ଡ ହଲାଇ କହିଲା–ଜାଣେ !

 

ପ୍ରଭା ତାକୁ ପ୍ରଶ୍ନ କରିବ ଭାବୁଛି, ଏତିକିବେଳେ ହଗୁରି ତାର ମଳିନ–କରୁଣା–ପ୍ରୀତିପୂର୍ଣ୍ଣ ଚକ୍ଷୂରେ ଚାହିଁ କହିଲା–‘ଭାଇ, ମୋତେ ତମ ପାଖକୁ ନେଇଯିବ ?’’

 

ସଂସାରରେ ସ୍ନେହର ଆହ୍ୱାନ କାହାକୁ କୁହାଯାଏ ସେ କଥା ପ୍ରଭା ଏକ ପ୍ରକାର ଭୁଲି ଯାଇଥିଲା । ହଠାତ୍‍ ଏତେଦିନ ପରେ ତା’ର ଏହି ଦୁଃଖୀ ଅଚିହ୍ନା ଭଉଣୀର ମୁଖରୁ ‘ଭାଇ’ ଡାକ ଶୁଣି ପ୍ରଭାର ଚକ୍ଷୁରୁ ଅଶ୍ରୁ ଝରିଲା । ତାର ମନେ ପଡ଼ିଲା ଏହିପରି ବୟସରେ ସେ ତାର ମାଆକୁ ଚିରଦିନ ପାଇଁ ହରାଇଥିଲା । ତା ହୋଇଥିଲେ ମଧ୍ୟ ଏକାବେଳକେ ସ୍ନେହରୁ ବଞ୍ଚିତ ହୋଇ ନାହିଁ । ତା’ର ଜେଜେମାଆ ଥିଲେ–ବାପା ଥିଲେ–କିନ୍ତୁ ଏହାର ଯେ କେହି ନାହିଁ ।

 

ପ୍ରଭା ଭଉଣୀକୁ ସ୍ନେହରେ ଧରି କହିଲା–‘‘ତୋତେ ନେଇ ଯିବି । ତୁ ମୋର ଭଉଣୀ–ତୁ କାହିଁକି ପରଦୁଆରେ ରହିବୁ ମୁଁ ଥାଉ ଥାଉ । ଏମାନେ ତୋତେ ବଡ଼ କଷ୍ଟ ଦିଅନ୍ତି ନା ?

 

ହଗୁରି ଚାରିଆଡ଼କୁ ଚାହିଁ କହିଲା–ହଁ । ସେହିଦିନ ସନ୍ଧ୍ୟାରେ ପ୍ରଭା ହଗୁରିକୁ ଧରି ଟାଟାନଗରୀକୁ ଲେଉଟି ଆସିଲା ।

 

ପ୍ରଭାକୁ ହଗୁରି ନାମଟା ଭଲ ଲାଗୁ ନ ଥାଏ । ସେ ତହୁଁ ସେହିଦିନଠାରୁ ଆଉ ହଗୁରି ନ ଡାକି ‘କନିକା’ ବୋଲି ଡାକିଲା । ହଗୁରିର ନୂତନ ନାମକରଣଟି ହଗୁରି ମନରେ ଅପାର ଆନନ୍ଦ ଅଣାଇଲା ।

 

ଏତେଦିନ ପରେ ପ୍ରଭାକୁ ଗୋଟିଏ ଅବଲମ୍ୱନ ମିଳିଗଲା । ସେ ଅଫିସରୁ ଶୀଘ୍ର ଘରକୁ ଆସି କନିକାକୁ ପଢ଼ାଏ–ପ୍ରତିଦିନ । ରାତିରେ ତାକୁ ଗୋଟିଏ ଲେଖାଏଁ ଭଲ ଭଲ ଗଳ୍ପ ଶୁଣାଏ । କନିକା କଣ ଖାଇବାକୁ ଭଲ ପାଏ, କେଉଁ ଜିନିଷରେ ତା’ର ଶ୍ରଦ୍ଧା ଓ କେଉଁଥିରେ ତା’ର ଅଶ୍ରଦ୍ଧା ଇତ୍ୟାଦି ଖୋଜ ଖବର ରଖେ । ପ୍ରଭାର ମନ ହୁଏ ତା’ର ଭଉଣୀକୁ ଅନେକ ପ୍ରକାରର ଗହଣା ଦେଇ ତାର ମନ ଖୁସି କରନ୍ତା; ମାତ୍ର ଅଳ୍ପ ଦରମା, ଘରଭଡ଼ା ଓ ଖାଇବା ପିଇବାରେ ସବୁତକ ଖରଚ ହୋଇଯାଏ । ତା’ ହେଲେ ମଧ୍ୟ ପ୍ରଭା ବଡ଼ ହୁସିଆର । ସେ ମଝିରେ ମଝିରେ କିଛି ପଇସା ଜମା କରି ଗୋଟେ ଦୁଇଟା ଗହଣା କନିକାପାଇଁ ଗଢ଼ି ଦେଲା ।

 

କନିକା ରାନ୍ଧେ, ବାଢ଼େ, ଓ ଲୁଗା ଆଦି ସଫା କରେ । ନାନାପ୍ରକାର ସିଲାଇ କାମ କରେ । ପ୍ରଭା ଗଣ୍ଡିଏ ଊଣା କରି ଖାଇଲେ ସେ ମୁହଁ ଶୁଖାଇ କହେ–‘‘ଭାଇ ! ଏପରି ଖାଇଲେ ଶରୀରରେ ବଳ କୁଆଡ଼ୁ ଆସିବ ?’’

 

ପ୍ରଭା ତା କଥା ଶୁଣି ମନେ ମନେ ହସେ । ଭାବେ–ଯେଉଁଦିନ ଖାଇବାକୁ ମୁଠେ ନ ପାଇ ବାଟରେ ଘାଟରେ ପଡ଼ି ମରି ଯାଉଥିଲି ସେଦିନ ତୁ କେଉଁଠି ଥିଲୁ ଲୋ ପାଗଳୀ ? ସମସ୍ତଙ୍କ ଅଗୋଚରରେ ଏହି ଦୁଇ ଭାଇ–ଭଉଣୀ ସୁଖରେ ଦିନ ନିର୍ବାହ କଲେ ।

 

ପ୍ରଭା ଯାହାଙ୍କ ଘରେ ଘରଭଡ଼ା କରିଥିଲା ସେ ଲୋକ ଅତି ଭଦ୍ର । ଦୁଇ ଭାଇ–ଭଉଣୀଙ୍କୁ ସେମାନେ ନିଜର ପୁଅ ଝିଅ ପରି ସ୍ନେହ କରୁଥିଲେ । ଦିନେ ସେହି ଭଦ୍ରଲୋକ ପ୍ରଭାକୁ ଡାକି କହିଲେ–‘‘ଏଣିକି, କନିକାର ବିବାହ ପ୍ରସଙ୍ଗରେ ଆଖି ଟିକିଏ ବୁଲାଅ–କେତେଦିନ ଏହିପରି ରହିବ ?’’

 

କଥାଟା ଅବାସ୍ତବ ନୁହେଁ । ପ୍ରଭା ଏ କଥା ବୁଝି ପାରିଲା । ସତକୁ ସତ ସେହି ମାସ ନ ପୁରୁଣୁ କନିକାର ବିବାହ ହୋଇଗଲା । ତା’ର ସ୍ୱାମୀ ବିଦେଶରେ ଚାକିରି କରେ । ଚେହେରା ଦେଖିବାକୁ ଅତି ସୁନ୍ଦର । କନିକା ବିବାହପରେ କାନ୍ଦି କାନ୍ଦି ସ୍ୱାମୀ ଗୃହକୁ ଚାଲିଗଲା । ପ୍ରଭା ଅତି କଷ୍ଟରେ ନିଜର ଅଶ୍ରୁ ନିଜେ ପୋଛି କନିକାକୁ ବିଦାୟ ଦେଇ ଫେରିଆସି ବିଛଣା ଉପରେ ନଥ୍‍କିନା ପଡ଼ିଗଲା–ଘୋର ଦୁଃଖରେ ।

 

ଏବେ ପ୍ରଭା ଯେଉଁ ଏକାକୁ ସେହି ଏକା । ଖାଇବା ପିଇବା, ଗାଧୋଇବା, ଶୋଇବା, ଅଫିସ ଯିବା ଆସିବା କୌଣସି କାର୍ଯ୍ୟରେ ତାର ଉତ୍ସାହ ନାହିଁ । ପ୍ରତି ପଦରେ କନିକାର ଅଭାବ ଅନୁଭବ କରୁଛି ।

 

କନିକା ଚାଲିଯିବା ପରେ ସେ ପ୍ରଥମେ ପ୍ରଥମେ ଭାଇ ପାଖକୁ ପ୍ରତି ସପ୍ତାହରେ ଖଣ୍ଡେ ଦୁଇଖଣ୍ଡ କରି ଚିଠି ଲେଖୁଥିଲା । ତା ପରେ ମାସକରେ ଖଣ୍ଡେ–ତା ପରେ ତା ମଧ୍ୟ କମି ଆସିଲା । ଏବେ ଦୁଇ ମାସରେ ହେଲେ ମଧ୍ୟ ଖଣ୍ଡେ ଚିଠି ଆସେ ନାହିଁ । ପ୍ରଭା ଭାବେ ଚିଠି ନ ଦେଉ–କିଛି ଯାଏ ଆସେ ନାହିଁ । ଭଲରେ ଥିଲେ ହେଲା । ବାଲ୍ୟ ଜୀବନଟା ତା’ର ଅତି ଦୁଃଖରେ କଟିଛି ।

 

ସେଦନି ଛୁଟି ପଡ଼ିଥିଲା । ଦେହଟା ରସ୍‍ମସ୍‍ ଲାଗୁଛି ବୋଲି ପ୍ରଭା ବିଛଣା ଛାଡ଼ିବାକୁ ଇଚ୍ଛା କରୁ ନ ଥିଲା । ଅଫିସ ଯିବାକୁ ନ ଥିଲା । ସେହି ହେତୁ କିଛିକ୍ଷଣ ବିଛଣାରେ ଏ ପାଖ ସେ ପାଖ କଡ଼ ଲେଉଟାଉ ଥିଲା । କନିକା ଥିଲେ ଏତେବେଳକୁ ସେ କେତେଥର ଭାଇକୁ ସାବଧାନ କରି ଦେଇଥାନ୍ତା । ଶରୀର ଖରାପ ଥିବା କଥା ଶୁଣିଲେ ତା’ର ମନ ପୁଣି ଯାହା ହୁଏ । କନିକାର ସେହି ଆଦର ଓ ଶାସନର କଥା ଭାବି ଭାବି ପ୍ରଭାକୁ ଟିକିଏ ତନ୍ଦ୍ରାନିଦ ଆସି ଯାଇଛି । ଏତିକିବେଳେ ଗୋଟିଏ ଅତି ପରିଚିତ ସ୍ୱର ଯେପରି ସେ ଶୁଣି ପାରିଲା ।

 

ପ୍ରଭା ଧଡ଼ପଡ଼ ହୋଇ ବିଛଣା ଛାଡ଼ି ଉଠି ବସିଲା । ପ୍ରଥମଥର ମନେ କଲା ସତେ ସେ ଯେପରି ଭୁଲ ଶୁଣିଛି; କିନ୍ତୁ ଦ୍ୱିତୀୟ ଥର ସନ୍ଦେହର କାରଣ ଆଉ ରହିଲା ନାହିଁ ।

 

କିଏ ରେ, କନିକା ! –ବୋଲି ପ୍ରଭା ବିଛଣା ଛାଡ଼ି କବାଟ ଫିଟାଇବାକୁ ଗଲା । ସେ କନିକାକୁ ଦେଖି ଥକାମରା ହୋଇଗଲା । ନିରାଭରଣା କନିକା ତାର ଛୋଟ ପିଲାଟିକୁ ଧରି ଦୁଆରକୁ ଆଉଜି ଠିଆ ରହିଛି । ଖଣ୍ଡିଏ ଧଳା ଧଡ଼ିନଥିବା ଶାଢ଼ି । ମୁଣ୍ଡରେ ସିନ୍ଦୂର ନାହିଁ କି ଗୋଡ଼ରେ ଅଳତା ନାହିଁ । କେଶଗୁଡ଼ିକ ରୁକ୍ଷ ।

 

ପ୍ରଭାକୁ ଦେଖି ସେ ପ୍ରଣାମ କଲା । ପ୍ରଭା ତାକୁ ଦୁଃଖରେ ପଦେ ବୋଲି କିଛି ପଚାରି ପାରିଲା ନାହିଁ । କେବଳ ପିଲାଟିକୁ କନିକା ହାତରୁ ତୋଳି ନେଇ କହିଲା–ଚାଲ, ଭିତରକୁ ଚାଲ ।

 

ଦିନ ତମାମ ଦୁଇ ଭାଇ ଭଉଣୀଙ୍କର କୌଣସି କଥାବାର୍ତ୍ତା ହେଲା ନାହିଁ । ସନ୍ଧ୍ୟା ପରେ କନିକା ପୂର୍ବପରି ଭାଇ ପାଖରେ ଚୁପ୍‍ କରି ବସି ରହିଲା । ପ୍ରଭା ପଚାରିଲା, ‘‘ତାଙ୍କର କଣ ହୋଇଥିଲା ?’’

 

କନିକା କହିଲା–‘‘କିଛି ହୋଇ ନ ଥିଲା–କେତେଦିନ ଧରି ସେ ଗାଁରେ ମାଡ଼ ପିଟାପିଟି ଚାଲିଥିଲା । ସେଦିନ ଉପରବେଳା ସେ ଗୋଦାମଆଡୁ କାମସାରି ଘରକୁ ଆସୁଛନ୍ତି–ଦେଉଳ ପାଖରେ ଗୋଟିଏ ପୁଲିସର ଗୁଳି ଚୋଟରେ ସେଇଠି ଢଳି ପଡ଼ିଲେ ।’’

 

କହୁ କହୁ କନିକା କାନ୍ଦିବାକୁ ଲାଗିଲା । ପ୍ରଭା ଆଉ କୌଣସି ପ୍ରଶ୍ନ କଲା ନାହିଁ ।

 

କ୍ରମେ ପ୍ରଭାର ଅପରିଷ୍କୃତ ଘର ଦୁଆର ପରିଷ୍କୃତ ହୋଇ ଉଠିଲା ଲିପା ପୋଛାରେ । ଠିକ୍‍ ସମୟରେ ଖାଇବା, ଠିକ୍‍ ସମୟରେ କାର୍ଯ୍ୟକ୍ଷେତ୍ରକୁ ଯିବା ଇତ୍ୟାଦି ବିଷୟରେ ଆଉ କୌଣସି ବ୍ୟାଘାତ ରହିଲା ନାହିଁ । ପ୍ରଭା ସନ୍ଧ୍ୟା ହେଲେ ପିଲା ଭଣଜାକୁ ଧରି ଖେଳାଏ ।

 

ଦିନେ ଅସମୟରେ କନିକାକୁ ଶୋଇଥିବା ଦେଖି ପ୍ରଭା ପଚାରିଲା–‘‘କଣ ହୋଇଛି ତୋର ?’’

 

କନିକା କହିଲା–‘‘କିଛି ନୁହେଁ, ଭାଇ ।’’

 

କଥାଟା ପ୍ରଭାର ବିଶ୍ୱାସ ହେଲା ନାହିଁ । ସେ କନିକାର କପାଳରେ ହାତମାରି ଦେଖିଲା–ଖୁବ୍‍ ଜର ହୋଇଛି । ପଚାରି ବୁଝିଲା ତାର ଏହିପରି ହୁଏ ।

 

ପ୍ରଭା ସେହିକ୍ଷଣି ଡାକ୍ତର ଡାକିଲା । ଡାକ୍ତର ଆସି ଅନେକ ସମୟ ପର୍ଯ୍ୟନ୍ତ ପରୀକ୍ଷା କରି ମୁଖ ବିକୃତ କରି କହିଲେ–‘‘ଏ ରୋଗ ଭଲହେବାର ଆଶା ବଡ଼ କମ୍‍ ।’’

 

କନିକାର ରୋଗ ଦିନକୁ ଦିନ ବଢ଼ିବାକୁ ଲାଗିଲା । ଦିନେ ବଡ଼ି ସକାଳେ ସେ ସଂସାରର ସମସ୍ତ ବନ୍ଧନ ତୁଟାଇ ଦେଇ ଅମରପୁରୀକୁ ଚାଲିଗଲା ।

 

ସେଦିନ ସନ୍ଧ୍ୟାରେ ଭଣଜାଟିର କାନ୍ଦଣା କିଏ ଦେଖିବ ? ସେ ତାର ମାଆ ପାଖକୁ ଯିବା ପାଇଁ ଭାରି ଉଚ୍ଛନ୍ନ । ତାକୁ କେହି ତୁନି କରି ପାରୁ ନ ଥାନ୍ତି । ମାମୁଁଙ୍କୁ କହିଲା–‘ମାମୁଁ–ମୁଁ ମାଆ ପାଖକୁ ଯିବି ।’’

 

ପ୍ରଭା ଭଣଜାକୁ ଧରି ଛାତ ଉପରକୁ ଗଲା । ଚାରିଆଡ଼େ ଜହ୍ନ ଆଲୁଅ ଖଇଭଳିଆ ପଡ଼ିଥାଏ । କିନ୍ତୁ ପିଲାଟି କୌଣସି ପ୍ରକାରେ ବୁଝିଲା ନାହିଁ ! ପ୍ରଭା ତାକୁ କୋଳରେ ଶୁଆଇ ପକାଇବାକୁ ବହୁତ ଚେଷ୍ଟା କଲା । ପିଲାର ଆକୁଳ କ୍ରନ୍ଦନ ସହିତ ନିଜର ସ୍ୱର ମିଳାଇ ସେ ସେହି ପୁରୁଣା ‘ଜହ୍ନମାମୁଁ’ ଗୀତଟିକୁ ବୋଲିବାକୁ ଲାଗିଲା–

 

‘‘ଆ, ଜହ୍ନମାମୁଁ ଶରଦ ଶଶୀ.... ।’’

☆☆☆

 

ପାଣି ଗ୍ରହଣ

 

ଭାଇଙ୍କର ଆଇ. ଏ........,

ଓ ମୋର ମାଟ୍ରିକ୍ୟୁଲେଶନ ପରୀକ୍ଷା ଏକା ବରଷ ପଡ଼ିଥାଏ । ୧୯୩୬ ମସିହା । ପରୀକ୍ଷା ସରିଯାଇ ଥାଏ । ସେ ଭୁବନେଶ୍ୱର ବାଟ ଦେଇ ଘରକୁ ଆସିଲେ । ଭାଇ ଆସି ନ ଥାନ୍ତି ବୋଲି ବାପା ବଡ଼ ଚିନ୍ତିତ ଥିଲେ । ସେ ଯଦି ଆଇ. ଏ. ପରୀକ୍ଷାରେ ବୃତ୍ତି ନ ପାନ୍ତି, ଆଉ ମୁଁ ଯଦି ବୃତ୍ତି ନ ପାଏ, ତେବେ ଆମ ଦୁଇ ଜଣଙ୍କ ପଢ଼ିବା ଖର୍ଚ୍ଚ ସେ କିପରି ଚଳାଇବେ–ଏହାହିଁ ହେଲା ଚିନ୍ତାର ବିଷୟ । ସେ ଭାବି ଭାବି କିଛି ସ୍ଥିର କରି ପାରିଲେ ନାହିଁ । କିନ୍ତୁ ବାପାଙ୍କର ଭାବନାର ବିରାମ ନାହିଁ ।

ବାପା ଭାବନାରେ ଯାହା ଭାବିଥିଲେ ତାହାହିଁ ଏବେ ଘଟିଲା । ଭାଇ ଫାଷ୍ଟ ଡିଭିଜନରେ ପାଶ୍‍ କଲେ; କିନ୍ତୁ ବୃତ୍ତି ପାଇଲେ ନାହିଁ । ମୁଁ ଥାର୍ଡ ଡିଭିଜନରେ ପାସ୍‍ କଲି । ସହଜେ ତ ମୁଁ ସେ ସୌଭାଗ୍ୟର ଅଧିକାରୀ ନୁହେଁ, ସୁତରାଂ ମୋ ଲାଗି ତାଙ୍କର ଚିନ୍ତା ବିଶେଷ ହେଲା ନାହିଁ । ଚିନ୍ତା କଲେ ଭାଇଙ୍କ ଲାଗି । ତାଙ୍କୁ ଆଉ ବେଶୀ ଭାବିବାକୁ ପଡ଼ିଲା ନାହିଁ । କ୍ରମାଗତ ଦଶଦିନ ଧରି ତାଙ୍କୁ ଜ୍ୱର ଲାଗି ରହିଲା । ସେହି ଜ୍ୱରହିଁ ତାଙ୍କର ନିଦାନରେ ପରିଣତି ହେଲା । ଚିରଦିନ ଲାଗି ବାପା ଭାବନା ସମୁଦ୍ରରେ ସେ ପାରକୁ ଚାଲିଗଲେ ।

ତାପରେ ଭାବନା ପଡ଼ିଲା ମାଆଙ୍କ ଉପରେ । ମାଆଙ୍କର ଥିଲା ଏକ ଭାବନା, ଆମ ପଢ଼ା ପାଇଁ ଖରଚ ଯୋଗାଇବା । ଏବେ ମାଆଙ୍କ ଉପରେ ପଡ଼ିଲା–ଦୁଇଟି ଭାବନା । ଗୋଟିଏ ପରିବାର ପ୍ରତିପାଳନ ଓ ଅନ୍ୟଟି ଆମ୍ଭମାନଙ୍କର ଶିକ୍ଷା ବିଧାନ ।

 

ଏଥିକୁ ଉପାୟ କଣ ? ଭାଇ ମାଆଙ୍କୁ କହିଲେ–ମାଆ, ମୁଁ ପଢ଼ାପଢ଼ି ଛାଡ଼ି ଚାକିରି କରିବି ଓ ବ୍ରଜ କଲେଜ ଯିବ । ମୁଁ ଯାହା ରୋଜଗାର କରିବି ସେଥିରେ ତାର ପଢ଼ା ଖରଚ ଓ ଗୃହର ଆବଶ୍ୟକୀୟ ପଢ଼ା ଖରଚ ଚଳିଯିବ ।

 

ଏ କଥାରେ ମୁଁ ପ୍ରତିପାଦ କଲି । କହିଲି–ମାଆ ଭାଇଙ୍କର ଫାଷ୍ଟ ଡିଭିଜନରେ ପାସ୍‍ ହୋଇଛି । ସେ କେବଳ ବୃତ୍ତି ପାଇ ନାହାନ୍ତି, କିନ୍ତୁ ସେ ଯଦି ପଢ଼ନ୍ତି ତେବେ ଦୁଇ ବରଷ ଭିତରେ ନିଶ୍ଚୟ ବି. ଏ. ପାସ୍‍ କରିଯିବେ । ସେତେବେଳେ ଲମ୍ୱ ପଣତ ସବୁ ଆଡ଼କୁ ପାଇବ । ଓକିଲ ହୋଇ ପାରିବେ; ବଡ଼ ଚାକିରି ଆଡ଼କୁ ଯାଇ ପାରିବେ; ମାଜିଷ୍ଟେଟ୍‍, ଡିପୋଟି ଆଦି ହୋଇ ପାରିବେ । ଆଉ ମୋ ପରି ଅଭାଗା କି ହେବ ! ଯେ ଥାର୍ଡ ଡିଭିଜନରେ ପାସ୍‍ କରେ ସେ କେତେବେଳେ ହେଲେ କଲେଜରେ ଭଲଫଳ ଦେଖାଇବା ତା ପକ୍ଷରେ ଅତୀବ କଠିନ । ସେହି ହେତୁ ମୁଁ କହୁଛି–ମୁଁ ସ୍କୁଲରେ ଶିକ୍ଷକତା କାର୍ଯ୍ୟ କରିବି । ଅକ୍ଳେଶରେ ବାପାଙ୍କ ଚାକିରିଟା ମୋତେ ମିଳି ଯାଇ ପାରେ । ନିହାତି କମ୍‍ ରେ ଟଙ୍କା ଅଶି ତ ମିଳିବ । ଏହା ଛଡ଼ା ଦୁଇଟା ଟିଉସନ କଲେ ଟଙ୍କା ତିରିଶି ପାଇ ପାରିବି । ସମୁଦାୟ ଦରମା ଟଙ୍କା ଭାଇଙ୍କ ପଢ଼ିବା ଲାଗି ପଠାଇବି । ଆଉ ଟିଉସନରୁ ଯାହା ମିଳିବ ସେଥିରେ ଘର ଖର୍ଚ୍ଚ ଚଳିଯିବ । କଣ କହୁଛୁ ମାଆ ?

 

ମାଆଙ୍କ ଉତ୍ତରକୁ ଭାଇ ଅପେକ୍ଷା ନ କରି କହିଲେ–ଶୁଣିଲୁ ମାଆ, ଏ ପାଗଳର ବତ୍କୃତା । ସେ ଚାକିରି କରିବ ଆଉ ମୁଁ ପଢ଼ିବି । ତାହା କଦାପି ହେବନାହିଁ । କିମ୍ୱା ହୋଇ ନ ପାରେ-। ସେ ଏ ସମସ୍ତ ପାଗଳାମି ଛାଡ଼ି ଦେଉ । ଦୈବାତ୍‍ ତାର ଥାର୍ଡ ଡିଭିଜନରେ ପାସ୍‍ ହୋଇଯାଇଛି । କିନ୍ତୁ ବ୍ରଜ ପରି ପିଲା କି ଥାର୍ଡ ଡିଭିଜନରେ ପାଶ୍‍ କରିବାକୁ କଥା । ଏସବୁ ମୂଳରେ ଏକା ଅଦୃଷ୍ଟ । କେତେ ନିପଟ ଗଧ ପାର ହୋଇଯାନ୍ତି, ପୁଣି କେତେ ଭଲ ପିଲା ବି କର୍ମ ବିପାକରୁ ଚିତ୍‍ପଟାଙ୍ଗ ମାରି ବସନ୍ତି । ମୁଁ ଅନେକ ଦେଖିଛି । ବ୍ରଜକୁ ପଢ଼ିବାକୁ ହେବ । ମୁଁ ଶିକ୍ଷକତା କରିବି । ଶିକ୍ଷକତା କରି ବି. ଏ. କ୍ଳାସର ପାଠ ଦେଖିନେବି । ଏ ସବୁର ସୁବିଧା ପାଇଁ ପାରିବି, କୌଣସି ବଡ଼ ସହରରେ ରହିଲେ । କିନ୍ତୁ ତା’ର ଭବିଷ୍ୟତ କଣ ? କଣ କହୁଛୁ ମାଆ ?

 

ମାଆ କହିଲେ–ଏ ବିଷୟରେ ମତ ଦେବା ମୋ ପକ୍ଷରେ ଅସମ୍ଭବ । ବିନୟ ତୁ ଯାହା କହୁଛୁ ତା ଅସମ୍ଭବ ନୁହେଁ । ତୋ ପରି ସୁବୋଧପୁତ୍ରର ଉପଯୁକ୍ତ କଥା । ଆଉ ବ୍ରଜ ତୁ ଯାହା କହୁଛୁ ତୋ ପାଟିରୁ ସେ କଥା ଶୁଣିଲେ ମୋର ଏତେ ଦୁଃଖ କଷ୍ଟ ସତ୍ୱେ ମନରେ ଆନନ୍ଦ ଜାତ ହେଉଛି । ସ୍ୱର୍ଗରେ ରହି ତୁମ୍ଭମାନଙ୍କର ପିତା ଏ କଥା ଶୁଣି କେତେ ଆହ୍ଲାଦ ଅନୁଭବ କରୁ ନ ଥିବେ । କିନ୍ତୁ ମୁଁ ଏଥିରେ କଣ କହି ପାରେ । କାହାକୁ କହିବି ତୁ ଲେଖା ପଢ଼ା ଛାଡ଼ିଦେ । ସେ କଥାତ ମୋ ପାଟିରୁ ବାହାରି ନ ପାରେ ।

 

ମୁଁ କହିଲି–‘‘ମାଆ, ତୁ ମୀମାଂସା କରିଦେ ଓ ତୁ ଯାହା କହିବୁ ଆମେ ନତ ମସ୍ତକରେ ତାହା ଗ୍ରହଣ କରିବୁ ।’’

 

ଭାଇ କହିଲେ–‘‘ମାଆ ତ କହିଲେ ମୋ ପ୍ରସ୍ତାବ ଖୁବ୍‍ ସୁନ୍ଦର ଓ ସଙ୍ଗତପର । ଏଥିରୁତ ମାଆଙ୍କର ମତ ଯାହା ବେଶ୍‍ ବୁଝାଗଲା ।’’

 

ମୁଁ କହିଲି–‘‘ଭାଇ ଆପଣ ବୁଝି ପାରୁନାହାନ୍ତି । ଆପଣଙ୍କର ଭବିଷ୍ୟତ ଉଜ୍ଜ୍ୱଳମୟ ଗୌରବପୂର୍ଣ୍ଣ । ଉନ୍ନତିର ସୋପାନ ରହିଛି । କିନ୍ତୁ ମୋର କିଛି ନାହିଁ । ମୋର ବିଦ୍ୟା ବୁଦ୍ଧି କେତେ ତା ମୁଁ ଭଲ ଜାଣେ । ଆଉ ଆପଣ କଣ କରି ପାରନ୍ତି ନ ପାରନ୍ତି ତାହା ଆପଣଙ୍କଠାରୁ ମୁଁ ଅଧିକ ଜାଣେ । ମୁଁ ଯାହା କହିଲି ସେଇୟା କରିବାକୁ ହେବ । ମୁଁ କଦାପି ପଢ଼ିବି ନାହିଁ । ଆପଣଙ୍କୁ ପଢ଼ିବାକୁ ହେବ ।’’ ଚାରି ପାଞ୍ଚଦିନ ଧରି ଯୁକ୍ତି ଚାଲିଥାଏ । ମାଆ ପ୍ରେସିଡ଼େଣ୍ଟ ସ୍ୱରୂପ ସବୁ ଶୁଣି ଯାଉଥାନ୍ତି । ଗ୍ରାମରେ ଯେଉଁମାନେ ଆମର ଶୁଭ ଇଚ୍ଛା କରନ୍ତି ସେମାନେ ସମସ୍ତେ ମୋ ପ୍ରସ୍ତାବ ସଙ୍ଗତ ବୋଲି ମତ ପ୍ରକାଶ କଲେ । ମୁଁ ଶେଷରେ ଜୟୀ ହେଲି । ବାପାଙ୍କ ସ୍ଥାନରେ ମୁଁ ରହିଲି । ଦରମା ଅଶି ଓ ଟିଉସନ ଦୁଇଟି କଲି । ଭାଇ ବି. ଏ. ପଢ଼ିବା ଲାଗି ପାଟନା ଗଲେ ଓ ମୁଁ ଗ୍ରାମ ସ୍କୁଲରେ ଶିକ୍ଷକତା କଲି ।

ଏହିପରି କଷ୍ଟେ ମଷ୍ଟେ ମା ଓ ମୁଁ ଦୁହେଁ ଚଳିଯାଉ । ଚାହୁଁ ଚାହୁଁ ବରଷ ଗୋଟାଏ କାଲିପରି ଆସି ପୂରିଗଲା । ମୋର ଇଚ୍ଛାଥାଏ ଭାଇ ବି. ଏ. ପାସ୍‍ କଲେ ‘ଲ’ ପଢ଼ିବାକୁ ତାଙ୍କୁ ବାଧ୍ୟ କରିବି ।

ଦୀର୍ଘ ଦୁଇବରଷ କଟିଗଲା । ଭାଇ ଥରେ ବୋଲି ଘରକୁ ଆସିଲେ ନାହିଁ । ସେ ଯଥା ସମୟରେ ଚିଠିପତ୍ର ଦେଉଥାନ୍ତି । ଘରକୁ ଆସିବା କଥା ଦେଖିଲେ ଉତ୍ତର ମିଳେ ଗଲେ ତ ଅନେକ ଖରଚ । ସେଥିପାଇଁ ସମ୍ୱଳର ବଳଥିବା ଦରକାର । ବୃଥାରେ ରେଲବାଇ କମ୍ପାନୀମାନଙ୍କୁ କାହିଁକି ଦାନ କରିବି । ମୋର ବା କି ଶକ୍ତି ଅଛି ଯେ ତାଙ୍କୁ ଯାହି ମାସକୁ ମାସ ସାହାଯ୍ୟ କରେ ତା ଉପରେ ଅଧିକା ଆଉ କିଛି ସାହାଯ୍ୟ କରିପାରେ । ସୁତରାଂ ଭାଇଙ୍କୁ ଅଗତ୍ୟା ଏହି ନିର୍ବାସନ ଦଣ୍ଡ ଗ୍ରହଣ କରିବାକୁ ପଡ଼ିଲା ।

ଭାଇଙ୍କର ବି. ଏ. ପରୀକ୍ଷାରେ ପ୍ରଚୁର ଅର୍ଥ ଆବଶ୍ୟକ ପଡ଼ିଲା । ମୋତେ ଅନ୍ୟ କୌଣସି ଉପାୟ ଦେଖା ନ ଯିବାରୁ ବଖରାଏ ଘର ବିକିବା ପାଇଁ ବାଧ୍ୟ ହେଲି । ମାଆଙ୍କ ମନରେ ବିଶେଷ ଦୁଃଖ ଆସିଲା । କିନ୍ତୁ ନିରୂପାୟ ଦେଖି ସେ ଏଥିରେ ଆପତ୍ତି କଲେ ନାହିଁ । ଯଥା ସମୟରେ ଆସି ଟଙ୍କା ଇନିସିଓର କରି ଭାଇଙ୍କ ନିକଟକୁ ପଠାଇ ଦେଲି । ଟଙ୍କା ପାଇ ଭାଇଙ୍କର ଆଶ୍ଚର୍ଯ୍ୟ ସୀମା ରହିଲା ନାହିଁ । ମୁଁ ଏକକାଳୀନ ଏତେ ଗୁଡ଼ିଏ ଟଙ୍କା କେଉଁଠୁ ପାଇଲି, ଏ କଥା ଭାଇ ମୋତେ ପଚାରି ପଠାଇ ଥିଲେ । ଭାଇଙ୍କ ମନରେ କଷ୍ଟ ହେବ ଜାଣି ମୁଁ ଉତ୍ତର ଦେଇ ତୁନିହୋଇ ରହିଲି ।

ପରୀକ୍ଷା ପରେ ଦିନେ ଚିଠି ପାଇଲି ସେ ଲେଖିଛନ୍ତି, ଏଥର ପରୀକ୍ଷାରେ ଖୁବ୍‍ ଭଲ ଲେଖିଛନ୍ତି । କେତେଟା ଦିନ ଭିତରେ ଘରକୁ ଆସିବେ । ଭାଇଙ୍କର ଜଣେ ବଂଧୁ ବନାରସ ଯିବା ପାଇଁ ଅନୁରୋଧ କରିବାରୁ ଭାଇ ତାଙ୍କ କଥା ଭାଙ୍ଗି ପାରିଲେ ନାହିଁ । ପନ୍ଦରଦିନ ପରେ ଫେରି ଆସିବେ ।

ଏଣେ ମାଆ ଦୁଇ ବରଷ ହେଲା ବିନୟକୁ ଦେଖିନାହାନ୍ତି । ପରୀକ୍ଷା ପରେ ଘରକୁ ଆସିବାର କଥା । ତାହା ନ କରି ଭାଇ ବନ୍ଧୁଙ୍କ ଅନୁରୋଧ ରକ୍ଷା କରି ବନାରସ ବାହାରି ଗଲେ । ଏଥିରେ ମାଆ ଟିକିଏ ବିଷଣ୍‍ଣ ହେଲେ । କିନ୍ତୁ କିଛି କହିଲେ ନାହିଁ । ମୋ ମନରେ କଷ୍ଟ ହେଲା । ତେତେବେଳେ କଣ ଜାଣିଥିଲି ଏହା ଅପେକ୍ଷା ଅଧିକତର ମନୋବେଦନା ଭଗବାନ ଆମ କପାଳରେ ଥୋଇଛନ୍ତି ।

ଭାଇ ପନ୍ଦର ଦିନ ପାଇଁ ବନାରସ ଗଲେ । ସେଠାରୁ ଖଣ୍ଡେ ବୋଲି ଚିଠି ଆସିଲା ନାହିଁ-। ବନାରସର ଠିକଣା ଜଣାଇଥିଲେ ମୁଁ ଅବା ଖଣ୍ଡେପତ୍ର ଦେଇଥାନ୍ତି । କିନ୍ତୁ ସେ ସୌଭାଗ୍ୟ କାହିଁ-। ବାଇଶିଦିନ ଗତ ହେଲା ପରେ ଭାଇଙ୍କଠାରୁ ଖଣ୍ଡେ ପୋଷ୍ଟାକାର୍ଡ ପାଇଲି, ଲେଖାଥିଲା ତାଙ୍କର ବନ୍ଧୁ ତାଙ୍କୁ କୌଣସି ପ୍ରକାରେ ଛାଡ଼ି ପାରୁ ନାହାନ୍ତି, ସେହି ହେତୁ ଘରକୁ ଆସିବାରେ ବିଳମ୍ୱ ଘଟୁଛି-। ଘରକୁ ଆସନ୍ତୁ ବା ନ ଆସନ୍ତୁ ସେ ଯାହାହେଉ ଭାଇ ଯେ ଭଲରେ ଅଛନ୍ତି, ଏତିକି ଶୁଣି ଆମେ ନିଶ୍ଚିନ୍ତ ହୋଇ ପଡ଼ିଲୁ । ମୋର ଏପରି କହିବାଟା ବୋଧହୁଏ ଠିକ୍‍ ହେଲା ନାହିଁ । କାରଣ ମୁଁ ନିଶ୍ଚିନ୍ତ ହେଲେ ବି ମାଆଙ୍କର ଯେ ମହାଚିନ୍ତା ପଡ଼ିଲା । ତାଙ୍କର ଗୋଟେ ଦି’ଟା କଥାରୁ ମୁଁ ବେଶ୍‍ ଅନୁମାନ କରିପାରିଛି ।

 

ଦିନେ ମାଆ କହିଲେ–ଦେଖ ବ୍ରଜ, ବିନୟକୁ ମାଆ ଭିନ୍ନ ଭାତ ରୁଚୁ ନ ଥିଲା । ଏତେ ଦିନ ହେବ ତାକୁ ନ ଦେଖି ମୋର ଅନ୍ତର କି ସ୍ଥିର ରହେ ? ମୁଁ ମାଆଙ୍କୁ ଏସବୁ କଥାର କି ଉତ୍ତର ଦେବି । ମନେ ମନେ ବୁଝି ପାରିଲି ଭାଇଙ୍କର ଏପରି ଆଚରଣରେ ମାଆ କେତେଦୂର କ୍ଷୁବ୍‍ଧ ଓ ବ୍ୟଥିତ ।

 

ଦେଢ଼ମାସ ଅତୀତ ହେଲା ପରେ ଭାଇ ଘରକୁ ଫେରିଲେ । କିନ୍ତୁ ଯେ ଭାଇ ଦୁଇବରଷ ପୂର୍ବେ ବି. ଏ. ପଢ଼ିବା ଲାଗି ପାଟନା ଯାଇଥିଲେ ସେ ଭାଇ ଆମର ଆସିଲେ ନାହିଁ । ସେହି ହସ ହସ ବଦନ ନାହିଁ । ଭାଇ ବଡ଼ ଗମ୍ଭୀର ହୋଇ ଯାଇଥିଲେ । ବି. ଏ. ପାସ୍‍ ଉତ୍ତାରେ ଯେ ଗମ୍ଭୀର ହୋଇଯାନ୍ତି ତାହା ତ ମୁଁ ଦେଖି ନ ଥିଲି । ପାଟନା କେବେ ଯାଇ ନାହିଁ । କି ଗଙ୍ଗାନଦୀ କୂଳର ହାଉଆ କିପରି ଜାଣେ ନାହିଁ । କିନ୍ତୁ ଗ୍ରାମର ଆଉ କେତେକ ପିଲା ତ କଲିକତା ଯାଇ ବି. ଏ. ପାସ୍‍ କରି ଆସିଛନ୍ତି । ସେମାନେ ତ ଏପରି ଗମ୍ଭୀର ଦେଖାଯାନ୍ତି ନାହିଁ ।

 

ଭାଇ ଘରକୁ ଆସିବାର ଠିକ୍‍ ପରଦିନ ଆମେ ଦୁଇ ଭାଇ ବସିଛୁ, ମାଆ ଆମ ସାମନାରେ ବସିଛନ୍ତି, ମୁଁ ପଚାରିଲି–ଆଚ୍ଛା ଭାଇ, ଆପଣ ଏହି ଦୁଇଟା ବରଷ ଭିତରେ ଏତେ ଗମ୍ଭୀର ହୋଇଗଲେ କିପରି ?

 

ଭାଇ ଟିକିଏ ମୃଦୁ ହାସ୍ୟରେ ଉତ୍ତର କଲେ, କିରେ, ତୁ ମୋତେ କି ଗମ୍ଭୀର ଦେଖିଲୁ ?

 

ମୁଁ କହିଲି–ଭାଇ, ଆପଣ କଣ ମୋ ପାଖରେ ଲୁଚାଇ ପାରିବେ । ମୁଁ ଆପଣଙ୍କଠାରୁ ତିନି ବରଷ ସାନ ସିନା, କିନ୍ତୁ ଏହି ସାମାନ୍ୟ ବିଷୟଟା ବୁଝିବାକୁ କଣ ମୋର ଜ୍ଞାନ ହୋଇ ନାହିଁ । ଏସବୁ ପ୍ରତାରଣା କାହା ପ୍ରତି ? ଆପଣ ଏପରି ଗୋଟେ କଣ ହୋଇ ଯାଇଛନ୍ତି ଯେ ସେଥିଲାଗି ଏତେଦୂର ଗମ୍ଭୀରଭାବ ଅବଲମ୍ୱନ । ପୂର୍ବରୁ ତ ଏପରି ନ ଥିଲେ । ଏଥର ମୁ ଆପଣଙ୍କର ଭାରୀ ପରିବର୍ତ୍ତନ ଦେଖି ପାରୁଛି । ଆପଣ ସ୍ୱୀକାର କରନ୍ତୁ ବା ନ କରନ୍ତୁ ।

 

ମାଆ କହିଲେ–ଆରେ ବ୍ରଜ, ବିନୟ ଅନେକ ଦିନ ପରେ ଆସିଛି, ତୋତେ ନୂଆ ପରି ଲାଗୁଛି । ବିଦେଶରେ ତ ମାଆ ନ ଥିଲା କି ଭାଇ ନ ଥିଲା । ତେଣୁ ଶିଷ୍ଟାଚାରରେ ଟିକିଏ ବ୍ୟତିକ୍ରମ ଘଟିଛି । ଏବେ ଘରକୁ ଆସିଛି, ଯେଉଁ ବିନୟକୁ ସେହି ବିନୟ ଦିନ ଦୁଇଟା ଭିତରେ ହୋଇ ପଡ଼ିବ ଦେଖିବୁ ।

 

ତହିଁର ସମୟ, ସୁବିଧା, ସୁଯୋଗ କୌଣସିଟା ଆଉ ଘଟିଲା ନାହିଁ । ସେହିଦିନ ରାତି ସାତଟାରେ ‘‘ବି. ଏ. ପାସ୍‍, ଶୀଘ୍ର ଆସ’’ ଗୋଟିଏ ତାର ଆସିଲା । ଭାଇ ଫାଷ୍ଟଡିଭିଜନରେ ଶୀର୍ଷ ସ୍ଥାନ ଅଧିକାର କରିଅଛନ୍ତି । ଯେ ତାର କରିଥିଲେ ତାଙ୍କ ନାମ ଗୋପୀନାଥ । ଭାଇଙ୍କୁ ଅବିଳମ୍ୱେ ପାଟନା ଯିବାକୁ ତାର କରିଥିଲେ ।

 

ଭାଇ କହିଲେ–‘‘ମାଆ, ମୋତେ କାଲି ପାଟନା ବାହାରି ଯିବାକୁ ହେବ । ତାର ଆସିଲାଣି । ଏତେବେଳେ ଆଉ କିପରି ଘରେ ରହିବି ?’’

 

ମାଆଙ୍କ ଭାଗ୍ୟରେ ସେ ସୁନ୍ଦର ଅବକାଶ ଆଉ ଘଟିଲା ନାହିଁ । ଏତେ ଦିନ ପରେ ସେ ଥରେ ଭାଇଙ୍କୁ ପାଇଥିଲେ । ପୂର୍ଣ୍ଣିମା ରାତିରେ ସମୁଦ୍ରରେ ଅସଂଖ୍ୟ ବୀଚି ନାଚି ଉଠିଲା ପରି ମନରେ କେତେ ଯେ ଆନନ୍ଦର ବୀଚି ମାଆଙ୍କର ଖେଳିଯାଉଥିଲା ତାର କଳନା ନାହିଁ । ସେ ସବୁ ଦୁଃଖ ପାସୋରି ପକାଇଲେ । କେବଳ ଏତେ ଦିନ ପରେ ପୁଅ ବିଦେଶରୁ ଫେରିଥିବା ଦେଖି ସେ ମାତୃସୁଲଭ ହୃଦୟରେ ହଠାତ୍‍ କହି ପକାଇଲେ–‘‘ବିନୟ ରେ ତୁ ଆଉ ଦୁଇ ଚାରିଟା ଦିନ ରହିଲେ ହୁଅନ୍ତା ନାହିଁ ।’’ କିନ୍ତୁ ଠିକ୍‍ ପର ମୁହୂର୍ତ୍ତରେ ମାଆ କହିଲେ–‘‘ନା–ନା, ତୋତେ ଯେତେବେଳେ ପାଟନା ଯିବାକୁ ଡାକରା ଆସିଲାଣି, ତୋର ବିଳମ୍ୱ କରିବା କେବଳ ଅସମ୍ଭବ ନୁହେଁ, ଅନ୍ୟାୟ ମଧ୍ୟ-। ଉଚିତ ଅନୁଚିତ ଚିନ୍ତା ନ କରି ତୋତେ ଶୀଘ୍ର ଯିବାକୁ ହେବ ।’’

 

ମୁଁ କହିଲି–ଭାଇ, ଆଉ ଦିନ ଦୁଇଟା ଅନ୍ତତଃ ରହି ଯାଆନ୍ତୁ ।

 

ଉତ୍ତର ମିଳିଲା–କିଛି ଆପତ୍ତି ନ ଥିଲା । ମାତ୍ର ତୁ ତ ଟେଲିଗ୍ରାମ ଦେଖିଛୁ । କିପରି ରହିବି କହ । ମୁ ଭାଇଙ୍କୁ ଗୋପୀନାଥ ବାବୁଙ୍କର ପରିଚୟ ପଚାରିବାରେ ଭାଇ କହିଥିଲେ, ଗୋପୀନାଥ ତାଙ୍କର ସହାଧ୍ୟାୟୀ ଓ ଅନ୍ତରଙ୍ଗ ବଂଧୁ । ଭାଇ ତାଙ୍କରି ସହିତରେ ବନାରସ ଯାଇଥିଲେ ।

 

ପାଟନା ଗଲାବେଳେ ଭାଇ ମୋତେ କହିଗଲେ ମୁ ଯଦି ପ୍ରଥମ ହୋଇ ପାସ୍‍ କରିଥାଏ ତେବେ କଲେଜରେ ଯେଉଁ ପଚାଶ ଟଙ୍କିଆ ବୃତ୍ତି ଅଛି ତାହା ପାଇ ପାରେ । ସେତେବେଳେ ମୋର ଖରଚ ପାଇଁ ତୋତେ ଆଉ ପଠାଇବାକୁ ହେବନାହିଁ । ଯଦି ନ ମିଳେ ତେବେ ମୁଁ ଗୋଟିଏ ଟିଉସନ୍‍ କରିବି । ତାହେଲେ ମୋ ଲାଗି ଏତେ କଷ୍ଟ ସହି ଟଙ୍କା ପଠାଇବାକୁ ହେବ ନାହିଁ । ମୋ ଲାଗି ତୋତେ ଏହି ଦୁଇବର୍ଷ ହେଲା ବହୁତ କଷ୍ଟ ସ୍ୱୀକାର କରିବାକୁ ହୋଇଛି ମୁଁ ଭଲରୂପେ ଜାଣେ-

 

ମାଆ ଭାଇଙ୍କୁ କହିଲେ–ନା, ବିନୟ, ତୋର ଟିଉସନ କରିବା ଠିକ୍‍ ହେବ ନାହିଁ । ତଦ୍ୱାରା ତୋ ନିଜର ପଢ଼ାପଢ଼ିରେ ବିଶେଷ କ୍ଷତି ଆସିବ । ଯେତେବେଳେ ଏତେ ଦିନ କଟିଗଲାଣି, ଆଉ ବା କେତେଟା ଦିନ । ଯେପରି ହେଉ ବ୍ରଜ ବେଶ୍‍ ଚଳାଇ ନେବ । ତା’ପରେ ତୁ ଯେତେବେଳେ ପଢ଼ା ପଢ଼ି ଶେଷ କରିବୁ ସେତେବେଳେ ତ ଆଉ କଷ୍ଟ ସହିବାକୁ ହେବ ନାହିଁ । ସେତେବେଳେ ବ୍ରଜ ନୋହିଲେ ଚାକିରି ଛାଡ଼ି ଦେଇ କଲେଜରେ ନାମ ଲେଖାଇବ ।

 

ଭାଇ ପାଟନାରେ ପହଞ୍ଚି ଚିଠି ଦେଲେ । ସେଥିରେ ଲେଖାଥିଲା ଯେ କଲେଜ ବୃତ୍ତିଟା ସେ ନିଶ୍ଚୟ ପାଇବେ । ଆମ୍ଭମାନଙ୍କ ମନରେ ଆନନ୍ଦ ହେବାର କଥା । ଏଥର ପଢ଼ିବା ଖର୍ଚ୍ଚ ନ ଦେଲେ ଚଳି ଯିବ । ମୁଁ ଠିକ୍‍ କଲି–ଘରଦୁଆରଗୁଡ଼ିକ ଭାଙ୍ଗି ରୁଜି ଗଲାଣି, ସେଗୁଡ଼ିକ ତୋଳାଇବା ନିତାନ୍ତ ଆବଶ୍ୟକ । ଘରେ ଜଣେ ମାଇପି ଲୋକ ରଖିଲେ ମାଆ ଗୃହ କର୍ମରୁ ଟିକିଏ ଅବ୍ୟାହତି ପାଆନ୍ତେ । ସେ ଏକାକୀ କେତେ ଦିନ ଆଉ ଖଟୁଥିବେ । ଭାଇଙ୍କ ବିବାହ ସମ୍ୱନ୍ଧେ ପାଞ୍ଚ ସାତ ଜାଗାରୁ ଖବର ଆସିଲାଣି । କିନ୍ତୁ ମାଆ ସେଥିରେ ମନ ଧ୍ୟାନ ଦେଉ ନାହାନ୍ତି । ତାଙ୍କର ଇଚ୍ଛା ଭାଇ ନିଜେ ରୋଜଗାର ନ କଲା ପର୍ଯ୍ୟନ୍ତ ଭାଇଙ୍କୁ ସେ ବିବାହ ଦେବେ ନାହିଁ । ଏତେଦିନ ଗଲାଣି ଆଉ ଦୁଇଟା ବରଷ କିମିତି କଟିଯାଉ ।

 

ଭାଇ ଘରୁ ଯିବାର ଅଠର ଦିନ ପରେ ଦିନେ ସନ୍ଧ୍ୟା ସମୟରେ ମୁଁ ସ୍କୁଲରୁ ଆସି ଦେଖେ, ଘର ଭିତର ବାରଣ୍ଡାରେ ମାଆ ଶୋଇ ଅଛନ୍ତି । ଏପରି ସମୟରେ ତ ମୁଁ ମାଆଙ୍କୁ କେବେ ଶୋଇବାର ଦେଖି ନାହିଁ । ତେବେ ମାଆଙ୍କ ଦେହ କଣ ଅସୁସ୍ଥ ଅଛି । ମୁଁ ଜାମା ଖଣ୍ଡ ଦେହରୁ କାଢ଼ି ପକାଇ ମାଆଙ୍କ ପାଖରେ ବସି ପଚାରିଲି–ମାଆ, ଏପରି ଭାବରେ ଶୋଇଛୁ କାହିଁକି ? ତୋ ଦେହ କଣ ଖରାପ ଲାଗୁଛି କି ?

 

ମାଆ ନିଦରେ ଶୋଇ ନ ଥିଲେ । ମୋତେ କହିଲେ, ନାହିଁରେ ବ୍ରଜ, ମୋ ଦେହ ଖରାପ ନାହିଁ । ଟିକିଏ ପରେ, କହିଲେ–ବିନୟର ଖଣ୍ଡେ ଚିଠି ପାଇଲାବେଳୁ ମନ କିମିତିକା କେମିତିକା ଲାଗୁଛି । ଆଦୌ ଭଲ ଲାଗୁ ନାହିଁ ।

 

ଭାଇ ଚିଠି ଦେଇଛନ୍ତି ? ସେ ଭଲ ଅଛନ୍ତି ତ ?

 

ହଁ ଭଲ ଅଛି ।

 

ତେବେ ମାଆ ଭାବୁଛୁ କଣ ?

 

କି ଚିଠି ?

 

ମାଆ ଟେବୁଲ ଆଢ଼କୁ ହାତଟା ବଢ଼ାଇ ଠାରି ଦେଲେ । ମୁଁ ଯାଇ ଚିଠି ଖଣ୍ଡ ଧରି ଆଗ ପଢ଼ି ଗଲି । ବି. ଏ. ଜ୍ୟେଷ୍ଠପୁତ୍ର ଆଜି ମାଆଙ୍କୁ ଏପରି ଚିଠି ଲେଖିଛନ୍ତି ଦେଖି ତଟସ୍ଥହେଲି । ଚିଠି ଖଣ୍ଡି ଅତି ବଡ଼ ନ ହେଲେ କଣ ହେବ ସେଥିରେ ଯେଉଁ କେତୋଟି ବିଷୟ ଲେଖାଥିଲା, ତାହା ଅତ୍ୟନ୍ତ ହୃଦୟବିଦାରକ । ମାଆଙ୍କ ଅନୁରୋଧରେ ଚିଠି ଖଣ୍ଡି ପୁଣି ପଢ଼ି ତାଙ୍କୁ ଶୁଣାଇବାକୁ ହେଲା-। ଚିଠିରେ ଲେଖା ଥିଲା–

 

ମାଆ, ଶ୍ରୀମାନ୍‍ ବ୍ରଜକିଶୋର ନିକଟକୁ ଯେ ପତ୍ର ଲେଖିଥିଲି, ସେଥିରେ ମୋର ପଚାଶ ଟଙ୍କା ବୃତ୍ତି ପାଇଥିବା କଥା ଜଣାଇଥିଲି । ବର୍ତ୍ତମାନ ମୋର କୌଣସି ଅଭାବ ନାହିଁ । ଏହି ଟଙ୍କାରେ ବେଶ୍‍ ଚଳି ଯାଉଛି । ମୋର ଏମ୍‍. ଏ. ପଢ଼ିବା ଲାଗି ଯେଉଁ ଖରଚ ହେବ ସେଥିପାଇଁ ଆଉ ଚିନ୍ତା କରିବେନାହିଁ । ବ୍ରଜକିଶୋରକୁ ଯେ ଟିକିଏ ବିଶ୍ରାମ ଦେଇ ପାରିବି ଏହାହିଁ ମୋ ମନରେ ଯଥେଷ୍ଟ ଆନନ୍ଦ ଅଣାଇଛି । ତା’ର ଏଣିକି ଦୁଇ ବେଳା ଟିଉସନ୍‍ କରିବା ଆବଶ୍ୟକ ନାହିଁ-। ସହଜେ ଶରୀର ତାର ଭଲ ନୁହେଁ । ସେଥିରେ ଗଧ ପରି ସର୍ବଦା ନିଜ ଶରୀରକୁ ଉତ୍ସର୍ଗ କରିବା ମୋ ବିବେଚନାରେ ଠିକ୍‍ ନୁହେଁ ।

 

ଦରମା ମୁଠାକ ଯାହା ପାଉଛି ସେଥିରେ ତ ଘର ଖରଚ ଚଳିଯିବ । ଆବଶ୍ୟକ ହେଲେ ମୋତେ ଜଣାଇଲେ ମୁଁ ମଧ୍ୟ ସାମୟିକ କିଛି କିଛି ସାହାଯ୍ୟ କରିପାରେ ।

 

ଆଉ ଗୋଟିଏ କଥା । ମାଆ, ତୁମ୍ଭମାନଙ୍କୁ ନ ଜଣାଇ ଗୋଟିଏ କଥା ମୁଁ କରି ପକାଇଛି । ଗତ ରବିବାର ଦିନ ପାଟନା ହାଇକୋଟର ବିଶିଷ୍ଟ ଓକିଲ ଶ୍ରୀଯୁକ୍ତ ଯଦୁନାଥ ସାମନ୍ତରାୟଙ୍କ କନ୍ୟା ପୁଣ୍ୟଶୀଳାଙ୍କ ସହିତ ମୋର ପାଣିଗ୍ରହଣ କାର୍ଯ୍ୟ ସମ୍ପନ୍ନ ହୋଇ ଯାଇଛି । ଯେଉଁ ଗୋପୀନାଥ ବିଷୟ ମୁଁ କହୁଥିଲି ଓ ଯାହାଙ୍କ ସାଥିରେ ମୁଁ ବନାରସ ଯାଇଥିଲି, ସେ ହେଉଛନ୍ତି ଯଦୁନାଥ ବାବୁଙ୍କ ପୁଅ । ସେମାନଙ୍କ ସହିତ ମୋର ପ୍ରଥମ ପରିଚୟବେଳେ ସେତେ ଆଳାପ ନ ଥିଲା ।

 

କଲେଜରେ ମୁଁ ଭଲ ପଢ଼ୁଥିବାର ଦେଖି ସେମାନଙ୍କର ମୋ ପ୍ରତି ଶ୍ରଦ୍ଧା ଜନ୍ମି ଥିଲା । ଏଥିର କାରଣ ପ୍ରଥମେ ପ୍ରଥମେ ମୁଁ ବୁଝି ପାରି ନ ଥିଲି । ପରେ ଅନୁମାନ କଲି ଯଦୁନାଥ ବାବୁ ତାଙ୍କ କନ୍ୟାକୁ ମୋ ସହିତ ବିବାହ ଦେବେ ବୋଲି ଏତେ ଗୁଡ଼ାଏ ସ୍ନେହ, ଶ୍ରଦ୍ଧ, ମମତା ଓ ବାତ୍ସଲ୍ୟ ପାଶରେ ଆବଦ୍ଧ କରିଥିଲେ । କିନ୍ତୁ ଏହା ଅତର୍କିତ ଓ ଅଲକ୍ଷିତ ଭାବରେ ଚାଲି ଥାଏ । ମନୁଷ୍ୟ ଏହି ସ୍ନେହ, ମମତା ପାଇବା ପାଇଁ ଖୋଜି ବୁଲୁଥାଏ । ଟିକିଏ ଛିଦ୍ର ପାଇଲେ ସେ ନିଜକୁ ତହିଁରେ ଭସାଇ ଦିଏ । ସହଜେ ମୁଁ ଛାତ୍ର ଛାତ୍ରାବସ୍ଥାରେ ମୋର ମନ ଏପରି ଶ୍ରଦ୍ଧା ମମତାରେ ଆକର୍ଷିତ ହେବା କିଛି ବୈଚିତ୍ର ନୁହେଁ । ମୁଁ ମୋ ବିବେକର ସମସ୍ତ ଶକ୍ତିକୁ ଠୁଳ କରି ପରୀକ୍ଷା ଦ୍ୱାରା ଜାଣି ପାରିଛି–ମଧୁପ ମଧୁ ଚକ୍ରରୁ ମଧୁ ଆସ୍ୱାଦନ କରିବାକୁ ଯେପରି ବ୍ୟଗ୍ର ହୋଇପଡ଼େ, ମନୁଷ୍ୟ ଠିକ୍‍ ସେହିପରି ସ୍ନେହ, ମମତା, ଶ୍ରଦ୍ଧା ଓ ଦୟା ପାଇବା ପାଇଁ ଲାଳାୟିତ ହୋଇଥାଏ ।

 

ସେ ଯାହାହେଉ ମାଆ, ଅଜ୍ଞାତରେ ମୁଁ ଏପରି କାର୍ଯ୍ୟ କରିଥିବା ହେତୁ ତୁମ୍ଭେ ଏହାକୁ ମୋର ଅବିମୃଷ୍ୟକାରିତାର କାର୍ଯ୍ୟ ବୋଲି ଭାବି ପାର । ମୁଁ କାହିଁକି ଜଣାଇ ନାହିଁ ତାର କାରଣ ଅନେକ ଅଛି । ସାକ୍ଷାତରେ ସେ ସବୁ କହିବି । କିନ୍ତୁ ଏତିକି କହିରଖଛି ମୁଁ ଯଦି ଏହା ନ କରିଥାନ୍ତି ଚାକିରି କଲା–ବେଳକୁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଯଦୁନାଥ ବାବୁଙ୍କ ପରି ସାହାଯ୍ୟକାରୀ ବ୍ୟକ୍ତି ଜଣେ ଥିଲେ ସମୟ ଅସମୟ ତ ଅଛି । ତାଙ୍କ ପରି ସମ୍ମାନାସ୍ପଦ ପୂଜ୍ୟ ଥାଉ ଥାଉ ସୁଯୋଗ ହରାଇ ବସିବା ବାଞ୍ଛନୀୟ ନୁହେଁ ।

 

ଏହି ସବୁ କାରଣରୁ ମୁଁ ଏଥିରେ ପ୍ରବେଶ କରିଛି । ପୁଣି ଅନ୍ୟଦିଗରେ ଦେଖ, ଏହି ବିବାହ ପାଇ ଏକ ସମାଜ ଭୟରେ ଆମକୁ କେତେ କଣ ଖର୍ଚ୍ଚାନ୍ତ ହେବାକୁ ପଡ଼ି ନ ଥାନ୍ତା । କିନ୍ତୁ ଏପରି ହେବା ଦ୍ୱାରା ସେଥିରୁ ଆମେ ଏକାବେଳକେ ବଞ୍ଚିତ ।

 

ଯଦୁନାଥ ବାବୁଙ୍କ ସମ୍ୱନ୍ଧରେ ଦୁଇପଦ ଲେଖୁଛି । ଆଗେ ଯଦୁନାଥ ବାବୁଙ୍କ ଘର ଥିଲା–କଟକଜିଲ୍ଲାରେ ଅସୁରେଶ୍ୱରରେ । ସେ ଜାତିରେ କରଣ, ପାଟନାରେ ଓକିଲାତି କଲା ଦିନୁ ଏହିଠାରେ ଘର ଦୁଆର କରି ରହିଅଛନ୍ତି । କଲିକତାରେ ତାଙ୍କର ପକ୍‍କା ଘର–ଦୋତାଲା କୋଠା, ବାଡ଼ି ବଗିଚା ଓ ବହୁତ ଚାକର ବାକର ଇତ୍ୟାଦି ଅଛନ୍ତି । ସମୟେ ସମୟେ ଏଠାରୁ ତାଙ୍କ ପରିବାର ଯାଆନ୍ତି । ଏକମାତ୍ର ପୁତ୍ର ଗୋପୀନାଥ ଓ କନ୍ୟା ପୁଣ୍ୟଶୀଳା ।

 

ପତ୍ର ଖଣ୍ଡିକ ପଢ଼ି କେବଳ ମାଆଙ୍କ ମୁହଁଙ୍କୁ ବଲ ବଲ ଚାହିଁ ରହିଲି । ଦେଖିଲି–ଧାରାଶ୍ରାବଣ ପରି ତାଙ୍କ ନୟନରୁ ଅଶ୍ରୁଧାରା ବହି ଯାଉଛି–ତହିଁରେ ବିରାମ ନାହିଁ । ମୁ ସେତେବେଳେ ଆଉ କଣ କରନ୍ତି । ପିଲାଦିନେ ଯାହା କରୁଥିଲି ସେଇଆ କଲି । ପିଲାଙ୍କ ପରି ମାଆ କୋଳ ପାଖରେ ଯାଇ ବସି ପଡ଼ିଲି । ସେ ମୋତେ ଛାତିକି ଆଉଜାଇ ବସି ବହୁ ଅଶ୍ରୁ ଝରାଉ ଥାନ୍ତି । କିନ୍ତୁ କଣ କରିବି ମତେ କିଛି ବୁଦ୍ଧି ଦିଶିଲା ନାହିଁ । ତାଙ୍କର ଦାରୁଣ ମନୋବେଦନା ନିରାକରଣର ତ ଆଉ ଅନ୍ୟ କୌଣସି ଉପାୟ ଖୋଜି ପାଇଲି ନାହିଁ । ନିଜକୁ ବଡ଼ ଅସହାୟ, ଦୁର୍ବଳ ମନେ କଲି ।

 

ଅଳ୍ପ କେତେକ ସମୟ ପରେ ମାଆଙ୍କ ଛାତିରୁ ମୁଣ୍ଡ ଟେକି କହିଲି–

 

ମାଆ, ଭାଇଙ୍କୁ ତୁ କ୍ଷମା ଦେ–ସେ ଯେ ଅନ୍ୟାୟ କରିଛନ୍ତି । ଘୋର ଅନ୍ୟାୟ କାର୍ଯ୍ୟ କରିଛନ୍ତି । ସେଥିଲାଗି ମୁଁ ଦୋଷ ମାନି ନେଉଛି । ସେ ଆମର ଭବିଷ୍ୟତ ଲାଗି ଚିନ୍ତାକରି ଏପରି ଗୋଟିଏ ଅସୁନ୍ଦର କାର୍ଯ୍ୟରେ ମନପ୍ରାଣ ଢାଳି ଦେଇଛନ୍ତି–ଭଲ କରି ଚିନ୍ତା କରିବାକୁ ଅବସର ପାଇ ନାହାନ୍ତି । ମୁଁ ଲକ୍ଷ୍ୟ କରିଥିଲି ସେ ଯେଉଁ ଦିନ ଘରକୁ ଆସିଥିଲେ ଆଉ କିଛି କହିବେ କହିବେ ବୋଲି କହି ପାରିଲେ ନାହିଁ । ସେଦିନ ସେଥିଲାଗି ସେ ଏତେ ଗମ୍ଭୀର ହୋଇ ଯାଇ ଥିଲେ । ମାଆ, ଜନନୀ ଆମର ତୁମେ–ଜନ୍ମ ଦେଇ ଏଡ଼େରୁ ଏଡ଼େ କରିଛ । ପୁତ୍ରର ଅପରାଧ କ୍ଷମାକର ମାଆ ।

 

ମାଆ କ୍ଷମା ବଦଳେ କଟାକ୍ଷ ଦୃଷ୍ଟିରେ ମୋ ଆଡ଼କୁ ଚାହିଁ ରହିଲେ । ମାଆଙ୍କର ଏପରି ଚାହାଣୀ ମୁଁ ପୂର୍ବରୁ କେବେ ଦେଖି ନ ଥିଲି । ଯେପରି ସେ ଚାହାଣୀରୁ କଠୋର ଅପମାନ ଓ ଅଭିମାନ ଫୁଟି ଉଠୁଥିଲା । ମାଆ ଅତି କଠୋର ସ୍ୱରରେ କହିଲେ, ବ୍ରଜ ତୁ କଣ ବିନୟର ଏହି ଅପମାନ ସମର୍ଥନ କରିବାକୁ ଇଚ୍ଛା କରୁ ?

 

ମୋର ଭୟ ଆସିଲା ଏପରି କଥା ଶୁଣି । ମୁଁ ତାଙ୍କ ଆଗରେ କଥା କହିବାକୁ ଆଉ ସାହସ ଖଟାଇ ପାରିଲି ନାହିଁ । ମାଆ, ମୋତେ ନୀରବ ଦେଖି କହିଲେ–ବ୍ରଜ, ଯେ ଆମକୁ ଏପରି ଭାବରେ ଅପମାନିତ କରିପାରେ ସେପରି ପୁତ୍ର ସହିତ ସମ୍ପର୍କ ରଖିବା ଆଦୌ ସଙ୍ଗତ ନୁହେଁ । ଆଜିଠାରୁ କେହି କାହାର ନୋହୁ । ପିଲା ବୋଲି ତାକୁ କ୍ଷମା କରି ନ ପାରେ । ସେ ତ ଆଉ ଅଜ୍ଞାନ ଶିଶୁ ନୁହେଁ ।

 

ମୁଁ ଦୀନା–କୁଟୀର ବାସିନୀ । ମୁଁ ସେପରି ଘରର ସମକକ୍ଷ ନୁହେଁ । ଏପରି ଘଟନାରେ ସେ ମୋ ଦୁଆରକୁ ବୋହୂ ରୂପେ କିପରି ଆସିପାରେ । ପୁଣି ତା ପରିବର୍ତ୍ତରେ ମୋତେ ସେଠାକୁ ଯିବାକୁ ଲେଖିଛି । ଏସବୁ କି ସହ୍ୟ କରାଯାଇ ପାରେ ? ବିନୟ ମୋର ପୁଅ ହୋଇ ମୋତେ ଏପରି ଅପମାନଜନକ ବିଷୟ ଲେଖିବାକୁ କମ୍‍ ସାହସ କରି ନାହିଁ । ସେ ଆମକୁ ନ ଜଣାଇ ବିବାହ କଲା, ଏହା ଅପମାନ ନୁହେ କି । ବ୍ରଜ ତାକୁ କ୍ଷମା କର–ମୁଁ ପାରିବି ନାହିଁ । ଯେ ଜନ୍ମଦାତା ସେ ତ ମୋତେ ଏ ଶିକ୍ଷା କେବେ ଦେଇ ନାହାନ୍ତି–ଯାହାଙ୍କର ଜୀବନ କାଳ ଦାରିଦ୍ର୍ୟର କଷାଘାତରୁ ଦିନେ ହେଲେ ନିଷ୍କୃତ୍ତି ଲାଭ କରି ନାହିଁ–ଅଥଚ ଦରିଦ୍ର ବୋଲି ସେ କାହାର କେବେହେଲେ କୌଣସି କାର୍ଯ୍ୟରେ ହସ୍ତକ୍ଷେପ କରି ନାହାନ୍ତି ଏବଂ ପଦ ଗୌରବରେ ହିମାଳୟ ପରି ମସ୍ତକ ଉତ୍ତୋଳନ କରି ସୁଖରେ ଜୀବନ ଅତିବାହିତ କରି ଯାଇଅଛନ୍ତି; ତୁମେ ତାଙ୍କରି ସନ୍ତାନ ହୋଇ କଣ କଲ ? ସେ ଯାହାହେଉ, ତାଙ୍କର ସନ୍ତାନ କୁଳର କଳଙ୍କ ହୋଇ ପାରନ୍ତି, ଅପଦାର୍ଥ ହୋଇ ପାରନ୍ତି, ମାତ୍ର ତାଙ୍କର ସହଧର୍ମିଣୀ ତାଙ୍କର ଆଦର୍ଶ ଚରିତ୍ରର ତଥା ମହତ୍ୱର ଅବମାନନା କରି ପାରିବ ନାହିଁ-

 

ମୁଁ ମନକୁ ମନ ଭାବିଲି–ମୋ ମାଆଙ୍କର ହୃଦୟ କେଡ଼େ ଉଚ୍ଚ । କିନ୍ତୁ ତାଙ୍କର ହୃଦୟ ବଳ ଠାରୁ କଠିନତର । ମୋର ମାଆ ଯେ ଅନ୍ୟାୟ କାର୍ଯ୍ୟକୁ କେତେଦୂର ଘୃଣା କରନ୍ତି ଏବଂ ଦାରିଦ୍ର୍ୟର ଏତେ ଗୌରବ ହୃଦୟରେ ବହନ କରିଛନ୍ତି ତାହା ଜାଣିବାର ଅବକାଶ କେବେ ହେଲେ ମିଳି ନାହିଁ । ଆଜି ମାଆଙ୍କର ଦୃଢ଼ ଅଥଚ ଗାମ୍ଭୀର୍ଯ୍ୟପୂର୍ଣ୍ଣ ବକ୍ତବ୍ୟ ଶୁଣି, ମୁଁ ମୋର କ୍ଷୁଦ୍ରତା ଅନ୍ତରର ସହିତ ଅନୁଭବ କଲି ।

 

ମାଆ ମୋର ମନ କଥା ଭଲରୂପେ ଠଉରାଇ ନେଲେ । କହିଲେ–ବ୍ରଜ, ତୋତେ ଗୋଟିଏ କଥା କହୁଛି–ଅନ୍ୟାୟକୁ କେତେବେଳେ କ୍ଷମା କରିବ ନାହିଁ । ସେଥିପାଇଁ ଯଦି ଭିଖ ମାଗି ପେଟ ପୋଷାଯାଏ ତେବେ ତାହାଠାରୁ ବଳି ଶ୍ରେୟସ୍କର ଆଉ ନାହିଁ । ଗୁରୁବାକ୍ୟ ପରି ମାଆଙ୍କ କଥାକୁ ସବୁଦିନ ପାଇଁ ହୃଦୟରେ ସାଇତି ରଖିଲି । ମୁଁ ଟିକିଏ ସଙ୍କୁଚିତ ହୋଇ ପଚାରିଲି–ମାଆ ତାହାହେଲେ ଭାଇଙ୍କ ପତ୍ରର କି ଉତ୍ତର ଦେବ ? ସେ କହିଲେ–

 

ଅନାବଶ୍ୟକ ।

 

ଏତିକି କହି ସେ ଟିକିଏ ଅନ୍ୟମନସ୍କ ରହିଲେ ।

 

ତାପରେ କହିଲେ–ନା ତାହା ଭଲ ଦେଖାଯିବ ନାହିଁ । ପତ୍ରର ଉତ୍ତର ଅବଶ୍ୟ ଦେବାକୁ ହେବ । ସେ ମୋର ସନ୍ତାନ । ମୋର ଜ୍ୟେଷ୍ଠ ସନ୍ତାନ । ସ୍ନେହର ବିନୟ ମୋର, ତାକୁ କି ମୁଁ ଅଭିସମ୍ପାଦ ଦେଇ ପାରେ ? ତା କଦାପି ପାରିବି ନାହିଁ, କିମ୍ୱା ମନରେ ଏପରି କୁତ୍ସିତ ଧାରଣା ଆଣିବି ନାହିଁ, କିନ୍ତୁ କ୍ଷମା କରି ନ ପାରେ । ତାକୁ ବୁଝାଇ ଦେବାକୁ ହେବ, ସେ ଆମ୍ଭମାନଙ୍କୁ କେତେଦୂର ଅପମାନିତ କରିଛି । ସେ ମୋଠାକୁ ଲେଖିଛି । ମୁଁ ଉତ୍ତର ଦେବି । ତୋତେ କିଛି ଲେଖିବାକୁ ହେବ ନାହିଁ ।

 

ମୁଁ କହିଲି, ମାଆ ତୁମେ ଯେପରି ଭାବରେ ମନରେ ପ୍ରତିକ୍ରିୟା ପୋଷଣ କରିଛ, ତା ଉପରେ ଲେଖିବାକୁ ଗଲେ ଭାଇଙ୍କ ମନରେ ବିଶେଷ କଷ୍ଟ ଆସିବ–ଫଳ ଏଇଆ ହେବ ଯେଇ ଭାଇ ବିରକ୍ତ ହେବେ । ତାଙ୍କୁ ମନରେ ଭିନ୍ନ ଭାବ ହେବ । ତା ଅପେକ୍ଷା ଚିଠି ନ ଦେଲେ କିପରି ହୁଅନ୍ତା ମାଆ !

 

ନା–ନା, ଦେବାକୁ ହେବ । ତା ମନରେ କି ମୁଁ କଷ୍ଟ ଦେଇ ପାରେ । ମୁଁ ତା କରିବି ନାହିଁ । ମୁଁ ତାର ଜନନୀ, ଉପଦେଷ୍ଟା । ସୁତରାଂ ଉପଦେଶ ଦେବା ମୋର କର୍ତ୍ତବ୍ୟ । ବିନୟ ଯେ ଏପରି କାର୍ଯ୍ୟ କରିପାରେ ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲି । ବିନୟର ମୁହଁଟି ଯେତେବେଳେ ମୋ ଆଖି ଆଗରେ ନାଚି ଯାଉଛି ତେତେବେଳେ.......ନା ନା, ତାକୁ କ୍ଷମା କରି ପାରୁ ନାହିଁ । କି ଦୁର୍ବଳ ଏହି ମାତୃ ହୃଦୟ !

 

ସେହି ରାତିଠାରୁ ମାଆଙ୍କୁ ଜ୍ୱର ହେଲା । ପ୍ରଥମ ରାତିରେ ମନେ ହେଲା ସାମାନ୍ୟ ଜ୍ୱରର ପ୍ରକୋପ । ଉତ୍ତାପ ସହନଶୀଳ । କିନ୍ତୁ ରାତି ବଢ଼ିବା ସଙ୍ଗେ ଜ୍ୱର ବି ବଢ଼ିବାକୁ ଲାଗିଲା । ଘରେ ମୁଁ ଏକା । କଣ କରିବି କିଛି ବୁଦ୍ଧି ଦିଶିଲା ନାହିଁ । ପଛକୁ ଜଣେ ପଡ଼ୋଶୀଙ୍କୁ ଖବର ଦେଲି । ସେ ଆସି ମାଆଙ୍କ ନାଡ଼ି ପରୀକ୍ଷାକରି କହିଲେ–ବ୍ରଜବାବୁ, ସନ୍ଧ୍ୟାବେଳେ ତ ଜ୍ୱର ଆସିଥିବ । ବର୍ତ୍ତମାନ ରାତି ତିନିଟା । ସେହି ହେତୁ ନାଡ଼ିର ଗତି ଏପରି ଟିକିଏ ଶିଥିଳ ହୋଇ ପଡ଼ିଛି । ଭୟର କାରଣ କିଛି ନାହିଁ । ମାଆ ତମର ଭଲ ହୋଇଯିବେ । ଦୁଃଖ କର ନାହିଁ–ଡାକ୍ତର ଡାକି ଟିକିଏ ଚିକିତ୍ସାର ବ୍ୟବସ୍ଥାକଲେ ସବୁ ଆଡ଼କୁ ସୁନ୍ଦର ।

 

ମୁଁ ଏଥିରେ ଆଉ କାଳ ବିଳମ୍ୱ ନ କରି ଡାକ୍ତର ସାଧୁ ବାବୁଙ୍କୁ ଡାକି ଆଣିଲି ।

 

ସାଧୁ ବାବୁଙ୍କର ପ୍ରତିପତ୍ତି ଚାରି ପାଖରେ ଜଣାଶୁଣା । ମୋତେ ସେ ଆନ୍ତରିକ ଭଲ ପାନ୍ତି । ମୁଁ ତାଙ୍କ ପୁଅକୁ ଟିଉସନ କରେ । ତାଙ୍କୁ ମାଆଙ୍କ କଥା ଜଣାଇଲାରୁ ସେ ମୁହୂର୍ତ୍ତେ ବିଳମ୍ୱ ନ କରି ଦୁଇ ତିନିଟା ଔଷଧ ଶିଶି, ଇନ୍‍ଜେକସନ୍‍ ଓ ବ୍ୟାଗ୍‍ ଧରି ସାଇକେଲରେ ବାହାରି ପଡ଼ିଲେ-। ମୁଁ ସାଇକେଲ ପଛଆଡ଼େ ବସି ପଡ଼ିଲି । ଘରେ ପହଞ୍ଚିଲା ବେଳକୁ ମାଆଙ୍କର ପ୍ରଳାପ ଆସି ଗଲାଣି । ସେ ପ୍ରଳାପ ଆଉ କିଛି ନୁହେଁ । କେବଳ ଦୁଇ ତିନିଟା ପଦ ଓଲଟାଇ ପାଲଟାଇ କହୁଛନ୍ତି–

 

‘‘ବିନୟ ! ଘରକୁ ଆସିବୁ ନାହିଁ ?

 

ମୁଁ ତୋତେ ଥରେ ଦେଖି ଥାନ୍ତି ।

 

ଆର୍ଶୀବାଦ କରିଥାନ୍ତି ।’’

 

ଟିକକ ତୁନି ହୋଇଗଲା ପରେ ଯେଉଁ କଥାକୁ ସେଇ କଥା ।

 

ଡାକ୍ତରବାବୁ କହିଲେ–ପ୍ରଳାପ ବର୍ତ୍ତମାନ ଶେଷ ସୀମାରେ । ସନ୍ଧ୍ୟାବେଳେ ଜ୍ୱର ହେଲା-। ଆଉ ବର୍ତ୍ତମାନ ଏହି ଅବସ୍ଥା । ଆଶ୍ଚର୍ଯ୍ୟ ! ଜ୍ୱରର ପ୍ରାବଲ୍ୟ ହେତୁ ଏପରି ଘଟୁଛି । ଡାକ୍ତର ବାବୁ ଔଷଧ ଆଦି ଦେଇ ଚାଲିଗଲେ ।

 

କୌଣସି ପ୍ରକାର ରାତିଟା କଟିଗଲା । ସକାଳ ହେଲାରୁ ଆଉ କେତେ ଲୋକ ଦେଖିବାକୁ ଆସିଲେ । ତେତେବେଳେ ମଧ୍ୟ ପ୍ରଳାପ ଚାଲିଥାଏ–ବିନୟରେ ବିନୟ । ଭାଇଙ୍କ ନିକଟକୁ ତାର କରିବା ପାଇଁ କହିଲେ । ଜଣକୁ ତାର କରିବା ପାଇଁ ପଠାଇ ଦେଲି । ମୁଁ ମାଆଙ୍କ ପାଖ ଛାଡ଼ି ଆଉ କୁଆଡ଼େ ଗଲିନାହିଁ । ଚାହୁଁ ଚାହୁଁ ଦିନ ବାରଟା ବାଜିଲା । ତେତେବେଳେ ମାଆଙ୍କର ଟିକିଏ ଚେତନା ଫେରି ଆସିଲା ପରି ବୋଧ ହେଲା । ସେ ମୋ ଆଡ଼କୁ ଚାହିଁ ଅତି କ୍ଷୀଣ କଣ୍ଠରେ କହିଲେ, ‘‘ବ୍ରଜ, ବି–ନ–ୟ ।’’ ଆଉ କଣ କହିବାକୁ ଇଚ୍ଛାଥିଲା, ମାତ୍ର କିଛି କହି ପାରିଲେ ନାହିଁ । ମୁଁ ଅଶ୍ରୁଭରା କଣ୍ଠରେ କହିଲି–ମାଆ ଭାଇଙ୍କୁ ଆସିବା ପାଇଁ ସକାଳେ ତାର କରିଛି ।

 

ଏକଥା ଶୁଣି ସେ କିପରି ଟିକିଏ ରୁକ୍ଷ ସ୍ୱରରେ କହିଲା–ନା, ଆଉ ଆସିବା ଦରକାର ନାହିଁ । ଏପର୍ଯ୍ୟନ୍ତ ତ ମାଆ ଭାଇଙ୍କୁ କ୍ଷମା କରି ନାହାନ୍ତି । ତେବେ କେବଳ ବିକାର ହେତୁ ଭାଇଙ୍କୁ ଘନ ଘନ ଲୋଡ଼ୁଥିଲେ ।

 

ଡାକ୍ତର ବାବୁଙ୍କ ପରାମର୍ଶ ଅନୁଯାୟୀ ତାଙ୍କୁ ଦ୍ୱିତୀୟ ବାର ଡକାଇ ପଠାଇଲି । ସେ ଆସିଲେ । ନାଡ଼ି, ଛାତି, ଆଖି ଆଦି ପରୀକ୍ଷା କରି କହିଲେ,–ବ୍ରଜବାବୁ, ଆପଣଙ୍କ ମାଆଙ୍କୁ ଆଉ ବଞ୍ଚାଇ ପାରିଲି ନାହିଁ....

 

ସତକୁ ସତ ଯାହା ଡାକ୍ତର ବାବୁ କହିଥିଲେ, ତାହାହିଁ ଘଟିଲା । ଠିକ୍‍ ଚାରିଟା ପନ୍ଦର ମିନିଟରେ ମାଆ ଚିତ୍କାର କରି ଉଠିଲେ–ବିନୟ ! ତା’ପରେ ସବୁ ଶେଷ । ଆଖି ଯୋଡ଼ିକ ଚିର ଦିନ ଲାଗି ମୁଦ୍ରିତ ରହିଲା ।

 

କି ନିଦାରୁଣ ମନୋବେଦନା, କି କଠୋର ଅଭିମାନ ଘେନି ମାଆ ଚାଲିଗଲେ–ତାହା ମୁଁ ବୁଝି ପାରିଲି । ମୋତେ ଦଶଦିଗ ଅନ୍ଧାର ଦେଖା ଗଲା । ଭୂତତଳେ ପଡ଼ି ମାଆଙ୍କୁ ବାହୁନେଇ ଢେର କାନ୍ଦିଲି । କିନ୍ତୁ ମାଆ ଆଉ ଫେରିଲେ ନାହିଁ ।

 

ତହିଁଆର ଦିନ ସନ୍ଧ୍ୟା ପାଞ୍ଚଟାରେ ଭାଇ ଆସି ଘରେ ପହଞ୍ଚିଲେ । ମୁଁ ତେତେବେଳେ ଘର ଭିତରେ ଦୁଇ ହାତକୁ ମୁଣ୍ଡରେ ଦେଇ ବସିଥାଏ । ମୋତେ ଦେଖି ଭାଇ ଦୌଡ଼ି ଆସି କୁଣ୍ଢେଇ ପକାଇ କାନ୍ଦି କାନ୍ଦି କହିଲେ–‘ବ୍ରଜ, ମା କାହିଁ ?’’ ମୋର ତେତେବେଳେ କଣ ହେଲା, ମୁଁ କିଛି କହି ପାରୁ ନାହିଁ । ମୁଁ ମୂର୍ଖ, ପାଷଣ୍ଡ ଯାହା ହୁଏ ନା ପଛେ, କେବେହେଲେ ଭାଇଙ୍କୁ କର୍କଶ ପଦେ ଶୁଣାଇ ନାହିଁ । ତେତେବେଳେ ମୁଁ ଟିକିଏ କିନ୍ତୁ ଦୁଃଖରେ କହି ପକାଇଲି, ‘‘ମାଆକୁ ଦେଖିବାକୁ ଆସିଲ ? ତୁମର ଅପମାନ ସହି ନ ପାରି ମାଆ ଆଜି ସ୍ୱର୍ଗବାସିନୀ । ତୁମେ ମାଆଙ୍କୁ ହତ୍ୟା କରିଛ-। ତୁମ ବ୍ୟତୀତ ଆଉ ଅନ୍ୟ କେହି ନୁହେଁ । କାହାକୁ ଦେଖିବାକୁ ଆସିଛ ? ଏ ଦୀନ କୁଟୀର ପ୍ରତି ଏତେ ଦୟା ହେଲା କିପରି !’’

 

ମୋର ଏ ନିର୍ମମ ଆକ୍ରମଣ–ଏହି ଦାରୁଣ ଆଘାତ ଭାଇ ସହି ପାରିଲେ ନାହିଁ । ସେ ସେଇଠାରେ ବସି ପଡ଼ିଲେ । ପଦେ ବୋଲି କଥା ତାଙ୍କ ପାଟିରୁ ବାହାରିଲା ନାହିଁ ।

 

ଅକସ୍ମାତ ମାଆଙ୍କ ମୁଖ, ମାଆଙ୍କ କଥା ସବୁ ମନେ ପଡ଼ିଲା । ମାଆ ଯେ ଭାଇଙ୍କୁ ଆଶୀର୍ବାଦ କରି ଯାଇଛନ୍ତି । ମୃତ୍ୟୁ ଶଯ୍ୟାରେ ଭାଇଙ୍କ ନାମ ବ୍ୟତୀତ ଅନ୍ୟ ନାମ ଗ୍ରହଣ କରି ନାହାନ୍ତି । ଆଉ ମୁଁ ଏବେ କଣ ନ କଲି । ହିତାହିତ ବିବେଚନା ନ କରି ଭାଇଙ୍କ ପ୍ରତି କି ଦାରୁଣ ଭାଷା ପ୍ରୟୋଗ ନ କଲି । ସତରେ ମୁଁ ଅଧମ, ମୋର ଭାଇଙ୍କ ମନରେ କି ଦାରୁଣ ବ୍ୟଥା ନ ଆଣିଲି । ମୁଁ ପାପୀ, ମୋର ସଂସାରରେ ସ୍ଥାନ କାହିଁ ? ମୁଁ ପାଷଣ୍ଡ, ମୋର ବୁଦ୍ଧି ଶକ୍ତି ଲୋପ ହୋଇଛି । ମୁଁ ଧିକ୍‍ ! ଶତଧିକ୍‍ ମୁଁ । ମୋ ପରି ଅବିବେକୀର ପୁରସ୍କାର ଶତ ତିରସ୍କାରରେ ମାର୍ଜିତ ହେବ କି ନା ସନ୍ଦେହ ।

 

ମୁଁ ଆଉ ନୀରବ ରହି ପାରିଲି ନାହିଁ । ଦୁଇ ହାତ ଯୋଡ଼ି ଲମ୍ୱ ହୋଇ ଭାଇଙ୍କ ପାଦ ତଳେ ପଡ଼ି କହିଲି–ଭାଇ, ଏ ଅଧମକୁ କ୍ଷମା କରିବ ନାହିଁ ? ମାଆ ତୁମ୍ଭଙ୍କୁ ଆଶୀର୍ବାଦ କରି ଯାଇ ଅଛନ୍ତି । ମାଆ ମାଆ ମା–ଆ’ । ଆଉ କଥା କହି ପାରିଲି ନାହିଁ । ଭାଇଙ୍କ ଆଖିରୁ ଧାର ଧାର ଲୋତକ ବହି ଯାଉଥାଏ । ଶୋକ ବିହ୍ୱଳିତ ହୃଦୟରେ ଦୁଇ ହାତରେ ମୋତେ ଉଠାଇ ଛାତିକି ଆଉଜାଇ କାନ୍ଦିଲେ । ମୋର ତେତେବେଳେ ଚିତ୍କାର କରିବାକୁ ଇଚ୍ଛା ହେଲା–‘‘ମାଆ, ଭାଇଙ୍କୁ କ୍ଷମା କର ମାଆ । ଥରେ ଆସି ଭାଇଙ୍କୁ କ୍ଷମା କରି ଯା । ଥରେ ବୋଲି ହେଲେ ମଧୁର ଡାକ ‘ବିନୟରେ’ ବୋଲି ଶୁଣା । ଭାଇ ମୋତେ ଓ ମୁଁ ଭାଇଙ୍କୁ ଧରି ମାଆଙ୍କୁ ବାହୁନେଇ କେତେ କାନ୍ଦିଲୁ-। ଅଶ୍ରୁ କି ସହଜେ ବନ୍ଦ ହୁଏ । ଏପରି ଛାତି ଫଟା, ହୃଦୟବିଦାରକ ଅଶ୍ରୁ କି ସହଜେ ବନ୍ଦ ହୁଏ-! କେତେବେଳେ ଅଶ୍ରୁ ବନ୍ଦ ହେଲା ତାହା କହି ହେବ ନାହିଁ ।

 

ରୋଗ, ଶୋକ, ସନ୍ତାପ ପ୍ରଭୃତିର ଆକ୍ରମଣ କାଳରେ ଅଶ୍ରୁ ବଳେ ବଳେ ଆସି ସାନ୍ତ୍ୱନା ଦେଇଥାଏ । ଅଶ୍ରୁପରି ସୁବନ୍ଧୁ ଦୁଃଖୀଜନର ଆଉ କିଏ ଅଛି ? ଅଶ୍ରୁର ମହୋପକାର ଜୀବନରେ ପରିଶୋଧ କରି ହେବ ନାହିଁ । ଋଣ ତାର ଅପରିଶୋଧ । ଅନନ୍ତ ଦୟା, ଅନନ୍ତ ଶକ୍ତି ତା’ର । ତାହା ଭୁଲି ଯିବାର କଥା ନୁହେଁ କିମ୍ୱା ଭୁଲି ହେବ ନାହିଁ । ବିପଦ ସମୟରେ ସେ ଆସିଥାଏ । ଧନ୍ୟ ଅଶ୍ରୁ–ଧନ୍ୟ ତୁମ୍ଭେ– !!

 

କଳିଷଠା ଷାଠିଏରୁ ମୁଁ ଆସି ତିନି ଭାଗରୁ ଦୁଇଭାଗ ଭୋଗ କଲିଣି । ମୁଁ ବର୍ତ୍ତମାନ ସେହି ଶିକ୍ଷକ ରହିଛି । ଦରମା ଦୁଇଗୁଣ ବଢ଼ିଛି । ଭାଇ ବର୍ତ୍ତମାନ ପାଟନାରେ ଓକିଲ । ମୋତେ ବିବାହ ସେଇ ସଂସାରୀ କରିବା ମାନସରେ ବହୁ ଉଦ୍ୟମ କରିଛନ୍ତି । ପାଟନା ନେବା ଲାଗି ବହୁବାର ଚେଷ୍ଟାରୁ ବିରତ ହୋଇନାହାନ୍ତି । ମୁଁ ପାଟନା ଯାଇ ନାହିଁ କି କେବେ ହେଲେ ପାଦ ପକାଇବି ନାହିଁ । ବିବାହ–ପରିଶୟ–ପାଣିଗ୍ରହଣ ଯାହା କହ, କିଛି ନାହିଁ କି କରିବି ନାହିଁ । ଏଣିକି ଆଜିଠାରୁ ଯେଉଁ କେତେ ଦିନ ବଞ୍ଚି ରହିବି, ମାଆଙ୍କର ଏହି ଘରେ ରହିବି । ମାଆଙ୍କ ତୁଳସୀ ଚଉରାରେ ସନ୍ଧ୍ୟା ଦୀପ ଜାଳୁଥିବି । ମାଆ ନାମ ଗାଇ ହେଉଥିବି । ମାଆ ନାମର ସ୍ୱାଦୁ ଅନୁଭବ କରୁଥିବି । ମାଆ ନାମର ଅମୀୟ ମାଧୁରୀ ସେବନ କରୁଥିବି । ମାଆଙ୍କ ସୁଧାମୟ ଫୁଲ ଫଳ ଉପବନରୁ ଚୟନ କରୁଥିବି । ମୁଁ ମାଆ ଭିନ୍ନ ଅନ୍ୟ ଦିଅଁ ଦେବତାଙ୍କ ନାମ ଜାଣି ନାହିଁ ମୋର ଦେବ–ଦେବୀ–ନାହିଁ । ଆକାଶ–ପୃଥିବୀ–ଆଲୋକ ଅନ୍ଧାର ।

 

ମାଆ ମୋର କର୍ଣ୍ଣରେ ଶୁଣାଇଛନ୍ତି–

 

‘‘ଜନନୀ ଜନ୍ମ ଭୂମିଶ୍ଚ

ସ୍ୱର୍ଗାଦପୀ ଗରୀୟସୀ ।’’

 

ସେହି ମଧୁମୟ ପବିତ୍ର ମନ୍ତ୍ରରେ ଦୀକ୍ଷିତ ହୋଇ ଯଶୋଗାନ କରୁଥିବି ।

☆☆☆

 

ନବଜିଆ କରୁଣାର ଚାକିରି

 

ତା ନାମ କରୁଣାନିଧି ।

 

ତାକୁ ସମସ୍ତେ କରୁଣା କରୁଣା ବୋଲି ଡାକନ୍ତି–ଚୂଡ଼ା କୁଟିବା ତା’ର ବ୍ୟବସାୟ । ଦେପୁର ବେହେରା ସାଇରେ ତାର ଘର । ସମୟେ ସମୟେ ସେ ପୋଗଲ ଆଡ଼ୁ ଗିନେଇ ଚିଙ୍ଗୁଡ଼ି ଆଣି ପାଖ ଆଖ ଗାଁମାନଙ୍କୁ ବିକିବାକୁ ଯାଏ । ସେ ଜନମରୁ ଖନା । ଖନେଇ ଖନେଇ କହୁଥିବାରୁ ତା କଥା ଶୁଣିବାକୁ ଭାରି ମଧୁର ଲାଗେ । ନୂଆହୋଇ ଶୁଣିବା ଲୋକ ହସରେ ଗଡ଼ିଯିବ । ନ ଖାଇଲା ଲୋକ ପେଟେ ଖାଇଲା ପରି ଲାଗିବ । ମୁରୁକୁଟିଆ ଚେହେରା–ଉଚ୍ଚରେ ଛଅ ଫୁଟରୁ ତିନି ଇଞ୍ଚ କମ୍‍ ହେବ । କରୁଣା ଗିନେଇ ଚିଙ୍ଗୁଡ଼ି ଆଣିଛି ବୋଲି ଡାକଶୁଣିଲେ ଗାଁଟାଯାକ ପିଲେ ସମସ୍ତେ ଦଉଡ଼ି ଆସିବେ । ଏକ ପ୍ରକାର କଥା କହେ । ଲୋକଠାରେ ରାଗ ଅଛି ଜଣା ଯାଏ ନାହିଁ-। ସବୁବେଳେ ଗାଉଁ ଗାଉଁ–ଟାଉଁ ଟାଉଁ । ତା ନବଜିଆ ଢଙ୍ଗ ଢାଙ୍ଗ ଦେଖିବ ।

 

କରୁଣା ଆଚ୍ଛା କରି ବାଳକାଟି କଂସା ବେଲାରେ ବେଲେ କରି ଖାଏ । ଗୋଟେ ଢାଳରେ ଢକ ଢକ କରି ଢାଳେ ପାଣି ପିଏ । ଘରେ କିଏ ସେ ଯଦି ଟିକିଏ କାମ କରିବାକୁ କହେ–କରୁଣାରେ ଦୋକାନରୁ ପାଞ୍ଚନୂଆ ପଇସାର ଲୁଣ, ସୋରିଷ ମାଗୁଣୀଙ୍କ ଦୋକାନରୁ ଅଣି ଦେଲୁ, ସେ ଯିବାକୁ ଗାଉଁ ଗାଉଁ, ରାଉ ରାଉ, ସାଉଁ ସାଉଁ ହୁଏ । ତା ସାଥିରେ ଅତି ଜିଗର ଲଗାଇଲେ ସେ ରାଗରେ ଗାଉଁ ଗାଉଁ ହୋଇ ‘‘ଏଡ଼େ ପାଟିଟା କରି’’ ଆଉ ଠାଏକୁ ଦଉଡ଼ି ପଳାଏ ।

 

ଦିନେ କଣ ହେଲା–

 

ବର୍ଷା ରାତି–କଟମଟିଆ ଅନ୍ଧାର–ମୁହଁକୁ ମୁହଁ ଦିଶୁ ନାହିଁ–ଆକାଶରେ ଘନ ଘନ ବିଜୁଳି ଘଡ଼ଘଡ଼ି ମାରୁଛି । ପବନ କଥା ଛାଡ଼ । ନଡ଼ିଆ ଗଛର ଆଗ ପାଞ୍ଚ କି ସାତ ହାତ ଗୋଟେ ପାଖକୁ ଆଉଜି ଯାଉଛି । ବରଷା ଅସରାକୁ ଆସୁଛି । କେତେବେଳେ ଫୁସ୍‍ ଫୁସ୍‍, ଝୁପ୍‍ ଝୁପ୍‍,–କେତେବେଳେ ଭୁଷ୍‍ ଭୁାଷ୍‍ ଅଜାଡ଼ି ଦେଉଛି । ଏତିକିବେଳେ ହରିବାବୁ କଚେରିରୁ ଫେରିଲେ ।

 

ସେତେବେଳକୁ ରାତି ପ୍ରାୟ ସାଢ଼େ ସାତ । ସେ କେବେ ଚା ଖାଆନ୍ତି ନାହିଁ । କିନ୍ତୁ ସେଦିନ ଖାଇବାକୁ ତାଙ୍କର ମନ ହେଲା । ଥଣ୍ଡା ପାଗ ଯୋଗୁଁ ।

 

ଏଣେ ପିଲାମାନେ ତାଙ୍କ ପଢ଼ିବା ଘରେ ବତୀ ନ ଜାଳି ଅନ୍ଧାରରେ ବସି ଗପ ସପ କରୁଥିଲେ । ହଠାତ୍‍ ସେ ଘରୁ ଗୋଟାଏ ବଡ଼ ପାଟି ଶୁଣାଗଲା । ହରି ବାବୁ ଧଢ଼ ପଡ଼ ଲସର ପସର ହୋଇ ଧାଇଁ ଆସିଲେ । ଦେଖିଲେ କେହି ଟେବୁଲ ତଳେ, କେହି ଆଲମାରି ପଛ ପଟେ ମାଛିଟି ପରି ଆଉଜି ଯାଇଛନ୍ତି । ସେହ ସେମାନଙ୍କର ବରଡ଼ା ପତର ପରି ଭୟରେ ଥରୁଛି । ଘଟଣାଟା କଣ ! ବୁଝୁ ବୁଝୁ ଜାଣିଲେ ଘର ଭିତରେ ପିଲାମାନେ ଗୋଟିଏ ଭୂତ ଦେଖିଛନ୍ତି ।

 

ଏ କଥା ହରିବାବୁ ବିଶ୍ୱାସ କଲେ ନାହିଁ । ସେ ପିଲାଙ୍କୁ ବୁଝାଇ କହିଲେ–ନାହିଁରେ ପିଲେ ଭୂତ, ଫୁତ, କେହି ନାହିଁ । ତମେ ଭୟ କରୁଛ କାହିଁକି, ଠିକ୍‍ ଏତିକି ବେଳେ ସେହି ଅନ୍ଧାର ଘରୁ ଆଉ ଗୋଟିଏ ପାଟି ଉଠିଲା । ହରିବାବୁ ଏଡ଼େ ସାହସୀ, କିନ୍ତୁ ସେହି ଚିତ୍କାର ଶୁଣ ଅତରଛରେ ଏକାବେଳକେ ଆସି ଏରୁଣ୍ଡି ବନ୍ଧ ଏ ପାଖରେ । ପିଲାଙ୍କର ଗୋଳମାଳ ଶୁଣି ତାଙ୍କ ମାଆ ଲଣ୍ଠନ ଧରି ଧାଇଁ ଆସିଲେ । ଦେଖିଲେ ଜଣେ ଲୋକ ! ଠିକ୍‍ ବଣ ମଣିଷ ଭଳି ତାହାର ରୂପ । ସେ ଘରର ଗୋଟିଏ କୋଣରେ ଆଣ୍ଠୁ ମାଡ଼ି ବସି ମୁରୁକି ମୁରୁକି ହସୁଛି । ସତକୁ ସତ ଭୂତ ପରି ଗୋଟାଟା ଯାକ । କିନ୍ତୁ ଭୂତ ନୁହେଁ–ମଣିଷ ।

 

ହରି ବାବୁଙ୍କର ରାଗ ପଞ୍ଚମକୁ ଉଠିଗଲା । ସେ ଦାନ୍ତ ରଗଡ଼ି ଠେଙ୍ଗାଟା ଧରି ଏଡ଼େ ପାଟିରେ କହିଲେ–ତୁ ଏଠାରେ କି–ଏ–ସେ ? କରୁଣାର ଭଲ ବୁଦ୍ଧି ଦିଶିଲା ! ସେ ଗାଲ ଦୁଇଟା ଫୁଲାଇ କହିଲା–ମୋ ନାଁ କରୁଣା । ହରିବାକୁ ତାକୁ କେତେ ଗାଳି ଦେଲେ । ସେ କହିଲା–ବାବୁ, ମୁଁ ଚୋର ନୁହେ । ହରି ବାବୁ କହିଲେ–ତୁ ଚୋର । ତା ନ ହୋଇଥିଲେ ତୁ ବୈଠକଖାନା ଭିତରକୁ ଆସନ୍ତୁ କାହିଁକି ? କରୁଣା ତାର ଦୁଃଖ କହିବାକୁ ଲାଗିଲା । ସେ ତିନିଦିନ ହେବ କିଛି ଖାଇ ନାହିଁ । ସାରା ଦିନ ବର୍ଷାରେ ତିନ୍ତୁଛି । ତାକୁ କେହି ଟିକିଏ ହେଲେ ପଚାରୁ ନାହାନ୍ତି ।

 

ହରିବାବୁଙ୍କର ରାଗ ଆହୁରି ବଢ଼ିଗଲା । ଶେଷରେ ସେ ଠିକ୍‍ କଲେ–କରୁଣାକୁ ଚଉକିଆ ହାତରେ ଦେବେ । କରୁଣା ଏକଥା ଶୁଣି ଲମ୍ୱ ହୋଇ ବାବୁଙ୍କ ପାଦତଳେ ପଡ଼ି କହିଲା–ବାବୁ, ମୋ ନାଁ କଁରୁଁଣାଁ; ମୋ ବାଁପାଁ ନାଁ ଚଁକଁରାଁ । ଅଁଜାଁନାଁ ଶଁତୁଁରାଁ । ମୋ ଭାଁଇଁ ନାଁ ସୁଁଦେଁଇଁ । ମୁଁ କଁଟଁକଁ ଦେଁଖିଁଛିଁ । ଜଁଟଁଣିଁ ଯାଁଇଁଛିଁ ବଁରୁଁଣେଁଇଁ ପାଁହାଁଡଁରେଁ ଚଁଢିଁଛିଁ । ଗାଁ ବଁଡ଼ଁ ପୋଁଖଁରୀଁରୁଁ କେଁତେଁ ରୋଁହିଁ ଭାଁକୁଁଡଁ ମାଁଛଁ ମାଁରିଁଛିଁ । ମୁଁ ଚୋଁରଁ ଡ଼ଁକାଁୟଁତଁ ନୁଁହେଁ । ମୋଁତେଁ ଖଁଣ୍ଡେଁ ଚାଁକିଁରିଁ ଦିଁଅଁନ୍ତୁଁ ।’’

 

ହରିବାବୁଙ୍କ ସ୍ତ୍ରୀ ଏକଥା ଶୁଣି ଠୋ ଠୋ ହସିଲେ । ସେ ପଚାରିଲେ ‘‘କିରେ ମାଛ ଧରିବା ଛଡ଼ା ଆଉ କିଛି କାମ ଜାଣୁ ନା ଏତିକି ।’’ କରୁଣା କହିଲା–ହଁ ଢେର ଶିଖିଛି । କାଠ ଚିରିବା, ମାଟି ହାଣିବା, କୋଶଳା ଶାଗ, ଟମାଟୋ ଆଦି କରିବାକୁ କାମ ମୋତେ ଅଜଣା ଏପରି ନୁହେଁ । ବୋଝ ବୋହିବା, ଜୋତା ସଫା, ସାଇକେଲରେ ତେଲ ଦେବା, ପାନ ଭାଙ୍ଗିବା, ଏମିତି ହଜାରେ କି ତିରିଶି ପ୍ରକାରର ।

 

ହରିବାବୁଙ୍କ ସ୍ତ୍ରୀଙ୍କ ମନରେ ଦୟା ହେଲା । ସେ ତାଙ୍କର ସ୍ୱାମୀଙ୍କୁ କହିଲେ, ଆଚ୍ଛା ଆମର ଏଥିରେ କ୍ଷତିକଣ । କାଲିତ କହୁଥିଲ ଜଣେ ଚାକର ରଖିବା ଲାଗି । ଏ ଜଣକୁ ରଖିଲେ କାମତ ବେଶ୍‍ ଚଳିବ । କାଠ ଚିରିବା, ବଜାର ସଉଦା, କେତେବେଳେ ହାଟକୁ ଯିବା ଆସିବା କରିବ ସବୁ କାମ ତ ବେଶ୍‍ ଚଳିବ । ଏସବୁ କାମ ପାଇଁ ଜଣେ ତ ନ ହେଲେ ନ ଚଳେ । ହରି ବାବୁ ସ୍ତ୍ରୀଙ୍କ କଥା ଭାଙ୍ଗି ପାରିଲେ ନାହିଁ । ସେ କରୁଣାକୁ ପଚାରିଲେ–କେତେ ଟଙ୍କା ପାଇଲେ ରହିବୁ ? କରୁଣା ସେମିତି ଗାଲ ଫୁଲାଇ ହସି ହସି କହିଲା–ହଜୁରଙ୍କର ଯାହା ଖୁସି ।

 

ପୁଣି ପଚାରିଲେ–ଆରେ ବୋକା ଶୁଣ, ଚାକିରି ଯଦି କରିବୁ, ଠିକ୍‍ କରି କହ କେତେ ଟଙ୍କା ମାସକୁ ମାସ ନେବୁ ? କରୁଣାକୁ ତୁନି ହେବା ଦେଖି ପୁଣି ପଚାରିଲେ–ଖାଇ ପିଇ, ଲୁଗାପଟା ସହ ମାସକୁ ପାଞ୍ଚ ଟଙ୍କା ନେବୁ ଯଦି ତେବେ କହ ଯେ ତୋତେ ରଖିବା, ନୋହିଲେ ତୋ କଥା ତୁ ଦେଖ । ମୋଟେ ପାଞ୍ଚ ଟଙ୍କା ଦରମା କଥା ଶୁଣି କରୁଣା ହାଣ୍ଡି ପରି ମୁହଁଟା କଲା । ସେ କହିଲା, ହଜୁର ମୁଁ ଗରିବ ଲୋକ । ମୋତେ ଏତିକିରେ ପୋଷାଇବ ନାହିଁ । ଶିବ ଓ ତା ବୋଉ ଚଳିବେ କେମିତି । କଣ ଖାଇବେ ? ବହୁତ କାମ ହେଉଛି । ମାସକୁ ଦୁଇ ଟଙ୍କା ପାଇଲେ ରହନ୍ତି । ତା’ର ବୁଦ୍ଧିର ସରସତା ବାବୁ ଓ ବାବୁଆଣୀ ଦୁହେଁ ପେଟେ ଲେଖାଏଁ ହସିଲେ ।

 

ଯାହାହେଉ କରୁଣା ଚାକିରି କଲା । ତା’ର ଲୁଗା ନ ଥିଲା । ତହିଁ ଆର ଦିନ ହରିବାବୁ ତା ପାଇଁ ବଜାରରୁ ଚୌଦ୍ୱାର ମିଲ୍‍ ଖଦି କିଣି ଆଣିଲେ । କରୁଣା ନୂଆ ଖଦି ପିନ୍ଧି ଭାରି ଖୁସି । ତାର ଦୁଇ ଦିନ ପରେ ଚିତୋଉ ଅମାବାସ୍ୟା ପଡ଼ିଲା । ରାତିରେ ଖାଇବାବେଳେ ପତରରେ ଚିତୋଉ ପିଠା ଦେଖି ସେ ପ୍ରଥମେ କାନ୍ଦିବାକୁ ଆରମ୍ଭ କରିଦେଲା । ବାବୁଆଣୀ ତ ଅବାକ୍‍ । ତାର କାନ୍ଦିବାର କାରଣ ପଚାରିବାରୁ ସେ କହିଲା–ଦଶ ବର୍ଷ ଆଗେ ସେ ଥରେ, ଏହି ପିଠା ଚୋରି କରି ଖାଇଥିଲା ବୋଲି ତାର ମାଉସୀ ତାକୁ ନିର୍ଦ୍ଧୁମ ପିଟିଥିଲା । ଏହା କହି ପିଠିର ଦାଗଟା ଦେଖାଇ ଦେଲା । ଆଜି ସେ ଚିତୋଉ ପିଠା ଖିଆ ଦେଖି ତାର ମାଡ଼ କଥା ମନେ ପଡ଼ିଲା । ଏହାଶୁଣି ବାବୁଆଣୀ ବାବୁଙ୍କ ଆଗରେ କହି ହସି ହସି ଗଡ଼ିଗଲେ ।

 

ଆଉ ଦିନେ କଣ ହେଲା, ହରିବାବୁ କଚେରି ଯାଇ ନ ଥାନ୍ତି । ସେ ଯିବା ଆଗରୁ କରୁଣାକୁ କହିଗଲେ–ବଗିଚାରେ ବହୁତ ଘାସ ହୋଇଛି । ସେ ଗୁଡ଼ାକ ଉପାଡ଼ି ଦେବାକୁ । କରୁଣା ବଗିଚାରେ ଗୋଲାପ ଗଛ ଗୁଡ଼ାକ ବଡ଼ ବଡ଼ ଘାସ ଭାବି ଆଗ ସେହି ଗଛ ଗୁଡ଼ାକୁ କଟୁରି ଖଣ୍ଡେ ଧରି ମୂଳରୁ ସଫା କରିଦେଲା । ବାବୁ ତାର କାମ ଦେଖି ଭାରି ଖୁସି ହେବେ–କାହିଁକି ନା ସେ ଏତେ ଘାସ ବଗିଚାରୁ ବାହାର କରିଛି । ତହୁଁ ସେ ସବୁ ଗୋଲାପ ଗଛତକ ଆଣି ଦାଣ୍ଡରୁ ଦୁଆରେ ଜମା କଲା । ବାବୁ ଦେଖି ସାରିଲେ ବାହାରେ ଫିଙ୍ଗି ଦେବ ।

 

ହରି ବାବୁ କଚେରିରୁ ଫେରି ଏ କାଣ୍ଡ କାରଖାନା ଦେଖି ଚାଣ୍ଡାଳ କଣ କଲୁ ବୋଲି ଥକ୍‍କାମାରି ବସି ପଡ଼ିଲେ । କରୁଣା ଘର ଭିତରକୁ ଦଉଡ଼ି ଗଲା । ବାବୁଙ୍କର କଣ ହୋଇଗଲା, ବାବୁଆଣୀ ଧାଇଁ ଆସ ବୋଲି ଡାକ ପକାଇଲା । କରୁଣା ବାବୁଙ୍କର ଦୁଇ ହାତ ଧରି କହିଲା–ବାବୁ ଉଠ, ଘରେ ଶୋଇବ ଚାଲ, ମୁଣ୍ଡ ବୁଲାଇ ଦେଉଥିବ । ହରି ବାବୁ ଥିଲେ ଥିଲେ ଛତା ବେଣ୍ଟରେ ତାକୁ ପାହାରେ ପକାଇଲେ । ଫଳରେ ଛତାଟା କାନ୍ଥରେ ବାଜି ବିଲ୍‍କୁଲ ଦିଖଣ୍ଡ ହୋଇଗଲା । ବାବୁଆଣୀ ତାକୁ ଠାରି ଦେଲାରୁ କରୁଣା ସେଠାରୁ ପଳାଇଗଲା ।

 

ସିମିତି ଆଉ ଦିନେ ବାବୁଙ୍କର ଖାଇବା ଲାଗି ଘରେ ଜଳଖିଆ ନ ଥିଲା । ବଜାରରୁ ଅଧକିଲେ ମାଲପୁଆ ଆଣିବା ଲାଗି ବାବୁଆଣୀ କରୁଣାକୁ ପଠାଇଲେ । କରୁଣା ସେହିକ୍ଷଣି ଭୋବନା ତେଲି ଦୋକାନରୁ ଅଧକିଲେ ମାଲପା କିଣି ଘରେ ପହଞ୍ଚିଲା । ବାବୁଆଣୀ ମାଲପୁଆ ବଦଳରେ ମାଲପା ଦେଖି ଆଗ ହସିଲେ ଓ ପରେ ତା ଉପରେ ଭାରି ଖପା ହେଲେ ।

 

ବାବୁଆଣୀଙ୍କର ରାଗ ଆସିଲା । ସେ ବାବୁଙ୍କୁ ଆଜି ଏ କଥା କହିବେ ବୋଲି ମନେ ମନେ ଚଦି କରି ରହିଲେ । ହରିବାବୁ ରାତିରେ ଆସୁ ଆସୁ ଆହୁରି ଏକ କାଣ୍ଡ ଘଟିଗଲା । ଜଣେ ଭଦ୍ରଲୋକ ହରିବାବୁଙ୍କୁ ଦେଖା କରିବାକୁ ଆସିଥିଲେ । ଦାଣ୍ଡ ଘରେ ଖଣ୍ଡେ ଚୌକୀ ପଡ଼ିଥିଲା । କରୁଣା ସେହି ଭଦ୍ରଲୋକଙ୍କୁ ହରିବାବୁଙ୍କ ଚୌକି ଉପରେ ବସିବାକୁ ଯାଉଥିବାର ଦେଖି ତାଙ୍କ ପାଖକୁ ଦଉଡ଼ି ଆସି କହିଲା–ବାବୁ, ତମେ ଏଥିରେ ବସ ନାହିଁ । ହରିବାବୁ ଆସିଲେ ତମ ଉପରେ ଘୋଷା ହେବେ ।

 

ଭଦ୍ରଲୋକ ପ୍ରଥମେ କରୁଣାର ଖନା କଥା ବୁଝି ନ ପାରି ଚୌକୀ ଉପରେ ବସିବାକୁ ଯାଉଥିଲେ । ୟା ଭିତରେ ସେ ବୋକା ପଛଆଡ଼ୁ ଆସି କେତେବେଳେ ଚୌକୀଟାକୁ ଟାଣି ନେଇଛି-। ଏ କଥା ଭଦ୍ରଲୋକଙ୍କୁ ଜଣା ନାହିଁ । ସେ ହଠାତ୍‍ ବସିବାକୁ ଯାଇ ତଳେ ଭୁଷ୍‍କିନା କଚାଡ଼ି ହୋଇ ପଡ଼ିଲେ । ମୁଣ୍ଡଟା ଚୌକୀରେ ବାଡ଼େଇ ହୋଇଗଲା । ବାଁ ହାତଟା ଅଣ୍ଟାତଳେ ରହି କିମିତି ଜଖମ ହୋଇଗଲା । ଏତିକିବେଳେ ହରିବାବୁ ଘରେ ପହଞ୍ଚିଲେ । ସେ ଏ କଥା ଦେଖି ଅବାକ୍‍ । ବଦମାସ୍‍ ଚାକରଟା ଭଦ୍ରଲୋକଙ୍କୁ ଏତେଦୂର ହିନସ୍ତା କରିବ–ସେ ସ୍ୱପ୍ନରେ ଭାବି ନ ଥିଲେ । କିନ୍ତୁ ସେ କିଛି କହିବା ଆଗରୁ କରୁଣା ଚେଁ ଚେଁ କରି କହିଲା–ବାବୁ ଦେଖନ୍ତୁ, ସେ ଚୌକିଟା ଉପରେ ଏ ଜଣକ ବସିବାକୁ ଯାଉଥିଲା । ମୁଁ ଚୌକୀଟା ପଛକୁ ଟାଣି ଆଣିଲି ।

 

ହରିବାବୁ ସବୁ ସହୁଥିଲେ । କିନ୍ତୁ ଏ କଥାରେ ସେ ଆଉ ସହି ପାରିଲେ ନାହିଁ । ସଙ୍ଗେ ସଙ୍ଗେ ଧକ୍‍କା, ବିଧା, ଗୋଇଠା ଦେଇ ଘରୁ ବିଦାୟ କରି ଦେଲେ । କହିଲେ–‘‘ଆଉ କେବେ ଯଦି ଏଠାକୁ ଆସିବୁ, ତେବେ ଦେଖିଥା ଏହି ଠେଙ୍ଗାକୁ ।’’

Image